କାଲି ଥିଲେ ପୂଜ୍ୟ, ଆଜି ବର୍ଜ୍ୟ

ଭୁବନେଶ୍ବର: କାଲି ଯେଉଁ ମୂର୍ତ୍ତି ଆରାଧ୍ୟ ଥିଲେ, ଆଜି ସେ ବର୍ଜ୍ୟ ପାଲଟିଯାଇଥିଲେ। ଯାହା ସାମ୍ନାରେ ଛିଡ଼ା ହେବା ମାତ୍ରେ କାଲି ଯାଏ ମୁଣ୍ଡ ନଇଁ ଯାଉଥିଲା, ଆଜି ସେ ଗୋରୁ ଗାଈଙ୍କ ଆହାର ପାଲଟି ଯାଇଥିଲେ। ନଈ ପଠାରେ ଅସ୍ଥାୟୀ ବିସର୍ଜନ ପୋଖରି କଡ଼ରେ କଡ଼ ଲେଉଟାଇ ପଡ଼ିଥିବା ମା’ ଦୁର୍ଗାଙ୍କ ଅଧା ଲିଭା ଚେହେରା, ଅଧା ଭଙ୍ଗା ରାକ୍ଷସର ବିକଳ ଚିତ୍ର ବଡ଼ କରୁଣ ଦେଖାଯାଉଥିଲା। ସବୁର ‌ଯେ ଅନ୍ତ ଥାଏ, ତାହା ନିରବରେ ବ୍ୟକ୍ତ କରୁଥିଲା ଅସ୍ଥାୟୀ ପୋଖରୀରେ ଭାସୁଥିବା ମୃଣ୍ମୟୀ ଦେବୀଙ୍କ କୁଢ଼କୁଢ଼ ଦେହାବଶେଷ। ପରିବେଶ ମନସ୍କ ବ୍ୟକ୍ତିବିଶେଷ ନଈ ପଠାରେ ଏଭଳି ଦୃଶ୍ୟ ଦେଖି ଅସ୍ବସ୍ତିକର ଅନୁଭବ କରୁଥିଲେ। ମାତ୍ର ନକହି ବି ଏହି ଦୃଶ୍ୟ ବାର୍ତା ଦେଉଥିଲା ଯେ, ସଂସାରର ନିୟମରେ ସଭିଏଁ ବନ୍ଧା।

ଦୟା ନଦୀ କୂଳରେ ପହଞ୍ଚିବା ପରେ ଦେବୀଙ୍କ ଦେହାବଶେଷ ଟୁକୁଡ଼ା ଟୁକୁଡ଼ା ହୋଇ ପଡ଼ିଥିଲା। କିଛି ବ୍ୟକ୍ତି ପଡ଼ିଥିବା ମୂର୍ତି ଉପରେ ଆଖି ବୁଲେଇ ଆଣୁଥିଲେ। ଦେହାବଶେଷରୁ ନଡ଼ା ଝୁଣି ଖାଇବାକୁ ଗାଈମାନେ ପ୍ରତିଯୋଗିତା ଚଳାଇଥିବା ବେଳେ ନଡ଼ା ସହ ରସାୟନିକ ରଙ୍ଗ ବି ଉଦରସ୍ଥ କରି ନେଉଥିଲେ। ଅନ୍ୟ ଏକ ପାର୍ଶ୍ବରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଲକ୍ଷ୍ମୀ, ସରସ୍ବତୀ, ଗଣେଶଙ୍କ କାଚ ବନ୍ଧେଇ ଫଟୋ ବିଛେଇ ହୋଇ ପଡ଼ିଥିଲା। ମାତ୍ର ଏମାନେ ଯେମିତି ଆଉ ଦିଅଁ ନଥିଲେ। ଯଦିଓ ଦେବୀଙ୍କୁ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଥିଲା, କିନ୍ତୁ ପୂଜା ସାମଗ୍ରୀ ପଲିଥିନ୍ ସହ ନଦୀ ଗର୍ଭକୁ ନିକ୍ଷେପ କରାଯାଇଥିଲା।

ଏତେ ସବୁ କଥା ଅବତାରଣା କରିବାର ଉଦ୍ଦେଶ୍ୟ କେବଳ ଏତିକି ଯେ, ଦେବୀଙ୍କୁ ଦର୍ଶନ ପାଇଁ ଲାଇନ୍‌ରେ ଗୋଡ଼ ଭାଙ୍ଗି ଛିଡ଼ା ହେଉଥିବା ଲୋକେ ବି ଏ ଦୃଶ୍ୟକୁ ଅନ୍ତତଃ ଥରେ ଆଖି ପୂରେଇ ଦେଖିନେବା ଉଚିତ୍‌। ଅଦରକାରୀ ହୋଇଗଲା ପରେ ସବୁ କେମିତି ଅଲୋଡ଼ା ପାଲଟିଯାଏ ତାହା ଏଠି କ୍ଷଣେ ଛିଡ଼ା ହେବା ମାତ୍ରେ ହିଁ ଉପଲବ୍ଧି କରିହେଉଥିଲା। ମଶାଣିରେ ମର ଶରୀରକୁ ଅଗ୍ନିରେ ପୋଡ଼ି ପାଉଁଶ ହେଉଥିବା ଦେଖିବା ପରେ ଲୋକଟିଏ ଯେମିତି ନିଜ ଭିତରର ଅହଙ୍କାରକୁ ଅନ୍ତତଃ କିଛି ସମୟ ମାରିଦିଏ, ବିସର୍ଜନ ପରେ ଗଦା ହୋଇଥିବା ମୃଣ୍ମୟୀ ଦେବୀଙ୍କ କୁଢ଼କୁଢ଼ ଦେହାବଶେଷ ଦେଖି ଠିକ୍‌ ସେମିତି କିଛି ଅନୁଭବ କରିହେଉଥିଲା।

ସମ୍ବନ୍ଧିତ ଖବର