ଯୋଗ ଶିଖାଇଲେ ସେଲେବ୍ରିଟି, ଘ‌ରେ ହେଲା ଯୋଗ

ଚନ୍ଦ୍ରଶେଖରପୁର: ମହାମାରୀ ‌କରୋନା ପାଇଁ ଅନ୍ତର୍ଜାତୀୟ ଯୋଗ ଦିବସ ଆଜି ଘରେ ଘରେ ପାଳିତ ହୋଇଛି। ଏହି ଅବସରରେ କିଟ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ଯୋଗ ପ୍ରଶିକ୍ଷକ ସାମାଜିକ ଗଣମାଧ୍ୟମ ଜରିଆରେ ଗୋଟିଏ ସ୍ଥାନରେ ରହି ଯୋଗ ଶିକ୍ଷା ଦେଉଥିବା ବେଳେ ଅନୁଷ୍ଠାନର ସଭ୍ୟମାନେ ନିଜ ନିଜ ଘରେ ରହି ଯୋଗାଭ୍ୟାସ କରିଥିଲେ। କିଟ୍ ଓ କିସ୍’ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ମଧ୍ୟ ଘରେ ରହି ଯୋଗାଭ୍ୟାସ କରିବା ସହ ନିୟମିତ ଯୋଗ କରି ସୁସ୍ଥ ରହିବା ପାଇଁ କର୍ମଚାରୀମାନଙ୍କୁ ପରାର୍ମଶ ଦେଇଥିଲେ। ସେହିଭଳି ସତ୍ୟବିହାର ଯୋଗକେନ୍ଦ୍ର ପକ୍ଷରୁ କଳିଙ୍ଗ ଆଡଭାନ୍‌ସ ପବ୍ଲିକ୍ ସ୍କୁଲରେ ଡ. ସୁଶାନ୍ତ ଦାସ ଯୋଗ ଶିକ୍ଷ‌ା ଦେଇଥିବା ବେଳେ ଜୁମ୍ ଆପ୍‌ ଜରିଆରେ ଛାତ୍ରଛାତ୍ରୀ ଓ ଅନୁଷ୍ଠାନର କର୍ମଚାରୀମାନେ ଘରେ ରହି ଯୋଗ ଅଭ୍ୟାସ କରିଥିଲେ। କଳିଙ୍ଗ ସିନେ ଆର୍ଟସ୍ ପକ୍ଷରୁ ମଧ୍ୟ ପ୍ରଶିକ୍ଷକ ହୃଦାନନ୍ଦ ଜେନା ଭୁବନେଶ୍ବର ମଞ୍ଚେଶ୍ବର ମୁଖ୍ୟ କାର୍ଯ୍ୟାଳୟରେ ଭିଡିଓ କଲିଂ ଦ୍ବାରା ଯୋଗ ଶିକ୍ଷା ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସଂପାଦକ ବିଦ୍ୟାଧର ବାରିକ ପରିଚାଳନା କରିଥିଲେ। ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ର ପଟିଆ ପକ୍ଷରୁ ମଧ୍ୟ ଯୋଗ ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ ପାଣିଙ୍କ ନେତୃତ୍ବରେ ଅନୁଷ୍ଠାନର ଯୋଗ ପ୍ରଶିକ୍ଷକ ଭିଡିଓ କଲିଂରେ ଯୋଗ ଶିକ୍ଷା ଦେଇଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଘରେ ରହି ଯୋଗ କରିଥିଲେ। ପଟିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ରାଜେଶ ପାଣି ଘରେ ରହି ସୋସିଆଲ ମିଡିଆରେ ବିଦ୍ୟାଳୟର ଶିକ୍ଷାର୍ଥୀ ଓ ଗୁରୁ, ଗୁରୁ ମା’ ମାନଙ୍କୁ ଯୋଗ ଶିକ୍ଷା ଦେଇଥିଲେ।

ଯୋଗ ‌ଦିବସରେ ସେଲେବ୍ରିଟିମାନେ ଆଜି ମଧ୍ୟ ବିଭିନ୍ନ ପ୍ରକାର ଯୋଗାସନ କରି ଦିବସଟିକୁ ପାଳନ କରିଛନ୍ତି। ସେଲେବ୍ରିଟିମାନେ ପ୍ରଶିକ୍ଷକ ସାଜି ନିଜ ପରିବାରର ସଭ୍ୟମାନଙ୍କୁ ଯୋଗ ଶିକ୍ଷା ଦେଇଥିଲେ। ଓଲିଉଡ୍‌ ଅଭିନେତ୍ରୀ ଝିଲିକ୍ ଭଟ୍ଟଚାର୍ଯ୍ୟ ସ୍ବାମୀ ପ୍ରୀତିରଞ୍ଜନ ଘଡ଼େଇ ଏବଂ ଶ୍ବଶୁର ପ୍ରଫୁଲ୍ଲ ଘଡ଼େଇ ଓ ଶାଶୁଙ୍କୁ ଯୋଗ‌ଭ୍ୟାସ କରାଇଥିଲେ। ସେହିଭଳି ପରିଚୟ ଫାଉଣ୍ଡେସନ୍ ମୁଖ୍ୟ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ପତ୍ନୀ ରୋଜାଲିନ୍ ପାଟ୍ଟଶାଣୀ ଘରେ ଯୋଗ ଦିବସ ପାଳନ କରିଛନ୍ତି। ଏହି ଅବସରରେ ‌ରୋଜାଲିନ୍‌ ତାଙ୍କ ବାପା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ସହ ମିଶି ଯୋଗାଭ୍ୟାସ କରିଥିଲେ। ସେହିଭଳି ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଘରେ ଯୋଗ କରିଥିଲେ। ସେ ସାମାଜିକ ଗଣମାଧ୍ୟମରେ ସେ ନିଜ ଫ୍ୟାନମାନଙ୍କୁ ସବୁବେଳେ ଫିଟ୍ ରହିବା ନେଇ ଟିପ୍ସ୍‌ ଦେଇଥିଲେ। ଓଡ଼ିଆ ଅଭିନେତ୍ରୀ ଶୀତଲ, ଏଲିନା, ଗୁନ୍‌ଗୁନ୍, ଆକାଂକ୍ଷା, ରିୟା ମଧ୍ୟ ଯୋଗାଭ୍ୟାସ କରିଥିଲେ। ବଲିଉଡ୍‌ ଅଭିନେତ୍ରୀ ସ୍ବପ୍ନା ପତି ମଧ୍ୟ ଘରେ ରହି ଯୋଗାଭ୍ୟାସ କରିଛନ୍ତି।

ସମ୍ବନ୍ଧିତ ଖବର