ଖଣ୍ଡଗିରି: ସୁସ୍ଥ ଜୀବନଯାପନ କାରବାର ପ୍ରକୃଷ୍ଟ ମାର୍ଗ ହେଉଛି ଯୋଗ। ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଯୋଗର ବିକଳ୍ପ ନାହିଁ। ଯୋଗାଭ୍ୟାସ ଭାରାକ୍ରାନ୍ତ ମନର ମ‌େହୗଷଧି ବୋଲି ଯୁଗ ଯୁଗରୁ ପ୍ରମାଣ ହୋଇସାରିଛି।  ଏକ ଶାନ୍ତ ମନ ଶାନ୍ତ ସମାଜର ଉପାଦାନ। ତେଣୁ ସାମାଜିକ ସୁସ୍ଥତା ପାଇଁ ସମସ୍ତଙ୍କୁ ଯୋଗ ହିଁ ରାସ୍ତା ଦେଖାଇଥାଏ। ଯୋଗ ସାଧନା ପାଇଁ କୌଣସି ଯନ୍ତ୍ରପାତି ଆବଶ୍ୟକ ନୁହେଁ। ସାଙ୍ଗରେ ଗୋଟିଏ ମ୍ୟାଟ୍‌ ଥିଲେ, ଯଥେଷ୍ଟ। ବେଶ୍ ସହଜର ଜଣେ ଏହି ସାଧନା କରିପାରେ। ସମ୍ପ୍ରତି ରାଜଧାନୀର ବିଭିନ୍ନ ପାର୍କରେ ଥିବା ଯୋଗ ମଣ୍ଡପରେ ଯୋଗାଭ୍ୟାସ କରିବା ଲାଗି ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳୁଛି। ସକାଳୁ ସକାଳୁ ସବୁବର୍ଗର ଲୋକେ ଏଭଳି ମଣ୍ଡପରେ ଏକାଠି ହୋଇ ଯୋଗାଭ୍ୟାସ କରୁଛନ୍ତି। ସାଥିରେ ଗୋଟିଏ ଗୋଟିଏ ମ୍ୟାଟ୍ ନେଇ ପହଞ୍ଚି ଯାଉଛନ୍ତି ମଣ୍ଡପରେ। ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବୟସ୍କ, ସବୁବର୍ଗର ଲୋକମାନେ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ହେଉଥିବା ଦେଖିବାକୁ ମିଳୁଛି।
 

Advertisment

ନୂଆପଲ୍ଲୀ ଏନ୍-୪ ପାର୍କରେ ରହିଛି ଭାରତୀୟ ନିଶୁଳ୍କ ଯୋଗକେନ୍ଦ୍ର। ଏଠାରେ ପ୍ରତ୍ୟହ ବହୁ ମହିଳା ଓ ପୁରୁଷ ଅଂଶଗ୍ରହଣ କରୁଛନ୍ତି। ୨୦୧୫ ମସିହାରୁ ଏହି ପାର୍କରେ ଯୋଗାଭ୍ୟାସ କରାଯାଉଛି। ନିୟମିତ ଭାବେ ୧୫ରୁ ଅଧିକ ଲୋକ ଏଠାରେ ଯୋଗ ପ୍ରଶିକ୍ଷଣ ନେଉଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ଗୃହିଣୀମାନଙ୍କ ସଂଖ୍ୟା ଅଧିକ। ଘରସଂସାର ଜଞ୍ଜାଳ ମଧ୍ୟରୁ ସମୟ ବାହାର କରି ମହିଳାମାନେ ପ୍ରତିଦିନ ଯୋଗାଭ୍ୟାସ କରୁଛନ୍ତି। ଗୃହିଣୀ ବନଜା ମହାନ୍ତି କୁହନ୍ତି, ଏଠାରେ ସେ ୭ବର୍ଷ ହେଲାଣି ଯୋଗାଭ୍ୟାସ କରିଆସୁଛନ୍ତି। ପୂର୍ବରୁ ରକ୍ତଚାପ ନିୟନ୍ତ୍ରଣରେ ରହୁ ନଥିବା ସମୟରେ ସେ ଅବସାଦଗ୍ରସ୍ତ ହୋଇଥିଲେ। ମାତ୍ର ଯୋଗ କରିବା ପରଠାରୁ ଧୀରେଧୀରେ ଶରୀରରେ ଏହାର ପ୍ରଭାବକୁ ଅନୁଭବ କରିପାରୁଛନ୍ତି। ବର୍ତ୍ତମାନ ରକ୍ତଚାପ ନିୟନ୍ତ୍ରଣକୁ ଆସିବା ସହିତ ମନ ସତେଜ ରହୁଛି ବୋଲି ସେ କହିଛନ୍ତି। ସୂର୍ଯ୍ୟ ନମସ୍କାର ତାଙ୍କର ପ୍ରିୟ ବୋଲି ବନଜା କୁହନ୍ତି।

ଅନୁରୂପ ଭାବେ ସ୍ନାତକୋତ୍ତର ସରିବା ପରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ତୃପ୍ତିମୟୀ ରାଉଳ କୁହନ୍ତି ଯେ ପୂର୍ବରୁ ଯୋଗ ପ୍ରତି ଆଗ୍ରହ ଥିଲା। ଏହି ପାର୍କରେ ଯୋଗ ପ୍ରଶିକ୍ଷଣ ଦିଆଯାଉଥିବା ଜାଣି ସେ ଏଠାକୁ ନିୟମିତ ଆସୁଛନ୍ତି। ଯୋଗ ତାଙ୍କ ମନରେ ସକାରାତ୍ମକ ପ୍ରଭାବ ପକାଇଛି। ବର୍ତ୍ତମାନର ପରିସ୍ଥିତିରେ ଯୋଗାଭ୍ୟାସ ନିତାନ୍ତ ଆବଶ୍ୟକ। ମହିଳା ସ୍ବାସ୍ଥ୍ୟ ସମସ୍ୟାରେ ସୁଧାର କ୍ଷେତ୍ରରେ ଯୋଗର ବିକଳ୍ପ ନାହିଁ ବୋଲି ସେ କୁହନ୍ତି।

ଅନୁଷ୍ଠାନର କେନ୍ଦ୍ର ପ୍ରମୁଖ କଲ୍ୟାଣୀ ଦାଶ, ଉପପ୍ରମୁଖ ଉଷାରାଣୀ ପରିଡ଼ା, ଟିମ୍ ଲିଡର୍ ବୃନ୍ଦାବନ ତରାଇ ଓ କ୍ଷେତ୍ର ପ୍ରଧାନ ଦିବାକର ଭୋଳଙ୍କ ନେତୃତ୍ବରେ ଯୋଗ ଶିକ୍ଷା ଦିଆଯାଉଛି। ପ୍ରଥମେ ସୂକ୍ଷ୍ମ କ୍ରିୟା ପରେ ଆସନ, ପ୍ରାଣାୟମ ଓ ଧ୍ୟାନ କରାଯାଇଥାଏ। ଧନୁ ଆସନ, ସୂର୍ଯ୍ୟ ନମସ୍କାର, ସେତୁବନ୍ଧ ଆସନ, ଅର୍ଦ୍ଧଚକ୍ରାସନ, ହଳାସନ, ଶୀର୍ଷାସନ ଆଦି ଅଭ୍ୟାସ କରାଯାଏ। ପ୍ରାଣାୟାମରେ ଭ୍ରମରୀ, ଅନୁଲୋମ-ବିଲୋମ, କପାଳଭାତି କରାଯାଏ। ଶେଷରେ ଶାନ୍ତିପାଠ କରି ଶିବିର ସମାପ୍ତ ହୋଇଥାଏ ବୋଲି କ୍ଷେତ୍ର ପ୍ରଧାନ ଶ୍ରୀ ଭୋଳ କହନ୍ତି।