ଯୋଗ ଦ୍ୱାରା ସୁଧୁରୁଛି ଦୃଷ୍ଟିଶକ୍ତି

ଆପଣ କିଛି ଦୃଷ୍ଟି ଜନିତ ସମସ୍ୟା ସହ ଯୁଝୁଛନ୍ତି କି? ଯୋଗ ଦ୍ୱାରା ଯେ ନିଜର ଦୃଷ୍ଟି ଶକ୍ତି ସୁଧାରି ହେବ କ’ଣ ଆପଣ ଏହାକୁ ବିଶ୍ୱାସ କରିପାରିବେ? ନିଶ୍ଚିତ ଆପଣ ଏହାକୁ ନା କହିବେ। କିନ୍ତୁ ଯୋଗ ବଳରେ ଏହା ସମ୍ଭବ ବୋଲି କେତେକ ବିଶେଷଜ୍ଞ ମତ ଦେଇଛନ୍ତି। ଯୋଗ ଦ୍ୱାରା ଚକ୍ଷୁର ଅନେକ ସମସ୍ୟା ଦୂର ହୋଇଯାଉଛି। କଳା ଧଳା ଦେଖାଯାଉଥିବା ଲୋକଙ୍କୁ ମଧ୍ୟ ସ୍ପଷ୍ଟ ଛବି ଦେଖାଯାଏ। କହିବାକୁ ଗଲେ ଏହି ଚିକିତ୍ସା ଦ୍ୱାରା ଆଉ ଚଷମା କିମ୍ବା ଲେନ୍‌ସ୍‌ ଲଗାଇବାର ଆବଶ୍ୟକତା ପଡ଼ିବ ନାହିଁ କି ଏହି ସବୁ ରୋଗର ଚିକିତ୍ସା ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ। ଯାହା କେବଳ ବିଦେଶରେ ହେଉଥିଲା ତାହା ଏବେ ଯୋଗ ଭୂମି ଭାରତରେ ମଧ୍ୟ ସମ୍ଭବ ହେଲାଣି।

ଏନେଇ ସତ୍ୟନଗର ଅଞ୍ଚଳରେ ‘ଯୋଗ ଫର ଆଇ ସେଣ୍ଟର’ ରହିଛି। ଏଠିକାର ଦାୟିତ୍ୱରେ ଅଛନ୍ତି ଡାକ୍ତର ଗୌରୀଶଙ୍କର ଗୋସ୍ୱାମୀ। ସେ କହନ୍ତି, ଆଜିର ଡିଜିଟାଲ ଦୁନିଆରେ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାର କରିବା ଫଳରେ ଆଖି ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ୁଛି। ଫଳରେ ପିଲାମାନେ ଦୃଷ୍ଟିଶକ୍ତିଜନିତ ସମସ୍ୟାରେ ପୀଡ଼ିତ ହେଉଛନ୍ତିି। ଆମେ ଏହାର ଚିକିତ୍ସା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ କରିଥାଉ। କମ୍‌ ବୟସରେ ଚଷମା ପିନ୍ଧିବା ସହ ବହୁ ଖର୍ଚ୍ଚାନ୍ତ ହେଉ। କିନ୍ତୁ ଯୋଗ ଦ୍ୱାରା ଚିକିତ୍ସା ହେଉଛି ଟିକେ ନିଆରା ଏଥିରେ ବଲ୍‌ ଖେଳାଇ, ମହମବତି ଆଲୁଅରେ ପୋଷ୍ଟ କାର୍ଡ ପଢ଼ିବା ଓ ଅନ୍ୟ କିଛି ସାଧାରଣ ଯୋଗ ଦ୍ୱାରା ଚିକିତ୍ସା ହୋଇଥାଏ। ଯାହାକୁ କି ‘ନେଚରପାଥି ଟ୍ରିଟମେଣ୍ଟ’ କୁହାଯାଏ। ଏଥିରେ ଆଖି ପାଇଁ କିଛି ସାଧାରଣ ବ୍ୟାୟାମରେ ବହୁ ରୋଗ ଯଥା ମୋତିଆ ବିନ୍ଦୁ, ଦୂର ଦୃଷ୍ଟି, ସମୀପ ଦୃଷ୍ଟି, ଚାଳଶିିଆ, ଗ୍ଲୁକମା, ମାୟେପିଆ, କଲର ବ୍ଲାଇଣ୍ଡନେସ୍‌, ଡବଲ ଭିଜନ, ଆଇ ଆଲର୍ଜି , ଟେରାପଣ, ରେଟିନା ଆଦି ରୋଗ ଭଲ ହୋଇଥାଏ। ଚିକିତ୍ସା ପାଇଁ ଆସିଥିବା ସୁପ୍ରିୟା ଚୌଧୁରୀ କହନ୍ତି, ତାଙ୍କ ପୁଅର ଦୂରଦୃଷ୍ଟି କମି ଯାଇଥିବାରୁ ସେ ସବୁ ଡାକ୍ତରଖାନା ବୁଲିଛନ୍ତି। ଆଖିର ଚିକିତ୍ସା ପାଇଁ ସମସ୍ତେ ତାଙ୍କୁ ଚଷମା ଲଗେଇବା ପାଇଁ ପରାମର୍ଶ ଦେଉଥିଲେ। କିନ୍ତୁ ସେ ତାଙ୍କର ଜଣେ ବନ୍ଧୁଙ୍କ ପରାମର୍ଶକ୍ରମେ ଏଠାକୁ ଆସି ଚକ୍ଷୁ ଦେଖାଇଥିଲେ। ଏଠାରେ ଯୋଗ କରିବା ଦ୍ୱାରା ତାଙ୍କ ପୁଅର ଦୃଷ୍ଟିଶକ୍ତିରେ କିଛି ସୁଧାର ଆସିଛି ବୋଲି ସେ କହିଛନ୍ତି।
ରିପୋର୍ଟ: ସରୋଜ ରାଉତ

ସମ୍ବନ୍ଧିତ ଖବର