‘ଯୋଗ ଏକାଗ୍ରତା ବଢ଼ାଏ’

ଯୋଗକୁ କୌଣସି ଧର୍ମ ସହିତ ଯୋଡ଼ି ଦେଖିବା ଠିକ୍‌ ନୁହେଁ। ଯୋଗ ହେଉଛି ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଅଭ୍ୟାସ। ବିଶେଷକରି ଭାରତରେ ଏହା କେଉଁ ଆବହମାନ କାଳରୁ ଚାଲି ଆସୁଛି। ତେବେ ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଂଘରେ ଏହି ଦିବସ ପାଳନ କରିବା ପାଇଁ ପ୍ରସ୍ତାବ ଦେବା ପରେ ସେହିଦିନଠାରୁ ବିଶ୍ୱସ୍ତରରେ ଏହି ଦିବସ ପାଳିତ ହୋଇଆସୁଛି। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ ଉପରେ ‘ସମ୍ବାଦ’ ସହିତ ଆଲୋଚନା କରିଛି ଯୋଗଗୁରୁ ଗଣେଶ୍ୱର ଗୋଚ୍ଛିକାର।

ଯୋଗ ଧର୍ମ ଉପରେ ପର୍ଯ୍ୟବେସିତ ନୁହେଁ ?
ଯୋଗ କୌଣସି ଧର୍ମ ଉପରେ ପର୍ଯ୍ୟବେସିତ ନୁହେଁ, ଏହା ବିଜ୍ଞାନ ଉପରେ ଆଧାରିତ। ସବୁ ଧର୍ମର ଲୋକ ଯୋଗ କରିପାରିବେ। ସୂର୍ଯ୍ୟ ନମସ୍କାର ଦ୍ୱାରା ଆମ ଶରୀର ନମନୀୟ ହେବା ସହିତ ଦେହ ଫିଟ୍‌ ରହିଥାଏ। ମନ ସ୍ଥିର ରହିଥାଏ। ଦେହରୁ ଝାଳ ବୋହିବା ଯୋଗୁଁ ଏହା ଶରୀରକୁ ହାଲ୍‌କା କରିବାରେ ସହାୟକ ହୋଇଥାଏ। ତେଣୁ ଯୋଗକୁ କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମ ସହିତ ଯୋଡ଼ିବା ଠିକ୍‌ ନୁହେଁ।

ଜଣେ ଦୈନିକ କେତେ ସମୟ ଯୋଗ କରିବା ଆବଶ୍ୟକ ?
ଦୈନିକ ଜଣେ ୧ଘଣ୍ଟା ଯୋଗ କରିବା ଉଚିତ୍‌। ସକାଳେ ଫ୍ରେସ୍‌ ହେବା ପରେ ଓ ଜଣେ ସଂଧ୍ୟାରେ ଦ୍ୱିପ୍ରହର ଭୋଜନର ୩/୪ଘଣ୍ଟାପରେ ଯୋଗ କରିବା ଜରୁରୀ।

ଯୋଗ କେତେ ପ୍ରକାର ଓ ଯୋଗ ଜରିଆରେ ଜଣେ କିପରି ନିଜକୁ ଫିଟ୍‌ ରଖିପାରିବ ?
ଯୋଗ ମୁଖ୍ୟତଃ ୪ପ୍ରକାର। ରାଜ ଯୋଗ, କର୍ମ ଯୋଗ, ଭକ୍ତି ଯୋଗ ଓ ଜ୍ଞାନ ଯୋଗ। ଯୋଗ ଜରିଆରେ ଜଣେ ଉଭୟ ଶାରୀରିକ ଓ ମାନସିକ ବ୍ୟାୟାମ ହୋଇଥାଏ। ଶରୀର ସୁସ୍ଥ ରହିବା ସହିତ ମସ୍ତିସ୍କ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ଯୋଗ ପ୍ରତି ଲୋକଙ୍କୁ କିଭଳି ଆକୃଷ୍ଟ କରାଯାଇପାରିବ ?
ପୁରାତନ ସମୟରେ ଲୋକଙ୍କର ଯୋଗପ୍ରତି ଯେଉଁ ଦୃଷ୍ଟିଭଙ୍ଗୀ ଥିଲା ତାହା ବଦଳିଛି। ଏବେ ଅଧିକରୁ ଅଧିକ ଯୁବପିଢ଼ି ଯୋଗ ପ୍ରତି ଆକୃଷ୍ଟ ହେଉଛନ୍ତି। ଲୋକମାନଙ୍କ ମଧ୍ୟରେ ଯୋଗପ୍ରତି ସଚେତନତା ସୃଷ୍ଟି ହେଲେ ଅଧିକରୁ ଅଧିକ ଲୋକ ଯୋଗରେ ନିଜକୁ ସାମିଲ କରିବେ। ଯୋଗ ଦ୍ୱାରା କେବଳ ଶରୀର ନୁହେଁ, ଏକାଗ୍ରତା ମଧ୍ୟ ବଢ଼ାଇଥାଏ।

ଯୋଗଶିକ୍ଷା ପ୍ରତି କେବେ ଓ କିଭଳି ଆକୃଷ୍ଟ ହେଲେ ?
୬ବର୍ଷ ବୟସରୁ ଯୋଗ ଶିଖିବାକୁ ଆରମ୍ଭ କରିଥିଲି। ପୁରୀର ଯୋଗ ମନ୍ଦିରରେ ଗୁରୁ ଯମେଶ୍ୱର ଖୁଣ୍ଟିଆଙ୍କ ଅଧୀନରେ ଯୋଗ ଶିଖିଥିଲି। ପରେ ଅନେକ ରାଜ୍ୟ ଓ ଜାତୀୟସ୍ତରୀୟ ଯୋଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହିତ ବିଜୟୀ ମଧ୍ୟ ହୋଇଛି। ଏହାସହ ସାଇ ଓ ବେଙ୍ଗାଲୁରୁସ୍ଥିତ ଏସ୍‌ଭିଓ୍ଵାଇଏଏସ୍‌ଏରେ ମଧ୍ୟ ଯୋଗକୁ ନେଇ ସ୍ୱତନ୍ତ୍ର କୋର୍ସ କରିଛି। ପରେ ସିଙ୍ଗାପୁରରେ ୬ବର୍ଷ, ଭିଏତନାମ ଓ ଇଣ୍ଡୋନେସିଆରେ ଯୋଗ ଶିକ୍ଷା ଦେଉଛି। ଏହାସହ ବିଭିନ୍ନ ଚ୍ୟାନେଲରେ ଯୋଗଶିକ୍ଷା ଉପରେ ଟକ୍‌ ସୋ’ ଦେଉଛି। ରାଜ୍ୟର ଅନେକ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଯୋଗଶିକ୍ଷା ନେଉଛନ୍ତି।

ସମ୍ବନ୍ଧିତ ଖବର