ଭୁବନେଶ୍ୱର: ମାର୍ଚ୍ଚ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସମ୍ବାଦ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଥିବା ‘ସାହିତ୍ୟ ପକ୍ଷ’ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ତାଳପଦେଶ୍ବରୀ ସାହିତ୍ୟ ଆସରର ସଦସ୍ୟ ସଦସ୍ୟାମାନେ ଯୋଗଦେବେ। ଛାତ୍ରଛାତ୍ରୀଙ୍କ ସର୍ଜନା ଶକ୍ତିର ବିକାଶ ଦିଗରେ ବାଣୀବିହାର ପରିସରରେ ୨୯ ବର୍ଷ ଧରି କାର୍ଯ୍ୟରତ ସାହିତ୍ୟ ଅନୁଷ୍ଠାନ ତାଳପଦେଶ୍ବରୀ ସାହିତ୍ୟ ଆସର ପକ୍ଷରୁ ଆଜି ମା’ ତାଳପଦେଶ୍ବରୀଙ୍କ ମନ୍ଦିର ପ୍ରାଙ୍ଗଣରେ ବସନ୍ତ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଆସରର ସଭାପତି ଅମୂଲ୍ୟ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଫକୀର ମୋହନ ବିଶ୍ବବିଦ୍ୟାଳୟ ଭାଷା ସାହିତ୍ୟ ବିଭାଗ ପ୍ରଫେସର ସୁବାସ ଚନ୍ଦ୍ର ଦାଶ ଯୋଗ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଆସରର ଉପଦେଷ୍ଟା ପ୍ରଫେସର ସଂଘମିତ୍ରା ମିଶ୍ର, ଅନ୍ୟତମ ପ୍ରତିଷ୍ଠାତା ଶତ୍ରୁଜିତ୍ ଓ ଅଧ୍ୟାପକ ସଂଗ୍ରାମ ରାଉତ ଉପସ୍ଥିତ ଥିଲେ। ଷଷ୍ଠ ବର୍ଷ ଛାତ୍ରୀ କ୍ରିଷ୍ଣା ସାହାଣୀଙ୍କ ସଂଯୋଜନାରେ କବିତା ପାଠ ହୋଇଥିଲା। ଏହି ଅବସରରେ ‘ସମ୍ବାଦ’ ପକ୍ଷରୁ ଅକ୍ଷୟ ସ୍ବାଇଁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆସରରେ ପହଞ୍ଚି ସାହିତ୍ୟ ପକ୍ଷରେ ଯୋଗଦେବା ପାଇଁ ଆସରର କର୍ମକର୍ତ୍ତା ଓ ଯୁବ ସାହିତ୍ୟିକମାନଙ୍କୁ ନିମନ୍ତ୍ରଣ କରିଥିଲେ। ଉପସ୍ଥିତ ସମସ୍ତେ ଏହି ନିମନ୍ତ୍ରଣ ଗ୍ରହଣ କରିବା ସହିତ ରାଜ୍ୟର ଅନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ଯୋଗଦେବାକୁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/25/8PKr8IyzhifkBbexcbYh.jpg)