ବାଟରୁ ଲେଉଟିଲା ‘ଯଶୋଦା’

ବାରଙ୍ଗ/ବନ୍ତଳା: ଦୁଇ ଦିନ ହେଲାଣି ଶାବକ ଜନ୍ମ ଦେଇଥିବା ସାତକୋଶିଆର ବୁଢ଼ୀ ବାଘୁଣୀର ପତ୍ତା ମିଳୁନି। କେଉଁଠି ରହିଛି, କିଛି ଜଣାପଡ଼ୁନି। ଏଭଳି ପରିସ୍ଥିତିରେ ବାଘୁଣୀ କେମିତି ଅଛି, ତାହା ଜାଣିବା ପାଇଁ ସାତକୋଶିଆ କର୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି। ଯେହେତୁ ବାଘୁଣୀ ଶାବକଙ୍କୁ ଜନ୍ମ ଦେଇଛି, ଏଇ ସମୟରେ ତା’ ନିକଟକୁ ଏକୁଟିଆ ଯିବା ବିପଦପୂର୍ଣ୍ଣ। ସ୍ବଚକ୍ଷୁରେ ବାଘୁଣୀକୁ ନ ଦେଖିଲେ ‘ମହାବୀର’ ଭଳି ଅବସ୍ଥା ହୋଇଯିବାର ଭୟ ବନ ବିଭାଗକୁ ଘାରୁଛି। ତେଣୁ ବାଘୁଣୀକୁ ପାଖରୁ ଦେଖିବା ପାଇଁ ଆଜି ଚନ୍ଦକାରୁ କୁମକୀ ହାତୀ ଯଶୋଦାକୁ ଅଣାଯାଉ ଥିବା ବେଳେ ଶେଷ ମୁହୂର୍ତ୍ତରେ ବାଟରୁ ତାକୁ ଫେରାଇ ନିଆଯାଇଛି। ଉଲ୍ଲେଖଯୋଗ୍ୟ, ବାଘୁଣୀ ସୁନ୍ଦରୀକୁ ବନ୍ଦୀ କରିବା ପାଇଁ କିଛି ମାସ ତଳେ ସାତକୋଶିଆକୁ ଯଶୋଦା ଆସିଥିଲା। ଯେଉଁ କାମରେ ତାକୁ ନିୟୋଜିତ କରାଯାଇଥିଲା, ତାହା ସଫଳ ହୋଇଥିଲା। କିନ୍ତୁ ଏହି ଖୁସି ପରେ ପରେ ଦୁଃଖ ଦେଇଥିଲା ଯଶୋଦା। ସୁନ୍ଦରୀ ବନ୍ଦୀ ହେବାର କେଇ ଘଣ୍ଟା ପରେ ପୁରୁଣାକୋଟ୍‌ରେ ଜଣେ ବ୍ୟକ୍ତିକୁ ଦଳି ମାରି ଦେଇଥିଲା। ସେଥିପାଇଁ ଯଶୋଦାକୁ ଚନ୍ଦକା ଫେରାଇ ନିଆଯାଇଥିଲା। କିନ୍ତୁ ପୁରୁଣା ବୁଢ଼ୀ ବାଘୁଣୀ ଶାବକ ଜନ୍ମ ଦେବା ପରେ ପୁଣି ଯଶୋଦା ଲୋଡ଼ା ପଡ଼ିଲାଣି। ଯେହେତୁ ଦୁଇ ଦିନ ହେଲା ବାଘୁଣୀ ନଜରକୁ ଆସୁ ନାହିଁ, ତେଣୁ ହାତୀ ପିଠିରେ ବସି ବାଘୁଣୀକୁ ଅତି ପାଖକୁ ଯାଇ ଦେଖିବା ସହ ତା’ର ସୁରକ୍ଷା ଓ ଯତ୍ନର ତଦାରଖ କରିବାକୁ ବନ ବିଭାଗ ଯୋଜନା କରୁଛି। ତେଣୁ ଚନ୍ଦକାରୁ ଯଶୋଦାକୁ ଡକରା ଯାଇଥିଲା। ଟ୍ରକ୍‌ରେ ଲୋଡ୍‌ ବି କରାଯାଇ ଗୋଡ଼ିବାରିରୁ କୁଜିମହଲ ପର୍ଯ୍ୟନ୍ତ ଅଣାଯାଇଥିଲା। କିନ୍ତୁ ବାଟରୁ ଯଶୋଦାକୁ ଲେଉଟାଇ ନିଆଯାଇଛି। ତେବେ କାହିଁକି ଅଣାଗଲା, ପୁଣି ଫେରାଇ ନିଆଗଲା, ସେ ସମ୍ପର୍କରେ ବନ କର୍ତୃପକ୍ଷ ମୁହଁ ଖୋଲୁ ନାହାନ୍ତି।

ସମ୍ବନ୍ଧିତ ଖବର