ୟୁ ଆର୍‌ ମାଇଁ ସୁଇଟ୍‌ ଏଞ୍ଜେଲ୍‌…

ରଙ୍ଗିଲା ଭାବି ସ୍ୱାମୀଙ୍କ ପର୍ଦାଫାସ୍‌ କଲେ ଯୁବତୀ

ଚନ୍ଦ୍ରଶେଖରପୁର: ନିର୍ବନ୍ଧ ସରିଥିଲା। ଆଉ କିଛି ଦିନ ପରେ ହୋଇଥାଆନ୍ତା ବିବାହ। ସେଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ମଧ୍ୟ ଥିଲା ଚୂଡ଼ାନ୍ତ ପର୍ଯ୍ୟାୟରେ। ଉଭୟ ପୁଅ ଓ ଝିଅ ମଧ୍ୟ ପରସ୍ପରକୁ ଜାଣିବା ନିମନ୍ତେ ଥିଲା ପର୍ଯ୍ୟାପ୍ତ ସମୟ। ମାତ୍ର ହାତରେ ମେହେନ୍ଦି ଆଉ ଦୋଳ ମୁକୁଟ ପିନ୍ଧିବା ଆଗରୁ ଘଟିଲା ଅଜବ ଘଟଣା। ଭାବି ବରର ଚରିତ୍ର ବିଷୟରେ ସନ୍ଦେହ ହେବାରୁ ଭାବି କନ୍ୟା ଜଣଙ୍କ ଫେସବୁକ୍‌ରେ ଖୋଲିଥିଲେ ଏକ ନକଲି ଆକାଉଣ୍ଟ୍‌। ଜଣେ ସୁନ୍ଦରୀ ଝିଅ ନାଁରେ ଫେକ୍‌ ଫେସବୁକ୍‌ ଆଇଡ଼ି ଖୋଲିବା ସହିତ ସୁନ୍ଦର ସୁନ୍ଦର ଫଟୋ ଦେଇ ଯୁବକଙ୍କୁ ମିଥ୍ୟା ପ୍ରେମ ଜାଲରେ ଫସାଇଥିଲେ। ନିର୍ବନ୍ଧ ସରିଥିଲେ ମଧ୍ୟ ଯୁବକ ଜଣଙ୍କ ମଧ୍ୟ ସେହି ନକଲି ଫେସବୁକ୍‌ ଆଇଡ଼ିର ମାୟାରେ ଫସିଯାଇଥିଲେ। ନକଲି ଫେସବୁକ୍‌ ଆଇଡ଼ିର ପ୍ରେମରେ ପାଗଳପ୍ରାୟ ହୋଇ କରିଥିଲେ ଅନେକ ପ୍ରେମାଳପ। ଏହା ସହିତ ଅନେକ ଅଶ୍ଳୀଳ ମେସେଜ୍‌ ମଧ୍ୟ ଦେଇଥିଲେ। ଦେଖାକରିବାକୁ ମଧ୍ୟ ପାଗଳ ହୋଇଥିଲେ। ଦେଖା କରି ରୋମାଣ୍ଟିକ୍‌ ମୁହୂର୍ତ୍ତ ବିତାଇବାକୁ ବାରମ୍ବାର ନିବେଦନ କରିଥିଲେ ଯୁବକ ଜଣଙ୍କ। ୟୁ ଆର୍‌ ମାଇ ସୁଇଟ୍‌ ଏଞ୍ଜେଲ୍‌। ତୁମେ ମୋ ପ୍ରକୃତ ପ୍ରେମ। ତୁମ ସହିତ ମୁଁ ଅନେକ ରୋମାଣ୍ଟିକ୍‌ ମୁହୂର୍ତ୍ତ ବିତାଇବାକୁ ଚାହୁଁଛି। ଏପରି ଅନେକ ପ୍ରେମାଳପ କରିଥିଲେ ଯୁବକ। ଶେଷରେ ଯୁବତୀ ଜଣଙ୍କ ସେହି ଫେସବୁକ୍‌ ମାଧ୍ୟମରେ ଯୁବକଙ୍କୁ ଶିଖରଚଣ୍ଡୀ ପାହାଡ଼ ଉପରକୁ ସକାଳ ୮ଟାରେ ଡାକିଥିଲେ। ମାତ୍ର ଯୁବକ ଜଣଙ୍କ ସେଠାରେ ପହଞ୍ଚିବା ବେଳକୁ ନକଲି ଫେସବୁକ୍‌ ଆଇଡ଼ିରେ ଥିବା ଯୁବତୀ ଆଉ କେହି ନୁହନ୍ତି, ସେ ଥିଲେ ତାଙ୍କ ସହିତ ନିର୍ବନ୍ଧ ହୋଇଥିବା ତାଙ୍କ ଭାବି କନ୍ୟା। ଏପରି ଘଟଣା ଆଜି ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି।

ଯୁବକ ଜଣଙ୍କ ହେଉଛନ୍ତି ଏକ ବ୍ୟାଙ୍କରେ ପିଓ ଭାବରେ କାର୍ଯ୍ୟରତ କଟକ ସାଲେପୁରର ପ୍ରଦୋଷ ଆଚାର୍ଯ୍ୟ। ଆଉ ତାଙ୍କର ବିବାହ ସ୍ଥିର ହୋଇଥିବା ଯୁବତୀ ଜଣଙ୍କ ହେଉଛନ୍ତି ଏକ ଘରୋଇ ଆଇଟି କମ୍ପାନୀରେ କାର୍ଯ୍ୟ କରୁଥିବା ଅସିଲୀମା ପଣ୍ଡା। ସୂଚନାଅନୁଯାୟୀ ଉଭୟ ପରସ୍ପରକୁ ମାଟ୍ରିମୋନିଆଲ୍‌ ମାଧ୍ୟମରେ ଜାଣିଥିଲେ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବେଶ୍‌ ଜାକଯମକରେ ଉଭୟଙ୍କର ନିର୍ବନ୍ଧ ମଧ୍ୟ ଅନୁଷ୍ଠିତ ହୋଇଥିଲା। ମାତ୍ର ନିର୍ବନ୍ଧ ପରେ ପ୍ରଦୋଷ ଯୁବତୀଙ୍କ ସହିତ ଠିକ୍‌ରେ କଥା ହେଉନଥିଲେ। ବିଭିନ୍ନ ସମୟରେ ବାହାନା କରୁଥିବା ଅଭିଯୋଗ କରିଛନ୍ତି ଭାବି କନ୍ୟା। ଯୁବକଙ୍କର ଚାଲିଚଳଣ ଓ ଚରିତ୍ର ଉପରେ ସନ୍ଦେହ ପ୍ରକଟ କରି ଯୁବତୀ ଜଣଙ୍କ ଏପରି ଷ୍ଟିଙ୍ଗ୍‌ ଅପରେସନ କରିଥିବା ପ୍ରକାଶ କରିଛନ୍ତି। ଶିଖରଚଣ୍ଡୀ ପାହାଡ଼ ଉପରେ ଭାବି ବର ପ୍ରଦୋଷ ନିଜକୁ ନିର୍ଦ୍ଦୋଷ ବୋଲି ଯେତେ କହିଲେ ମଧ୍ୟ ଯୁବତୀଜଣଙ୍କ ମାନିବାକୁ ପ୍ରସ୍ତୁତ ନଥିଲେ। ସଙ୍ଗେ ସଙ୍ଗେ ସେଠାରେ ଇନଫୋସିଟି ପୁଲିସ ଆସି ପହଞ୍ଚିଥିଲା। ଉଭୟ ଭାବି କନ୍ୟା ଓ ବରଙ୍କୁ ପୁଲିସ ଥାନାକୁ ନେଇଥିଲା। ଯଦିଓ ଏହା କୌଣସି ଅପରାଧୀକ ମାମଲା ନୁହେଁ ଏବଂ ଏନେଇ କୌଣସି ନିର୍ଦ୍ଦିଷ୍ଟ ମାମଲା ରୁଜୁ ହୋଇନାହିଁ, ତେଣୁ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ସମାଧାନ ହେବା ନେଇ ଆଲୋଚନା ଚାଲିଥିବା ଇନଫୋସିଟି ଥାନା ଆଇଆଇସି ପ୍ରକାଶ କରିଛନ୍ତି।

ଏହି ଘଟଣାରେ କିନ୍ତୁ ପ୍ରଦୋଷଙ୍କ ପିତା ପ୍ରମୋଦ କୁମାର ଆଚାର୍ଯ୍ୟ ମୁହଁ ଖୋଲିଛନ୍ତି। ତାଙ୍କ କହିବା ଅନୁଯାୟୀ ଯୁବତୀ ଜଣଙ୍କ ତାଙ୍କ ପୁଅକୁ ବ୍ଲାକ୍‌ମେଲିଂ କରିବା ଉଦ୍ୟେଶରେ ଏପରି କରିଛନ୍ତି। ବିବାହ ପ୍ରସ୍ତାବ ଭାଙ୍ଗିବାପାଇଁ ଏପରି ନାଟକ ରଚାଯାଇଛି। ଯୁବତୀ ଜଣଙ୍କ ପ୍ରଦୋଷଠାରୁ ୪ଲକ୍ଷ ଟଙ୍କା ଦାବି କରୁଥିବା ବେଳେ ସେ ରାଜି ନହେବାରୁ ତାଙ୍କୁ ବଦନାମକରି ତା’ ଚାକିରି ଛଡ଼ାଇ ନେବାର ଧମକ ଦେଇଥିବା ପ୍ରମୋଦ କହିଛନ୍ତି। ଉକ୍ତ ଯୁବତୀ ତାଙ୍କର ବନ୍ଧୁ ମାନଙ୍କ ସହିତ ମିଶି ତାଙ୍କ ପୁଅକୁ ନିସ୍ତୁକ ମାଡ଼ ମାରିଥିବା ଓ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ଏପରି କରାଯାଇଥିବା ସେ କହିଛନ୍ତି। ମାତ୍ର ନିର୍ବନ୍ଧ ସରିଥିଲେ ମଧ୍ୟ ଏକ ନକଲି ଫେସବୁକ୍‌ ଦ୍ୱାରା ପ୍ରଭାବିତ ହୋଇ ଏପରି କରିବାକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି କେହି।

ସମ୍ବନ୍ଧିତ ଖବର