ଚନ୍ଦ୍ରଶେଖରପୁର: ନିର୍ମାଣାଧୀନ ଘରର ଛାତ ପକାଇବାକୁ ଭୁବନେଶ୍ବରରେ ରହୁଥିବା ଭଉଣୀଠାରୁ ଲକ୍ଷେ ଟଙ୍କା ନେଇ ଗାଁକୁ ଫେରୁଥିଲା ଭାଇ। କିନ୍ତୁ ରାଜଧାନୀର ଭିଡ଼ ରାସ୍ତାରେ ଟଙ୍କା ବ୍ୟାଗ୍ଟି ହଜିଗଲା। ହଜିଥିବା ଟଙ୍କା ମିଳିବା ଆଶା ଛାଡ଼ିଦେଇଥିଲେ ଯୁବକ। ଟଙ୍କା ପଛରେ ଅଣନିଶ୍ବାସୀ ହୋଇ ଧାଉଁଥିବା ସହରୀ ମଣିଷ ହାତରୁ ଟଙ୍କା ଫେରିବ ବୋଲି ସେ ଆଶା କରିପାରି ନଥିଲେ। ମାତ୍ର ପରେ ସେ ବୁଝିଲେ ଯେ ମଣିଷପଣିଆ ସବୁଠି ରହିଛି, ପୂରାପୂରି ହଜିଯାଇନି। କାରଣ ରାସ୍ତାରୁ ଟଙ୍କା ବ୍ୟାଗ୍ ପାଇଥିବା ଜଣେ ଗରିବ ଅଟୋଚାଳକ ତାଙ୍କ ଟଙ୍କା ଫେରାଇଦେଲେ। କେବଳ ଟଙ୍କା ହଜାଇଥିବା ଯୁବକ ନୁହନ୍ତି, ଘଟଣା ଜାଣିବାକୁ ପାଇଥିବା ସମସ୍ତେ ଅଟୋଚାଳକଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଟଙ୍କା ଫେରି ପାଇଥିବା ଯୁବକ ବି ଅଟୋଚାଳକଙ୍କ ଭିତରେ ଭଗବାନଙ୍କୁ ଦେଖୁଛନ୍ତି ବୋଲି କହିଛନ୍ତି।
ଛାତ ପାଇଁ ଭଉଣୀ ଦେଇଥିବା ଲକ୍ଷେ ଟଙ୍କା ହଜାଇଥିଲା ଭାଇ, ଫେରାଇଲେ ଅଟୋଚାଳକ
ଘଟଣାଟି ଥିଲା ଏମିତି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନୂଆପଲ୍ଲୀ ଅଞ୍ଚଳର ସୁବୋଧ ବରାଳ ଗାଁରେ ଘର ତୋଳୁଛନ୍ତି। ଛାତ ପକାଇବା ଲାଗି ଭଉଣୀକୁ ଲକ୍ଷେ ଟଙ୍କା ମାଗିଥିଲେ ଏବଂ ଆଜି ଭଉଣୀଠାରୁ ଟଙ୍କା ନେଇ ଗାଁକୁ ଯାଉଥିଲେ। କିନ୍ତୁ ଅସାବଧାନତାବଶତଃ ଟଙ୍କା ବ୍ୟାଗ୍ଟି ବାଟରେ ହଜିଯାଇଥିଲା। ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ସେପଟେ ପ୍ରଶାନ୍ତିବିହାରରେ ରହି ରାଜଧାନୀରେ ଅଟୋ ଚଳାଉଥିବା ଖୋର୍ଦ୍ଧା ରାଜସୁନାଖଳା ଅଞ୍ଚଳର ବାବୁଲା ମାଝୀ ବାଟରୁ ଏହି ଟଙ୍କା ବ୍ୟାଗ୍ ପାଇଥିଲେ। ବ୍ୟାଗ୍ ଭିତରେ ଲକ୍ଷେ ଟଙ୍କାର ୫୦୦ ଟଙ୍କିଆ ୨ ବିଡ଼ା ନୋଟ୍ ଦେଖିଥିଲେ। କିନ୍ତୁ ତାଙ୍କ ମନକୁ ଲୋଭ ଗ୍ରାସ କରିପାରି ନଥିଲା। ଯାହାର ଟଙ୍କା ହଜିଛି, ତା’ ମନ କ’ଣ ହେଉଥିବା ଭାବି ସେ ତୁରନ୍ତ ଚନ୍ଦ୍ରଶେଖରପୁର ଥାନାକୁ ଯାଇଥିଲେ। ସେତେବେଳକୁ ଟଙ୍କା ହଜାଇଥିବା ସୁ ବୋଧ ଅଭିଯୋଗ କରି ଥାନାରୁ ଫେରିଯାଇଥିଲେ। ଥାନାର ପୁଲିସବାବୁମାନେ ଅଟୋଚାଳକ ବାବୁଲାଙ୍କଠାରୁ ଟଙ୍କା ବ୍ୟାଗ୍ ପାଇବା ମାତ୍ରେ ସୁବୋଧଙ୍କୁ ଫୋନ୍ କରି ଥାନାକୁ ଡକାଇଥିଲେ। ଥାନାକୁ ଆସିବା ପରେ ସୁବୋଧ ଟଙ୍କା ବ୍ୟାଗ୍କୁ ଚିହ୍ନିଥିଲେ। ଟଙ୍କା ବ୍ୟାଗ୍ ହାତକୁ ନେବା ପୂର୍ବରୁ ସୁବୋଧ ପ୍ରଥମେ ଅଟୋଚାଳକ ବାବୁଲାଙ୍କୁ କୁଣ୍ଢାଇ କାନ୍ଦିବାରେ ଲାଗିଥିଲେ। ତାଙ୍କ ଆଖିରୁ ଆନନ୍ଦାଶ୍ରୁ ବୋହିବାରେ ଲାଗିଥିଲା। ‘ଭାଇ, ତୁମ ଭିତରେ ମୁଁ ଆଜି ଭଗବାନଙ୍କୁ ଦେଖିପାରୁଛି’ ବୋଲି ସେ ବାଷ୍ପାରୁଦ୍ଧ କଣ୍ଠ ସ୍ବରରେ କହିଥିଲେ। ଚନ୍ଦ୍ରଶେଖରପୁର ଥାନା ପୁଲିସ ମଧ୍ୟ ବାବୁଲାଙ୍କୁ ବହୁ ପ୍ରଶଂସା କରିଥିଲା।