ଭୁବନେଶ୍ବର: ବିଭିନ୍ନ ଜାଲ୍ ୱେବ୍ସାଇଟ୍ରେ ଶସ୍ତାରେ ଇଲେକ୍ଟ୍ରୋନିକ୍ସ ଉପକରଣ ବିକିବାକୁ କହି ଭୂ୍ଆଁ ବୁଲାଉଥିବା ଜଣେ ଯୁବ ଇଂଜିନିୟରକୁ ଗିରଫ କରିଛି ସାଇବାର ଥାନା ପୁଲିସ। ସେ ହେଲା ନୟାଗଡ଼ ରଥଗଡ଼ାସାହି ଅଞ୍ଚଳର ସିଦ୍ଧାର୍ଥ ପାଣିଗ୍ରାହୀ ଓରଫ୍ ସାଗର(୨୫)। ପୁଲିସ ତା’ଠାରୁ ନଗଦ ୧ ଲକ୍ଷ ଟଙ୍କା, ମୋବାଇଲ୍ ଫୋନ୍, ପାସ୍ବୁକ୍ ଆଦି ଜବତ କରିଛି। ସେହିପରି ତା’ ଆକାଉଣ୍ଟରେ ଥିବା ୧ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି।
ସାଗର କମ୍ପ୍ୟୁଟର ସାଇନ୍ସରେ ବି-ଟେକ୍ ପାସ୍ କରିଛି। ତା’ର ବିଭିନ୍ନ ସୋସିଆଲ୍ ମିଡିଆରେ ଫେକ୍ ଆକାଉଣ୍ଟ ଓ ୱେବ୍ସାଇଟ୍ ରହିଛି। କିଛିଦିନ ତଳେ ନିଜକୁ ଏଚ୍ଡିଏଫ୍ସିର ଜଣେ ଅଧିକାରୀ ବୋଲି ପରିଚୟ ଦେଇ ସାଗର ରାଜଧାନୀସ୍ଥିତ ସାଇ ଇଲେକ୍ଟ୍ରୋ ୱାର୍ଲ୍ଡକୁ ଫୋନ୍ କରିଥିଲା।
ବ୍ୟାଙ୍କରେ ସ୍କିମ୍ ଚାଲିଥିବା କହି ଏସି ନେବାକୁ କହିଥିଲା। ପାନାସୋନିକ୍ର ୨୦ଟି ଏସି ନେବାକୁ ସାଇ ମାଲିକ କହିଥିଲେ। ଏଥିପାଇଁ ସେ ଫୋନ୍ ପେ’ ଜରିଆରେ ୨ଲକ୍ଷ ଟଙ୍କା ପଠାଇଥିଲେ। ଟଙ୍କା ପାଇବା ପରେ ଧୂର୍ତ୍ତ ସାଗର ଆଉ ଧରାଛୁଆଁ ଦେଇନଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ସାଇ ସଂସ୍ଥାର ମାଲିକ ସାଇବର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସୂଚନାନୁସାରେ ସାଗର ଜଣେ ପେସାଦାର ଠକ। ଗତ ବର୍ଷ ବି ସାଇବର ଥାନା ପୁଲିସ ତାକୁ ଗିରଫ କରିଥିଲା। ତା’ ନାଁରେ ଖଣ୍ଡଗିରି, ନୂଆପଲ୍ଲୀ ଏବଂ ଚନ୍ଦ୍ରଶେଖରପୁର ଥାନାରେ ଠକେଇ ମାମଲା ରହିଛି।