ଟ୍ରେଡିଂ ଆପ୍‌ ମାୟାଜାଲରେ ଯୁବପିଢ଼ି, ୬ ଲକ୍ଷ ହରାଇଲେ ଦୁଇ ଇଂଜିନିୟରିଂ ଛାତ୍ର

ଚନ୍ଦ୍ରଶେଖରପୁର: ଟ୍ରେଡିଂ ଆପ୍‌ ମାୟାଜାଲରେ ଫସି ୨ଜଣ ଯୁବକ ୬ଲକ୍ଷ ଟଙ୍କା ହରାଇଛନ୍ତି। ସେମାନେ ହେଲେ, ବାରଙ୍ଗ ଅଞ୍ଚଳର ବିଶ୍ବଜିତ୍‌ ସାମଲ (୨୮) ଓ ଇନ୍‌ଫୋସିଟି ଅଞ୍ଚଳର ଜିତୁ ନାୟକ (୨୮)। ଶୈଳଶ୍ରୀ ବିହାରରେ ରହୁଥିବା ଜଣେ ମହିଳା ଟ୍ରେଡିଂ ଆପ୍‌ ଜରିଆରେ କମ୍‌ ଦିନରେ ଅଧିକ ଟଙ୍କା ରୋଜଗାର କରିବାର ଲୋଭ ଦେଖାଇ ତାଙ୍କଠାରୁ ସବୁ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ସେମାନେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ତେବେ ସଂପୃକ୍ତ ମହିଳାଜଣଙ୍କ ଘର ଛାଡ଼ି ଫେରାର୍‌ ହୋଇଯାଇଛନ୍ତି। ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି।

ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ପ୍ରାୟ ୩ ମାସ ତଳେ ଫେସ୍‌ବୁକ୍‌ରେ ଏକ ବିଜ୍ଞାପନ ଦେଖି ବିଶ୍ବଜିତ ଓ ଜିତୁ ଅନ୍‌ଲାଇନ୍‌ ଟ୍ରେଡିଂ ପାଇଁ ମନ ବଳାଇଥିଲେ। ବିଜ୍ଞାପନରେ ଦେଇଥିବା ନମ୍ବରରେ ଯୋଗାଗଯୋଗ କରିବା ପରେ ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ମହିଳାଙ୍କ ସହ ସେମାନଙ୍କର ପରିଚୟ ହୋଇଥିଲା। ମହିଳାଙ୍କ ଡାକରାରେ ଉଭୟ ତାଙ୍କ ଘରେ ପହଞ୍ଚିଥିଲେ। ଏହି ଆପ୍‌ ଜରିଆରେ ଟଙ୍କା ଲଗାଣ କରି ଖୁବ୍‌ କମ୍‌ ସମୟ ମଧ୍ୟରେ ୨୫ରୁ ୩୦ ପ୍ରତିଶତ, ଏପରିକି ବେଳେବେଳେ ମୂଳଧନର ଦୁଇଗୁଣ ଟଙ୍କା ଲାଭ କରିହେବ ବୋଲି ମହିଳାଜଣକ କହିଥି‌ଲେ। ଏଥିପାଇଁ ପ୍ରଥ‌ମେ ତାଙ୍କୁ ଆପ୍‌ରେ ଆକାଉଣ୍ଟ ଖୋଲିବା ପାଇଁ ଜଣକା ୧୦ ହଜାର ଟଙ୍କା ଲାଗିବ ବୋଲି କହିଥିଲେ। ଯୁବକ ଦ୍ବୟ ମଧ୍ୟ ଟଙ୍କା ଦେଇଥିଲେ।

ଅଳ୍ପଅଳ୍ପ ଟଙ୍କା ଲଗାଣ କରି ମୋଟାଅଙ୍କର ଲାଭ ହେବାରୁ ସେମାନେ ଅଧିକ ଅର୍ଥ ଲଗାଇଥିଲେ। ମାତ୍ର ତାହା ଚାଲିଯିବାରୁ ଏଥିରୁ ଓହରିଯିବା ପରିବର୍ତ୍ତେ ଯୁବକଦ୍ବୟ ମହିଳାଙ୍କ କଥାରେ ପଡ଼ି କ୍ଷତି ଟଙ୍କା ଭରଣା କରିବା ପାଇଁ ଆହୁରି ଅର୍ଥ ଲଗାଣ କରିଥିଲେ। ଏପରିକି କଲେଜରେ ନାମଲେଖା ପାଇଁ ଘରୁ ଆଣିଥିବା ୩ଲକ୍ଷ ଲେଖାଏଁ ମୋଟ ୬ଲକ୍ଷ ଟଙ୍କାକୁ ଏଥିରେ ବିନିଯୋଗ କରି ହରାଇଥିଲେ। ପାଖରୁ ଟଙ୍କା ସରିଯିବାରୁ ମହିଳାଜଣଙ୍କ ତାଙ୍କୁ ଆଉ ଘରକୁ ନଆସିବା ପାଇଁ କହିଥିଲେ। ଏନେଇ ଯୁବକଦ୍ବୟଙ୍କ ପରିବାରଲୋକ ଜାଣିବା ପରେ ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର