ଯୁବ ସାମ୍ବାଦିକଙ୍କ ଅକାଳ ବିୟୋଗ : ‘ମନେ ପଡ଼ିବେ ପ୍ରବୀର’

ଭୁବନେଶ୍ୱର: ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା। ଆଜି ସକାଳେ ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲ‌ରେ ଶୋକ ପ୍ରକାଶ ପାଇଛି। ଘରେ ତାଙ୍କର ବିଧବା ପତ୍ନୀ ଓ ୨ବର୍ଷର ଏକ ଝିଅ ଅଛି। ନିକଟ ଅତୀତରେ ତାଙ୍କ ବାପା ମଧ୍ୟ କରୋନାରେ ପ୍ରାଣ ହରାଇଥିଲେ।ସୂଚନାନୁଯାୟୀ, ୬ ଦିନ ତଳେ ପ୍ରବୀର ଅସୁସ୍ଥ ଅନୁଭବ କରିବାରୁ କରୋନା ପରୀକ୍ଷା କରାଇଥିଲେ। ରିପୋର୍ଟ ପିଜିଟିଭ ଆସିବାରୁ ସେ ଗୃହ ସଙ୍ଗରୋଧରେ ରହିଥିଲେ। କିନ୍ତୁ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନ୍ନତି ହେବାରୁ ତାଙ୍କୁ ଏକ ଘରୋଇ କୋଭିଡ୍‌ ହସପିଟାଲରେ ଭର୍ତି କରାଯାଇଥିଲା। ଗତକାଲି ନିଶ୍ବାସ ନେବାରେ ତାଙ୍କର ସମସ୍ୟା ହୋଇଥିଲା। ଏଣୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅପରାହ୍‌ଣରେ ସତ୍ୟନଗର ମଶାଣିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସେଠାରେ ବହୁ ସାମ୍ବାଦିକ, ପୁଲିସ ଓ ରାଜନେତା ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପ୍ରବୀରଙ୍କ ବିୟୋଗରେ ପୁଲିସ ସେବା ଭବନ ପରିସରରେ କମିସନରେଟ୍‌ ପୁଲିସ ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯିବା ସହ ସମ‌ବେଦନା ଜ୍ଞାପନ କରାଯାଇଥିଲା। ପୁଲିସ୍‌ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ। ପୁଲିସ କମିସନର୍‌ ଶ୍ରୀ ଷଡ଼ଙ୍ଗୀ କହିଥିଲେ, ତାଙ୍କ ଭଳି ଜଣେ ନିର୍ଭୀକ ସାମ୍ବାଦିକଙ୍କ ଏଭଳି ଅକାଳ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ପ୍ରବୀର ସବୁବେଳେ ମନେ ପଡ଼ିବେ। ମହାପ୍ରଭୁ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ବୋଲି ସେ କହିଥିଲେ।ସେହିପରି ସନ୍ଧ୍ୟାରେ ଜୟଦେବ ଭବନ ସମ୍ମୁଖରେ କାର୍ଯ୍ୟରତ ସାମ୍ବାଦିକମାନେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏ ନେଇ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପ୍ରବୀରଙ୍କ ସହ ଥିବା ଅନୁଭୁତି ବର୍ଣ୍ଣନା କରିଥିଲେ। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମଧ୍ୟ ପ୍ରବୀରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ସେହିପରି କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ପଟିଆସ୍ଥିତ ସଂଘ କାର୍ଯ୍ୟାଳୟରେ ମଧ୍ୟ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ସଭାରେ ସାମ୍ବାଦିକ ବିଦ୍ୟାଧର ବାରିକ, ସ୍ମରଜିତ୍ ଆର୍ଯ୍ୟ, ସୁକାନ୍ତ ରାଉତ, ଗୌରୀପ୍ରସାଦ ମହାନ୍ତି ଓ ଅନ୍ୟ କାର୍ଯ୍ୟରତ ସାମ୍ବାଦିକମାନେ ଉପସ୍ଥିତ ରହି ଶୋକବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର

Comments are closed.