ବାଲିପାଟଣା: ‘ହାଲୋ, ବିରଞ୍ଚି ନାରାୟଣ ବେହେରାଙ୍କ ସମ୍ପର୍କୀୟ କହୁଛନ୍ତି କି?’ ‘ ଆଜ୍ଞା, ମୁଁ ନିଜେ ବିରଞ୍ଚି କହୁଛି।’ ‘ବିରଞ୍ଚି କହୁଛନ୍ତି! ଆଜ୍ଞା, ମୁଁ ପଞ୍ଚାୟତ କାର୍ଯ୍ୟାଳୟରୁ କହୁଛି, ବ୍ଲକ୍ରୁ ଜରୁରୀ ଖବର ଆସିଛି, ବିରଞ୍ଚିଙ୍କ ସମ୍ପର୍କୀୟଙ୍କୁ ଜଣାଇବାକୁ ପଡ଼ିବ।’ ‘ମୋତେ କହିଲେ ହବନି? ମୁଁ ତ ନିଜେ ବିରଞ୍ଚି କହୁଛି।’ ‘ଆଜ୍ଞା, ଆପଣ କାହିଁକି ମୋ ସହ ଖେଳୁଛନ୍ତି? ବିରଞ୍ଚି ପରା ଜୁନ୍ ମାସରୁ କୋଭିଡ୍ରେ ମରି ସାରିଛନ୍ତି। ବ୍ଲକ୍ରୁ ତାଲିକା ଆସିଛି, ଆପଣ ଅଯଥାରେ ମୋ ସହ ଖେଳୁଛନ୍ତି। ଯଦି ଭୁଲ୍ ନମ୍ବର ଲାଗିଛି, କୁହନ୍ତୁ!’
‘ଆରେ ଭାଇ କି କଥା ଇଏ! ମୁଁ ବଞ୍ଚିଛି, ମୋତେ ମାରିସାରିଲଣି!’ ଏହା କୌଣସି ନାଟକର ସଂଳାପ ନୁହେଁ। ଏମିତି ଥିଲା ବାଲିପାଟଣା ବ୍ଲକ୍ ପମ୍ପାଲୋ ପଞ୍ଚାୟତର କର୍ମଚାରୀ ଓ କୁଳିନ୍ତିରା ଗାଁର ବିରଞ୍ଚି ନାରାୟଣ ବେହେରାଙ୍କ ମଧ୍ୟରେ ଫୋନ୍ ଯୋଗେ ବାର୍ତ୍ତାଳପ। ଘଟଣାଟି ଏବେ ସମଗ୍ର ବାଲିପାଟଣାରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଜୀବିତ ବ୍ୟକ୍ତିଙ୍କୁ ଜିଲ୍ଲା ପ୍ରଶାସନ ମୃତ ଘୋଷଣା କରିଥିବା ଏହି ଘଟଣାକୁ ନେଇ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଘଟଣାଟି ଥିଲା ଏମିତି: ଗତକାଲି ବିରଞ୍ଚିଙ୍କୁ ଏମିତି ଫୋନ୍ କରିଥିଲେ ତାଙ୍କ ପଞ୍ଚାୟତର ଜଣେ କର୍ମଚାରୀ। ବଞ୍ଚି ଥାଉଥାଉ ନିଜର ମୃତ୍ୟୁ ଖବର ଶୁଣି ଚକିତ ହୋଇଯାଇଥିଲେ ବିରଞ୍ଚି। ତୁରନ୍ତ ପଞ୍ଚାୟତରେ ପହଞ୍ଚି ଘଟଣା ବାବଦରେ ବୁଝିଥିଲେ। ସତକୁ ସତ ବାଲିପାଟଣା ବ୍ଲକ୍ରେ ହୋଇଥିବା ୫୨ଜଣ କୋଭିଡ୍ ମୃତକଙ୍କ ଭିତରେ ତାଙ୍କ ନାଁ ଥିଲା। ସଙ୍ଗେସଙ୍ଗେ ଏହି ଖବର ବିଡିଓ ଓ ତହସିଲଦାରଙ୍କୁ ଜଣାଇ ଦିଆଯାଇଥିଲା। ଭୁଲ୍ବଶତଃ ଏମିତି ହୋଇଯାଇଛି ବୋଲି ସେମାନେ ଦୁଃଖପ୍ରକାଶ କରିଥିଲେ। ତେବେ ଏତେ ବଡ଼ ଭୁଲ୍ କେମିତି ହେଲା ବୋଲି କେହି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ।
ସୂଚନାଯୋଗ୍ୟ, ବିରଞ୍ଚି ଗତ ମେ’ ୧୮ରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାବ୍ ଟେଷ୍ଟ କରାଇଥିଲେ। ୨୦ତାରିଖ ଦିନ ରିପୋର୍ଟ ପଜିଟିଭ୍ ଆସିଥିଲା ଓ ସେ ଗୃହ ସଙ୍ଗରୋଧରେ ରହିଥିଲେ। ସ୍ୱାସ୍ଥ୍ୟକର୍ମୀ ଓ ବାଲିପାଟଣା ମେଡିକାଲ୍ ଟିମ୍ଙ୍କ ତତ୍ତ୍ବାବଧାନରେ ରହି ସେ କିଛି ଦିନ ପରେ ସୁସ୍ଥ ହୋଇଥିଲେ। କିନ୍ତୁ ତାଲିକା ଅନୁସାରେ ଜୁନ୍ ୧୫ରେ ତାଙ୍କ ମୃତ୍ୟୁ ଘଟିଥିଲା।