ଘରେ ପଶି ଡାକ୍ତରାଣୀଙ୍କୁ ପ୍ରେମ ନିବେଦନ; ଯୁବକ ଗିରଫ

ୟୁଟ୍ୟୁବ୍ ଭିଡିଓ କରିବା ବାହାନାରେ ଡାକ୍ତରାଣୀଙ୍କୁ ହଇରାଣ କରୁଥିଲା

ଭୁବନେଶ୍ବର : ୟୁଟ୍ୟୁବ୍‌ରେ ସଚେତନତା ଭିଡିଓ କରିବା ବାହାନାରେ ଜଣେ ଡାକ୍ତରାଣୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ତାଙ୍କ ଘରେ ପଶି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଜଣେ ଯୁବକକୁ ନୂଆପଲ୍ଲୀ ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଉଛି, ଗଂଜାମ ଗୋଳନ୍ଥରାର ଭବାନୀ ଶଙ୍କର ପାଣିଗ୍ରାହୀ(୩୨)।

ଅଭିଯୋଗ ଅନୁଯାୟୀ ପ୍ରାୟ ୬ମାସ ତଳେ ନିଜକୁ ଏକ ୟୁଟ୍ୟୁବ୍ ଚ୍ୟାନେଲ୍‌ର ନିର୍ଦ୍ଦେଶକ ବୋଲି କହି ଭବାନୀ ନୂଆପଲ୍ଲୀ ଅ଼ଞ୍ଚଳରେ ରହୁଥିବା ଏହି ଡାକ୍ତରାଣୀଙ୍କ ସହ ପରିଚିତ ହୋଇଥିଲା। ଏବେ କରୋନା ଚାଲିଥିବାରୁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସେ ତାଙ୍କର ଏକ ଭିଡିଓ କରିବାକୁ ପ୍ରସ୍ତାବ ଦେଇଥିଲା। ମାତ୍ର ଡାକ୍ତରାଣୀ ଜଣକ ଏଥିପାଇଁ ମନା କରିବାରୁ ସେ ବାରମ୍ବାର ଫୋନ୍ କରି ତ‌ାଙ୍କୁ ହଇରାଣ କରୁଥିଲା। ଶେଷରେ ଘର ଲୋକଙ୍କୁ ଜଣାଇ ଡାକ୍ତରାଣୀ ତାଙ୍କୁ ଭିଡିଓ ଦେବାକୁ ରାଜି ହେବା ପରେ ତାଙ୍କ ଘରେ ହାଜର ହୋଇଥିଲେ ଭବାନୀ। ଆଉ ଭିଡିଓ ତିଆରି କରିବ କଣ; ଡାକ୍ତରାଣୀଙ୍କୁ ପ୍ରେମ ନିବେଦନ କରିଥିଲା।

ଡାକ୍ତରାଣୀ ଜଣକ ଏହାକୁ ପ୍ରତ୍ୟାଖ୍ୟାନ କଲେ ମଧ୍ୟ ସେ ବାରମ୍ବାର ଏମିତି କରି ଆସୁଥିଲା। ଶେଷରେ ଗତକାଲି ଭବାନୀ ପୁଣିଥରେ ଡାକ୍ତରାଣୀଙ୍କ ଘରକୁ ଭି଼ଡିଓ କରିବା ବାହାନାରେ ଆସି ପ୍ରେମ ନିବେଦନ କରିବାରୁ ‌ସେ ପୁଲିସକୁ ଡାକି ଅଭିଯୋଗ କରିଥିଲେ। ପୁଲିସ କହିବାନୁଯାୟୀ, ଭବାନୀ ବଡ଼ଗଡ଼ କେନାଲ୍ ରୋଡ୍‌ରେ ରହେ। ସେ ଦୀର୍ଘ ଦିନ ହେବ ଏହି ଡାକ୍ତରାଣୀଙ୍କୁ ବିବାହ କରିବା ଉଦ୍ଦେଶ୍ୟରେ ଏଭଳି କାଣ୍ଡ କରୁଥିବା ସ୍ବୀକାର କରିଛି। ଏହା ପରେ ପୁଲିସ୍ ତାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର