୬୧ହଜାର ଟଙ୍କା ଠକି ଯୁବକ ଗିରଫ

ଭୁବନେଶ୍ବର : ବନ୍ଧୁର କାଠ ଦୋକାନରୁ ପ୍ଲାଏ ବିକିବା ପରେ ଟଙ୍କା ଚଳୁ କରିବା ଅଭିଯୋଗରେ ଖଣ୍ଡଗିରି ପୁଲିସ ଆଜି ଜଣେ ଯୁବକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ସାମନ୍ତରାପୁର ଶ୍ରୀରାମନଗରର ମନୋଜ କୁମାର ପ୍ରଧାନ(୩୪)। ଅଭିଯୋଗକାରୀ ଦୁର୍ଗାମାଧବ ସାହୁଙ୍କ କହିବାନୁଯାୟୀ, ମନୋଜ ୨୦୨୦ ଅକ୍ଟୋବରରେ ସଂଜୀବ କୁମାର ଦାସଙ୍କ କାଠ ଦୋକାନରୁ ପ୍ରାୟ ଅଢ଼େଇଲକ୍ଷ ଟଙ୍କାର କାଠ ବିକ୍ରି କରିଥିଲେ। ମାତ୍ର ଟଙ୍କା ନ ଦେଇ ସଂଜୀବଙ୍କୁ ଠକୁଥିଲେ। ଏନେଇ ସଂଜୀବ ଦୁର୍ଗାଙ୍କୁ କହିବା ପରେ ମନୋଜ ତାଙ୍କୁ ଲକ୍ଷେ ୭୦ ହଜାର ଟଙ୍କା ଫେରସ୍ତ କରିଥିଲେ। ଆଗାମୀ ମାସେ ମଧ୍ୟରେ ବାକି ଥିବା ପ୍ରାୟ ୬୧ ହଜାର ଟଙ୍କା ଶୁଝିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ୫ରୁ ୬ମାସ ବିତିଥିଲେ ହେଲେ ହେଁ ମନୋଜ ଟଙ୍କା ଦେବା ବଦଳରେ ଗଣ୍ଡଗୋଳ କରିଥିଲେ। ଯିଏ ଟଙ୍କା ମାଗୁଥିଲା ସମସ୍ତଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାରିବାକୁ ଧମକ ଚମକ ଦେଉଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମନୋଜକୁ ଗିରଫ କରିଛି।

ନିଶାଗ୍ରସ୍ତ ଅବସ୍ଥାରେ ଯୁବକଙ୍କୁ ମାଡ଼ ମାରି ଜଣେ ଅଟକ
ଭୁବନେଶ୍ବର : ରବିବାର ଜଣେ ଯୁବକ ନିଶାଗ୍ରସ୍ତ ଅବସ୍ଥାରେ ଅନ୍ୟ ଜଣେ ଯୁବକଙ୍କୁ ମାଡ଼ ମାରିବା ସହିତ ଟଙ୍କା ମାଗିବା ଅଭିଯୋଗରେ ତମାଣ୍ଡୋ ପୁଲିସ ଜଣେ ଯୁବକକୁ ଅଟକ ରଖିଛି। ଅଟକ ଯୁବକ ହେଉଛି ତମାଣ୍ଡୋ ଅଞ୍ଚଳର ଅରୁପ୍ରସାଦ ବଳ। ଅଭିଯୋଗକାରୀ ବଂଶୀଧର ବେହେରାଙ୍କ କହିବାନୁଯାୟୀ ସେ ଆଜି ପୋଖରୀ ବାଟ ଦେଇ ତାଙ୍କ ବିଲକୁ ଯାଉଥିବା ବେଳେ ଅରୁ ତାଙ୍କୁ ଅଟକାଇ ମାଡ଼ ମାରିଥିଲା। ଏପରିକି ମଦ ପିଇବାକୁ କିଛି ଟଙ୍କା ମାଗିଥିଲା। ବଂଶୀଧର ଏହାକୁ ବିରୋଧ କରି ଥାନାରେ ଅଭିଯୋଗ କରିବା ପରେ ତମାଣ଼୍ଡୋ ପୁଲିସ ଅରୁକୁ ଥାନାରେ ଅଟକ ରଖିଛି।

ପ୍ରେମ ପାଇଁ ପତ୍ନୀଙ୍କୁ ହତ୍ୟା ଉଦ୍ୟମ, ସ୍ବାମୀ ଗିରଫ
ଭୁବନେଶ୍ବର : ପୂର୍ବରୁ ଜଣକ ସହ ପ୍ରେମ ସମ୍ପର୍କ। ପରେ ଆଉ ଜଣକୁ ବିବାହ। ସ୍ତ୍ରୀ ପୂର୍ବ ସମ୍ପର୍କ ବିଷୟରେ ଜାଣି ପ୍ରତିବାଦ କରିବାରୁ ନୃଶଂସ ସ୍ବାମୀ ସ୍ତ୍ରୀଙ୍କୁ ନିର୍ଯାତନା ଦେବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଛି। ଏନେଇ ସ୍ତ୍ରୀ ଥାନାର ଦ୍ବାରସ୍ଥ ହୋଇ ଅଭିଯୋଗ କରିବାରୁ ସ୍ୱାମୀକୁ ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲା ସ୍ଥନୀୟ ଥାନା ଗାଡ଼କଣ ଗ୍ରାମର ଶୀବେନ୍ଦ୍ର ବେହେରା(୩୫)। ଜାମିନ୍ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ ସୂଚନା ଅନୁଯାୟୀ, ଶୀବେନ୍ଦ୍ର ୨ ବର୍ଷ ତଳେ ଚନ୍ଦକା ଥାନା କୁଜିମଲ୍ଲ ଗ୍ରାମର ଜଣେ ଯୁବତୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତେବେ ପୂର୍ବରୁ ଆଉ ଜଣେ ଯୁବତୀଙ୍କ ସହ ତାଙ୍କର ସମ୍ପର୍କ ଅଛି ଓ ତାଙ୍କର ଏକ ପୁଅ ମଧ୍ୟ ଅଛି ବୋଲି ବିବାହ ପରେ ତାଙ୍କ ସ୍ତ୍ରୀ ଜାଣିବାକୁ ପାଇଥିଲେ। ଏହାକୁ ନେଇ ଉଭୟ ପତି-ପତ୍ନୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା। ଗତ ଜୁନ ୨୮ ରାତିରେ ଶୀବେନ୍ଦ୍ର ମଦ୍ୟପାନ କରି ସ୍ତ୍ରୀଙ୍କୁ ଆକ୍ରମଣ କରି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲା। ଏନେଇ ତାଙ୍କ ସ୍ତ୍ରୀଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର