ମହିଳାଙ୍କୁ କମେଣ୍ଟ ମାରି ଚପଲରେ ଛେଚା ଖାଇଲେ ଯୁବକ

ବାଲିଅନ୍ତା: ଜଣେ ମହିଳାଙ୍କୁ କମେଣ୍ଟ ମାରି ତାଙ୍କ ହାତରୁ ଚପଲରେ ଛେଚା ଖାଇବା ଘଟଣା ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ବାଳକାଟି ଫାଣ୍ଡି ଅଧୀନ ସରକଣା ବଜାରରେ ଏହି ଘଟଣା ଘଟିଛି । ଏନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ବାଳକାଟି ପିସିଆର ପୁଲିସ ଯୁବକଙ୍କୁ ଥାନାକୁ ନେଇଯାଇଥିଲା । ପରେ ଅଭିଯୁକ୍ତ ଯୁବକ ଫାଣ୍ଡିରେ ମହିଳାଙ୍କୁ ଭୁଲ ମାଗିବା ସହ ପୁଲିସ ଉପସ୍ଥିତିରେ ଘଟଣାର ଆପୋଷ ସମାଧାନ ହୋଇଥିବା ଜଣାପଡ଼ିଛି ।

ଏନେଇ ମହିଳା ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ସରକଣା ବଜାର ସାହିର ଚୋରାମଦ ବ୍ୟବସାୟରେ ଲିପ୍ତ ଥିବା ପଡ଼ୋଶୀ ବିବାହିତ ଯୁବକ ଅଧିକାଂଶ ସମୟରେ ମହିଳାଙ୍କୁ କମେଣ୍ଟ ମାରି ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି । ଏମିତିକି ଥାନାରେ ଅଭିଯୋଗ କଲେ ତାଙ୍କୁ ସବୁଦିନ ପାଇଁ ହଟାଇ ଦେବାକୁ ସେ ଧମକ ଦେଇଥିବା ମହିଳା ଏତଲାରେ ଦର୍ଶାଇଛନ୍ତି ।  ଆଜି ସେ ଗାଁ ବଜାରରେ ମହିଳାଙ୍କୁ ପାଖରେ ରଖିବା ପାଇଁ କହି କମେଣ୍ଟ ମାରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ମହିଳା ତାଙ୍କୁ ଚପଲରେ ମାଡ଼ ମାରିଥିବା ଆଲୋଚନା ହେଉଛି ।

ସମ୍ବନ୍ଧିତ ଖବର