ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ

ବାଲିପାଟଣା: ବାଲିପାଟଣା ଥାନା ଗୋଲାମହମ୍ମଦ ପାଟଣା ଗ୍ରାମର ଶରତ ସାହୁଙ୍କ ପୁଅ ମନୋରଞ୍ଜନ ସାହୁ ଓରଫ ମୁନୁ (୩୦) ଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ , ବନମାଳିପୁର ଫାଣ୍ଡି ନିକଟ ହାଟରେ ଶରତ ସାହୁଙ୍କ ମିଷ୍ଠାନ୍ନ ଭଣ୍ଡାର ଅଛି। ପାରିବାରିକ ବିବାଦ ଯୋଗୁଁ ମୁନୁ ପ୍ରାୟ ସମୟ ସେଠାରେ ରହନ୍ତି । ଗତକାଲି ରାତିରେ ମୁନୁ ଦୋକାନରେ ଶୋଇଥିଲେ। ଭୋର ପ୍ରାୟ ୪ ଟାରେ ଜଣେ ସମ୍ପର୍କୀୟ ତାଙ୍କୁ ଗୁରୁତର ଅବସ୍ଥାରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଦାୟିତ୍ୱରେ ଥିବା ଡାକ୍ତର ରତିରଞ୍ଜନ ସ୍ୱାଇଁ ଚିକିତ୍ସା କରିଥିଲେ।

ଏହାପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା। ସେଠାରେ ପହଞ୍ଚିବା ପୂର୍ବରୁ ମୁନୁଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ମୁନୁଙ୍କ ବେକରେ ଦାଗ ରହିଥିବା ଶୁଣିବାକୁ ମିଳିଛି। ଏନେଇ ପୁଲିସ ତଦନ୍ତ କଲେ ମୁନୁଙ୍କର ମୃତ୍ୟୁ କିଭଳି ହୋଇଛି, ତାହା ଜଣାପଡ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର