ଭୁବନେଶ୍ବର : ରସୁଲଗଡ଼ ଛକରେ ଜଣେ ଟ୍ରଲି ଚାଳକଙ୍କୁ ଆକ୍ରମଣ କରି ଟଙ୍କା ଓ ଟ୍ରଲି ନେଇଯିବା ଅଭିଯୋଗରେ ମଞ୍ଚ‌େଶ୍ବର ଥାନା ପୁଲିସ ରସୁଲଗଡ଼ ପାଲା ମଣ୍ଡପ ଅଞ୍ଚଳର ରବି ସାହୁ(୩୦)କୁ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ରବିକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇଦିଆଯାଇଛି। ସୂଚନାନୁସାରେ ଅନନ୍ତ ମହାକୁଡ଼ ଜଣେ ଟ୍ରଲି ଚାଳକ। ସେ ନିୟମିତ ପରିବା ନେଇ ରସୁଲଗଡ଼ କୋଚିଲାଖାଇ ହାଟକୁ ଯାଆନ୍ତି। ଘଟଣାଦିନ ସେ ହାଟରୁ ଟ୍ରଲି ଧରି ଘରକୁ ଫେରିବା ସମୟରେ ରସୁଲଗଡ଼ ଗୋଲେଇ ଛକରେ ଅଭିଯୁକ୍ତ ରବି ତାଙ୍କୁ ଅଟକାଇ ଏକ ପଥରରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଅନନ୍ତ ତଳେ ପଡ଼ିଯିବା ପରେ ରବି ତାଙ୍କ ପାଖରେ ଥିବା ୧୪୦୦ଟଙ୍କା ଏବଂ ଟ୍ରଲି ନେଇ ଫେରାର୍‌ ହୋଇଯାଇଥିଲା। ଅନନ୍ତଙ୍କ ଅଭିଯୋଗ ଆଧାରରେ ମଞ୍ଚେଶ୍ଵର ଥାନା ପୁଲିସ ରବିକୁ ଗିରଫ କରିବା ସହିତ ତା’ ନିକଟରୁ ଟ୍ରଲି ଓ ଟଙ୍କା ଜବତ କରିଛି।

Advertisment

ଦାଦାବଟି ମାଗି ଜେଲ୍‌ରେ ଯୁବକ

ଭୁବନେଶ୍ବର : ଜଣେ ହୋଟେଲ ମାଲିକଙ୍କୁ ଦାଦାବଟି ମାଗିବା ସହ ଦୋକାନରେ ଭଙ୍ଗାରୁଜା କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଫାଳିକିଆ ବସ୍ତିର ସୀମାଞ୍ଚଳ କୁଞ୍ଜ(୨୭)କୁ ଗିରଫ କରିଛି। ପୁଲିସ ସୂଚନାନୁସାରେ ଫେବ୍ରୁଆରି ୧୧ ତାରିଖ ଦିନ ଅଭିଯୁକ୍ତ ସିମାଞ୍ଚଳ ଏବଂ ତା’ର ସହଯୋଗୀ ପ୍ରଭାକର ଦାସଙ୍କ ହୋଟଲକୁ ଆସି ଦାଦାବଟି ମାଗି ଭଙ୍ଗାରୁଜା କରିଥିଲା।

ଟ୍ରାଭେଲ୍‌ସ ସଂସ୍ଥାରୁ ଲୁଟି ବନ୍ଧାହେଲା

ଭୁବନେଶ୍ବର : ଏକ ଟ୍ରାଭେଲ୍‌ସ ସଂସ୍ଥାରେ ପଶି ମାଲିକଙ୍କଠାରୁ ଟଙ୍କା ଓ ସୁନାଗହଣା ଆଦି ଲୁଟ୍‌ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଫାଳିକିଆ ବସ୍ତିର ସନିଆ କୁଞ୍ଜ(୨୫)କୁ ଗିରଫ କରିଛି। ପୁଲିସ ସୂଚନାନୁସାରେ ଜାନୁଆରି ୧୪ ତାରିଖ ଦିନ ସନିଆ ଓ ତା’ର ଦୁଇ ସହଯୋଗୀ ଅଚାନକ ମାନସ କୁମାର ପ୍ରଧାନଙ୍କ ଅଶୋକନଗରସ୍ଥିତ ଟ୍ରାଭେଲ୍ସ ସଂସ୍ଥାକୁ ପଶିଥିଲେ। ସେମାନେ ମାନସଙ୍କୁ ମାଡ଼ ମାରି ତାଙ୍କଠାରୁ ୨୩ ହଜାର ଟଙ୍କା, ଦୁଇଟି ସୁନା ଚେନ୍‌, ଦୁଇଟି ସୁନା ମୁଦି ଏବଂ ଏକ ଦାମୀ ମୋବାଇଲ ଫୋନ ଲୁଟି ନେଇପଳାଇଥିଲେ। ସେହିଦିନରୁ ସନିଆ ଫେରାର୍ ହୋଇଯାଇଥିଲା। ଧରାପଡ଼ିବା ପରେ ପୁଲିସ ତା’ ନିକଟରୁ ଫୋନ୍‌, ଚେନ୍‌ ଓ ମୁଦି ଜବତ କରିଛି।