ଦୟାବ୍ରିଜ୍‌ରୁ ଡେଇଁ ପଡ଼ିଲେ ଯୁବକ, ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର

ଧଉଳି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଧଉଳି ଥାନା ଅଧୀନ ଦୟାନଦୀ ବ୍ରିଜ୍‌ରୁ ଜଣେ ଯୁବକ ତଳକୁ ଡେଇଁ ପଡ଼ିବା ଘଟଣା ଆଜି ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଆହତ ଯୁବକଜଣଙ୍କ ହେଲେ ମୟୂରଭଂଜ ଜିଲ୍ଲା ଯଶିପୁର ଥାନା ଅଧୀନ ମଣଦା ଗ୍ରାମର ଦେବେନ୍ଦ୍ର ଟିୟୁ (୩୦)। ଦେବେନ୍ଦ୍ରଙ୍କ ଗୋଡ଼, ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେବାରୁ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ଧଉଳି ଥାନା ପୁଲିସ୍‌ ତାଙ୍କୁ ଉଦ୍ଧାର କରିବା ସହ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଛି। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ସହ ତାଙ୍କ ଚେତା ଫେରିଥିବା ସୂଚନା ମିଳିଛି।

ପୁଲିସ୍‌ ସୂଚନା ମୁତାବକ, ପତ୍ନୀ, ପିଲାଙ୍କ ସହ ଦେବେନ୍ଦ୍ର ମୟୂରଭଂଜରୁ ଏକ ଘରୋଇ ବସ୍‌ରେ ୫୫ ଜଣଙ୍କ ସହ ପୁରୀ, କୋଣାର୍କ ଓ ଧଉଳି ବୁଲିବାକୁ ଆସିଥିଲେ। ଶନିବାର ସକାଳେ ସେମାନେ ଧଉଳି ବୁଲି ସାରି ଭୁବନେଶ୍ବର ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା‌ରେ ବସ୍‌ଟି ଦୟାବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ଦେବେନ୍ଦ୍ର ପରିସ୍ରା ଯିବାକୁ କହି ଓହ୍ଲାଇଥିଲେ। କିନ୍ତୁ ପରିସ୍ରା କରିବା ପରିବର୍ତ୍ତେ ହଠାତ ବ୍ରିଜ୍‌ ବାଡ଼ା ଉପରେ ଚଢ଼ି ତଳକୁ ଡେଇଁ ପଡ଼ିଥିଲେ। ବସ୍‌ ଭିତରେ ଥିବା ଯାତ୍ରୀମାନେ ଏହା ଦେଖି ଚିତ୍କାର କରିଥିଲେ। ପାଟି ଶୁଣି ରାସ୍ତାରେ ଯିବା ଆସିବା କରୁଥିବା ଯାତ୍ରୀମାନଙ୍କର ବ୍ରିଜ୍‌ ଉପରେ ଭିଡ଼ ଜମି ଯାଇଥିଲା। ଧଉଳି ପୁଲିସ ଦେବେନ୍ଦ୍ରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ଦେବେନ୍ଦ୍ର ଆତ୍ମହତ୍ୟା ଉଦ୍ୟମ କରିଥିବା ଲୋକମାନେ ଭାବିଥିଲେ। କିନ୍ତୁ ପୁଲିସ ତାଙ୍କ ପରିବାର ଓ ଗ୍ରାମବାସୀମାନଙ୍କୁ ପଚରାଉଚରା କରି ଜାଣିବାକୁ ପାଇଥିଲା ଯେ ଦେବେନ୍ଦ୍ରଙ୍କର ସାମାନ୍ୟ ମାନସିକ ବିକୃତି ରହିଛି। ମଝିରେ ମଝିରେ ମୁଣ୍ଡରୋଗ ବାହାରିବା ବେଳେ ସେ ପାଗଳ ଭଳି ଆଚରଣ କରିଥା’ନ୍ତି। ଆଜି ବସ୍‌ରେ ଥିବା ବେଳେ ରୋଗ ବାହାରିବାରୁ ସେ ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର