କାଠଫାଳିଆରେ ପିଟି ସାଙ୍ଗକୁ ମାରିଦେଲା

ଚନ୍ଦ୍ରଶେଖରପୁର : ବୁଧବାର ବିଳମ୍ବିତ ରାତିରେ ଏକ ସାଙ୍ଗସାଥୀ ଭୋଜିରେ ଘଟିଥିବା ଗଣ୍ଡଗୋଳରେ ଆହତ ହୋଇଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ଗଞ୍ଜାମ ଅନାଥ ସେଠୀ(୪୫)। ଗୁରୁବାର ଦିନ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ଭୋଜିରେ ସାମିଲ୍‌ ହୋଇଥିବା ସୁରେନ୍ଦ୍ର ଦାସର କାଠଫାଳିଆ ମାଡ଼ରେ ଅନାଥଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେବା ପରେ ପୁଲିସ ତାକୁ ଅଟକ ରଖିଛି। ଆଜି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା‌ ଦେଇଛି। ମଦ ନିଶାରେ ଚୁର୍‌ ଥିବା ବେଳେ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ସୂଚନାନୁସାରେ ଅଭିଯୁକ୍ତ ସୁରେନ୍ଦ୍ର ଓ ମୃତ ଅନାଥ ଗଞ୍ଜାମ ଜିଲ୍ଲାର ଗୋଟିଏ ଗାଁର ବାସିନ୍ଦା। ଦୁଇ ଗରିବ ଘରର ଯୁବକ କାମ କରି ପେଟ ପୋଷିବା ପାଇଁ ରାଜଧାନୀକୁ ସାଙ୍ଗ ହୋଇ ଆସିଥିଲେ। ଏଠାରେ ଜଣେ ଠିକାଦାର ନିକଟରେ ରହି ସେମାନେ ଏକ ଘରୋଇ ଶିକ୍ଷାନୁଷ୍ଠାନର ନିର୍ମାଣାଧୀନ କୋଠ‌ାରେ କାମ କରୁଥିଲେ। ଗତକାଲି ସାଧାରଣତନ୍ତ୍ର ଦିବସ ପାଇଁ କାମ ବନ୍ଦ ଥିଲା। ତେଣୁ ଅନ୍ୟ ଶ୍ରମିକମାନଙ୍କ ସହ ମିଶି ରାତିରେ ଭୋଜି କରିବାକୁ ସେମାନେ ଯୋଜନା କରିଥିଲେ। ଭୋଜିଭାତ ଚାଲିଥିବା ବେଳେ ଅଚାନକ ସୁରେନ୍ଦ୍ର ଓ ଅନାଥଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା। ମଦ ନିଶାରେ ଚୁର୍‌ ଥିବା‌ ସୁରେନ୍ଦ୍ର ପାଖରେ ପଡ଼ିଥିବା ଏକ କାଠଫାଳିଆରେ ଅନାଥଙ୍କ ମୁଣ୍ଡକୁ ପିଟି ଦେଇଥିଲା। କାଠଫାଳିଆ ପାହାରଟି ଏତେ ଶକ୍ତ ଥିଲା ଯେ ଅନାଥ ସେଇଠି ଟଳି ପଡ଼ିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ତଳେ ସଂଜ୍ଞାହୀନ ହୋଇ ପଡ଼ିଥିବା ବେଳେ ଅନ୍ୟ ଶ୍ରମିକମାନେ ପୁଲିସକୁ ଫୋନ୍‌ କରି ଖବର ଦେଇଥିଲେ। ପୁଲିସକୁ ଫୋନ୍‌ ହେବା ଦେଖି ସୁରେନ୍ଦ୍ର ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲା। ମାତ୍ର ଅନ୍ୟ ଶ୍ରମିକମାନେ ତାକୁ କାବୁ କରିନେଇଥିଲେ। ଖବର ପାଇ ଇନ୍‌ଫୋସିଟି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଅନାଥକୁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ସୁରେନ୍ଦ୍ରକୁ ଥାନାକୁ ନେଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ଅନାଥକୁ କଟକ ସ୍ଥାନାନ୍ତର କରାଯାଇଥିଲା। ଆଜି ଅପରାହ୍ଣରେ ତାଙ୍କ ମୃତ୍ୟୁ ହୋଇଯାଇଛି। ଆଜି ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ଦିଆଯିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର