ଭୁବନେଶ୍ବର: ରାଜଧାନୀ ରାସ୍ତାରେ ମୃତ୍ୟୁ ଦୂତ ସାଜିଛନ୍ତି ବୁଲା କୁକୁର। ବୁଲା କୁକୁରଙ୍କ ପାଇଁ ଜଣେ ଯୁବକଙ୍କର ଜୀବନ ଯାଇଛି। ଗତକାଲି ରାତିରେ କଟକରୋଡର ଲକ୍ଷ୍ମୀସାଗର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ବାଙ୍କୁଆଳ କଳ୍ପନା ରିଭର ଭ୍ୟୁ କମ୍ପ୍ଲେକ୍ସରେ ରହୁଥିବା ସାବତ କୁମାର(୪୨)। ସେ ଇନ୍ୟୁସରାନ୍ସ ଏଜେଣ୍ଟ ଭାବେ କାମ କରନ୍ତି।

Advertisment

publive-image Onmanorama

ପୁଲିସ ସୂଚନା ଅନୁସାରେ, ଗତାକାଲି ରାତି ପ୍ରାୟ ୧୨ଟାରେ ସାବତ ସ୍କୁଟି ଯୋଗେ ରସୁଲଗଡରୁ ଘରକୁ ଫେରୁଥିଲେ। ଲକ୍ଷ୍ମୀସାଗର ଛକ ପୂର୍ବରୁ ତାଙ୍କୁ କିଛି ବୁଲା କୁକୁର ଭୁକିବା ସହ ଗୋଡ଼ାଇଥିଲେ। ସାବତ କୁକୁରଙ୍କ ଦାଉରୁ ରକ୍ଷା ପାଇବା ଲାଗି ଗାଡ଼ିକୁ ଦ୍ରୁତ ଗତିରେ ଚଳାଇଥିଲେ ଏବଂ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଯିବାରୁ ତଳେ ପଡ଼ି ଯାଇଥିଲେ। ଖବର ପାଇ ୧୦୮ ଆମ୍ବୁଲାନ୍ସ ସାବତଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।

ବାପଛେଉଣ୍ଡ ହୋଇଗଲା ୧୭ ମାସର ପୁଅ
ସାବତଙ୍କର ପ୍ରାୟ ଅଢେଇ ବର୍ଷ ତଳେ ବିବାହ ହୋଇଥିଲା। ତାଙ୍କର ଏକ ୧୭ ମାସର ପୁଅ ରହିଛି। ସାବତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକ। ଏଭଳି ଅକାଳ ମୃତ୍ୟୁକୁ ନେଇ ଆଜି କ୍ୟାପିଟାଲ ହସ୍ପିଟାଲରେ ପରିସରରେ ଶୋକର ଛାୟା ଖେଳି ଯାଇଥିଲା। ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ସମୟରେ ପରିବାର ଲୋକ, ସମ୍ପର୍କୀୟ ଓ ଚିହ୍ନା ପରିଚିତ ବ୍ୟକ୍ତି ଉପସ୍ଥିତ ଥିଲେ।

ରାଜଧାନୀରେ ୬୦ ହଜାର କୁକୁର, ଦିନକୁ ୪ରୁ ୫ ଦୁର୍ଘଟଣା
ରାଜଧାନୀରେ ବଢ଼ି ବଢ଼ିଢି ଚାଲିଛି ବୁଲା କୁକୁରଙ୍କ ସଂଖ୍ୟା। ବୁଲା କୁକୁରଙ୍କ ପାଇଁ ଦୁର୍ଘଟଣା ବି ବଢୁଛି। ବିଏମସିରୁ ମିଳିଥିବା ସୂଚନା ଅନୁସାରେ, ରାଜଧାନୀରେ ପ୍ରାୟ ୬୦ ହଜାର ବୁଲା କୁକୁର ଅଛନ୍ତି। ଆନିମଲ ୱେଲଫେୟାର ବୋର୍ଡ ଅଫ୍ ଇଣ୍ଡିଆ ଗାଇଡଲାଇନ୍ ଅନୁସାରେ ସହାରଞ୍ଚଳରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ କୁକୁରଙ୍କ ସଂଖ୍ୟା ୩ ହଜାର ରହିଥାଏ। ମାତ୍ର ରାଜଧାନୀ ଜନସଂଖ୍ୟା ଅନୁସାରେ କୁକୁରଙ୍କ ସଂଖ୍ୟା ୨ ଗୁଣରୁ ବେଶି ବୋଲି କୁହାଯାଉଛି। ଏହି କାରଣଣୁ ରାଜଧାନୀରେ ପ୍ରତିଦିନ କୁକୁରଙ୍କ ପାଇଁ ୪ରୁ ୫ଟି ଦୁର୍ଘଟଣା ଘଟୁଛି। ଯାହା ଚିନ୍ତାଜନକ ରହିଛି। ଛୁଟିଦିନକୁ ବାଦ୍ ଦେଲେ ପ୍ରତିଦିନ ୧୫ରୁ ୨୦ଟି କୁକୁରର ବନ୍ଧ୍ୟାକରଣ କରାଯାଉଛି। ମାସକୁ ପ୍ରାୟ ୨୫୦ରୁ ୩ଶହ କୁକୁରଙ୍କ ବନ୍ଧ୍ୟାକରଣ କରା ଯାଉଥିବା ସୂଚନା ମିଳିଛି। ଏହ‌ା ସତ୍ତ୍ବେ ବୁଲା କୁକୁରଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି।