ମହାମାରୀରେ ରୋଜଗାର ହରାଇ ଜୀବନ ହାରିଲେ ଯୁବକ

ବାଲିପାଟଣା : ମହାମାରୀ କରୋନା ପ୍ରଥମେ ରୋଜଗାର ଛଡ଼ାଇନେଲା। ତେଣୁ ବାଇକ୍‌ ଓ ମୋବାଇଲ୍‌ ଫୋନ୍‌ ବିକିବାକୁ ବାଧ୍ୟ ହେଲେ। ତଥାପି କରଜ ବୋଝ କମିଲା ନାହିଁ। ବେରୋଜଗାର ହେବା ପରେ ପରିବାର ପାଇଁ ସେ ଅଲୋଡ଼ା ପାଲଟିଗଲେ। ସବୁ ଦିଗରୁ ହତାଶ ହେବା ପରେ ଯୁବକ ଜଣକ ଶେଷ‌ରେ ବେକରେ ରଶି ବାନ୍ଧି ଫ୍ୟାନ୍‌ରେ ଝୁଲିପଡ଼ିଲେ। ଏହା ହେଉଛି ବାଲିପାଟଣା ରାଜସ ପ୍ରଧାନସାହି ରଞ୍ଜନ ସ୍ବାଇଁ ଓରଫ୍ ରଞ୍ଜୁ(୪୦)ଙ୍କ ଆତ୍ମହତ୍ୟା ପଛର କାହାଣୀ। ଆଜି ସକାଳୁ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ତାଙ୍କ ଶ୍ବଶୁର ଘରୁ ଜବତ କରାଯାଇଛି। କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ପ୍ରଧାନସାହିର ସୁରେନ୍ଦ୍ର ସ୍ୱାଇଁଙ୍କ ପୁଅ ରଞ୍ଜୁ ସେହି ଗାଁରେ ଲକ୍ଷ୍ମୀଧର ସ୍ୱାଇଁଙ୍କ ଝିଅକୁ ପ୍ରେମ ବିବାହ କରିଥିଲେ। ବିବାହ ପରଠାରୁ ରଞ୍ଜୁ ଶ୍ବଶୁର ଘରେ ରହୁଥିଲେ। ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ରଞ୍ଜୁ ଜଣେ ଗାଡ଼ି ଡ୍ରାଇଭର ଥିଲେ। ମାତ୍ର ଗତବର୍ଷଠାରୁ କରୋନା ପାଇଁ ସେ ରୋଜଗାର ହରାଇଥିଲେ। ଅଭାବରେ ପଡ଼ି ରଞ୍ଜୁ ନିଜ ବାଇକ୍‌ ଓ ମୋବାଇଲ ଫୋନ୍‌ ବିକି ଦେଇଥିଲେ। ଦିନକୁ ଦିନ ଋଣ ଭାର ବଢ଼ିବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ତେଣୁ ପ୍ରାୟ ମାସେ ହେଲା ରଞ୍ଜୁ ବିଷାଦଗ୍ରସ୍ତ ରହୁଥିଲେ। ଆଉ ଶେଷରେ ଫାଶୀରେ ଝୁଲି ପଡ଼ିଥିଲେ। ଆଜି ସକାଳୁ ଶୋଇବା ଘର ଫ୍ୟାନ୍‌ରେ ତାଙ୍କ ଶବ ଝୁଲୁଥିବା ଦେଖି ପରିବାର ଲୋକେ ପୁଲିସକୁ ଖବର ଦେଇଥି‌ଲେ। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର