ମୁଣ୍ଡଳୀ ବ୍ରିଜ୍‌ରୁ ମହାନଦୀକୁ ଡେଇଁ ଯୁବକ ନିଖୋଜ

ତ୍ରିଶୁଳିଆ/ବାଲିପାଟଣା: ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ମୁଣ୍ଡଳୀ ବ୍ରିଜ୍‌ରୁ ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ବ୍ରିଜ୍‌ ଉପରେ ସେ ଛାଡ଼ି ଯାଇଥିବା ସ୍କୁଟି ନମ୍ବରରୁ ତାଙ୍କ ପରିଚୟ ଜଣାପଡ଼ିଛି। ସେ ହେଲେ ବାଲିପାଟଣା ଥାନା ତୁରିନ୍ତିରା ଗାଁର ବଳରାମ ଦାସଙ୍କ ପୁଅ ବିଶ୍ବଦେବ ଓରଫ୍ ଚିଲୁ(୪୪)। ବାରଙ୍ଗ ଥାନା ଗୋଡ଼ିସାହି ଫାଣ୍ଡି ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ବହୁ ସମୟ ଧରି ଖୋଜାଖୋଜି କରିଥିଲେ ବି ଚିଲୁଙ୍କ ପତ୍ତା ମିଳିନାହିଁ।

ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ଏବେ ବି ମହାନଦୀର ବନ୍ୟା ଜଳ ଦେଖିବା ପାଇଁ ବହୁ ଲୋକ ମୁଣ୍ଡଳୀ ବ୍ରିଜ୍‌କୁ ଆସୁଛନ୍ତି। ଆଜି ୧୧ଟା ବେଳେ ବ୍ରିଜ୍‌ ଉପରେ ବି ବହୁତ ଲୋକ ଥିଲେ। ଚିଲୁ ନିଜ ସ୍କୁଟି ଯୋଗେ ସେଠାରେ ପହଞ୍ଚିଥିଲେ ଓ ସ୍କୁଟିକୁ ରଖି ହଠାତ୍ ନଦୀକୁ ଡେଇଁ ପଡ଼ିଥିଲେ। ଲୋକମାନେ ଦେଖୁଥିଲେ ବି କେହି ତାଙ୍କୁ ‌ରୋକିବାକୁ ମଉକା ପାଇନଥିଲେ। ତୁରନ୍ତ କିଛି ଲୋକ ପୁଲିସ ଓ ଅଗ୍ନିଶମ ବାହିନୀକୁ ଫୋନ୍‌ କରି ଜଣାଇଥିଲେ। ତେବେ ପୁଲିସ ଓ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିବା ବେଳକୁ ନଦୀର ପ୍ରଖର ସ୍ରୋତରେ ଚିଲୁ ନିଖୋଜ ହୋଇସାରିଥିଲେ। ଅଗ୍ନିଶମ ବାହିନୀ ନଦୀରେ ସମ୍ଭାବ୍ୟ ସ୍ଥାନକୁ ଯାଇ ତାଙ୍କୁ ଖୋଜିଥିଲେ ବି ପାଇନଥିଲା।

ପୁଲିସ ସ୍କୁଟି ନମ୍ବରକୁ ଯାଞ୍ଚ କରି ତାଙ୍କ ପରିଚୟ ପାଇଥିଲା ଓ ବାଲିପାଟଣା ଥାନା ପୁଲିସ ସହଯୋଗରେ ତାଙ୍କ ପରିବାରକୁ ଖବର ଜଣାଇଥିଲା। ବାଲିପାଟଣାରୁ ମିଳିଥିବା ସୂଚନାନୁସାରେ ବିଶ୍ୱଦେବ ୨୦୦୪ ମସିହାରୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଭଡ଼ା ଘରେ ରହୁଥିଲେ। ସେଠାରେ ସେ ପ୍ରେମ ବିବାହ କରିଥିଲେ ଓ ତାଙ୍କର ଗୋଟିଏ ଝିଅ ଅଛି। ବାହାଘର ପରଠାରୁ ଧୀରେଧୀରେ ପରିବାର ସହ ତାଙ୍କ ସମ୍ପର୍କ ଖରାପ ହେବାରେ ଲାଗିଥିଲା। ୮ ବର୍ଷର ଦାମ୍ପତ୍ୟ ଜୀବନ ଭିତରେ ତାଙ୍କ ସ୍ତ୍ରୀ କେବେ ବି ତୁରିନ୍ତିରା ଯାଇନଥିବା ଜଣାପଡ଼ିଛି। ଅବଶ୍ୟ ଚିଲୁ ମଝିରେ ମଝିରେ ଏକାକୀ ଘରକୁ ଆସି ବାପାମାଙ୍କୁ ଦେଖି ଚାଲିଯାଉଥିଲେ। ୧୫ ଦିନ ତଳେ ସେ ନିମାପଡ଼ାରୁ ଫେରୁଥିବା ବେଳେ ଘରକୁ ଯାଇଥିଲେ ଓ ବାପାମାଙ୍କ ସଙ୍ଗେ କିଛି ସମୟ ବିତାଇ ଫେରିଯାଇଥିଲେ। ତାଙ୍କ ମାନସିକ ଅବସ୍ଥା ଭଲ ନଥିଲା ବୋଲି ବାପା ବଳରାମ କହିଛନ୍ତି।

ସମ୍ବନ୍ଧିତ ଖବର