ଛୋଟ କର୍ମଚାରୀଙ୍କ ବଡ଼ ହୃଦୟ : ଫେରାଇଲେ ଟଙ୍କା ଭର୍ତ୍ତି ବ୍ୟାଗ୍

ବସ୍‌ରୁ ଭୁଲରେ ନେଇ ଯାଇଥିଲେ

ଭୁବନେଶ୍ବର : ଛୋଟ କର୍ମଚାରୀ କିନ୍ତୁ ହୃଦୟ ବଡ଼। ବସ୍‌ରେ ଯାତ୍ରା କରୁଥିବା ବେଳେ ଜଣେ ଯୁବକ ପାଇଥିବା ଟଙ୍କା ଭର୍ତ୍ତି ବ୍ୟାଗ ଫେରାଇଛନ୍ତି। ଆଉ ଜଣେ ସମ୍ପର୍କୀୟଙ୍କ ଚିକିତ୍ସା କାମରେ ଯାଉଥିବା ଯୁବକ ହଜି ଯାଇଥିବା ୪୬ ହଜାର ଟଙ୍କା ଫେରି ପାଇ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି। ଟଙ୍କା ବ୍ୟାଗ୍ ଫେରାଇଥିବା ଯୁବକ ହେଲେ ଗଜେନ୍ଦ୍ର ନାୟକ। ସେ ଝାରସୁଗୁଡାରେ ପୋଷ୍ଟ ଅଫିସରେ କାମ କରନ୍ତି। ସେହିପରି ଟଙ୍କା ଫେରି ପାଇଥିବା ଯୁବକ ହେଲେ କୋଣାର୍କ ଅଞ୍ଚଳର ରଣଜିତ ସେନାପତି। ଏଭଳି କାମ ପାଇଁ ଗଜେନ୍ଦ୍ରଙ୍କୁ ବେଶ୍ ପ୍ରଶଂସା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ରଣଜିତ ବସ୍ ଯୋଗେ କୋଣାର୍କରୁ ଭୁବନେଶ୍ବର ଆସୁଥିଲେ। ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ସାଙ୍ଗରେ ୪୬ ହଜାର ଟଙ୍କା ଆଣିଥିଲେ। ଏହି ଟଙ୍କାକୁ ବ୍ୟାଗରେ ଭର୍ତ୍ତି କରି ବସ୍‌ର ରୢାକ୍‌ରେ ରଖି ଦେଇଥିଲେ। ସେହିପରି ଗଜେନ୍ଦ୍ର ନାୟକ ନିମାପଡ଼ା ବାମନାଳରୁ ସେହି ବସ୍‌ରେ ଚଢ଼ି ଭୁବନେଶ୍ବର ଆସୁଥିଲେ। ରଣଜିତ ଯେଉଁଠି ବ୍ୟାଗ ରଖିଥିଲେ ଗଜେନ୍ଦ୍ର ମଧ୍ୟ ତା ପାଖରେ ନିଜର ବ୍ୟାଗ୍ ରଖିଥିଲେ। ଦୁଇଟି ଯାକ ବ୍ୟାଗ୍ ଦେଖିବାକୁ ପ୍ରାୟ ସମାନ ଥିଲା। ରସୁଲଗଡ଼ ଛକରେ ପ୍ରଥମେ ଗଜେନ୍ଦ୍ର ବସ୍‌ରୁ ଓହ୍ଲାଇଥିଲେ। ଭୁଲବଶତଃ ସେ ରଣଜିତଙ୍କ ବ୍ୟାଗକୁ ନେଇ ପଳାଇଥିଲେ। ଆଉ ରଣଜିତ ଗଜେନ୍ଦ୍ରଙ୍କ ବ୍ୟାଗ୍‌ ନେଇ ଯାଇଥିଲେ।

ପୁଲିସ ନିକଟରୁ ଟଙ୍କା ବ୍ୟାଗ୍ ନେଉଛନ୍ତି ରଣଜିତ ସେନାପତି

ତେବେ ଗଜେନ୍ଦ୍ର କିଛି ବାଟ ଗଲା ପରେ ବ୍ୟାଗ୍‌ ତାଙ୍କର ନୁହେଁ ବୋଲି ଜାଣିବାକୁ ପାଇଥିଲେ। ସେ ବ୍ୟାଗ୍‌ ଖୋଲିଲା ବେଳକୁ ସେଥିରେ ବିଡ଼ା ବିଡ଼ା ନୋଟ୍‌ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ମାତ୍ର ଏହି ଟଙ୍କ‌ା ଭର୍ତ୍ତି ବ୍ୟାଗ୍‌କୁ ଏହାର ମାଲିକଙ୍କୁ ଫେରାଇ ଦେବା ଲାଗି ସେ ସଂଗେ ସଂଗେ ନିଷ୍ପତ୍ତି ନେଇଥିଲେ ଏବଂ ତୁରନ୍ତ ରସୁଲଗଡ଼ ଛକରେ ଥିବା ଟ୍ରାଫିକ ସହାୟତା କେନ୍ଦ୍ର ନିକଟରେ ଡ୍ୟୁଟି କରୁଥିବା ହୋମଗାର୍ଡ ପ୍ରତାପ ଖଣ୍ଡୁଆଳଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ପ୍ରତାପ ସେହି ବ୍ୟାଗ ଖୋଲି ଦେଖିବା ପରେ ସେଥିରେ ୪୬ ହଜାର ଟଙ୍କା ଓ କିଛି କାଗଜପତ୍ର ଥିଲା। ସେଥିରେ ଲେଖା ଯାଇଥିବା ଦୁଇ ୩ଟି ଫୋନ୍ ନମ୍ବରକୁ ପ୍ରତାପ କଲ୍ କରିଥିଲେ। କିନ୍ତୁ ସେହି କଲ୍ ଅନ୍ୟମାନଙ୍କ ପାଖକୁ ଯାଇଥିଲା। ଏହା ପରେ ଆଉ ଗୋଟିଏ ଫୋନ୍ ନମ୍ବରକୁ ପ୍ରତାପ କଲ୍ କରିବା ପରେ ରଣଜିତ ଉଠାଇଥିଲେ। ଟଙ୍କା ବ୍ୟାଗ୍‌ ମିଳିଥିବା ଖବର ପାଇ ସେ ରସୁଲଗଡ଼ରେ ପହଞ୍ଚିଥିଲେ ଏବଂ ଗଜେନ୍ଦ୍ର ଏହି ବ୍ୟାଗକୁ ରଣଜିତଙ୍କୁ ହସ୍ତାନ୍ତର କରିଥିଲେ। ସେହିପରି ଗଜେନ୍ଦ୍ର ମଧ୍ୟ ନିଜ ବ୍ୟାଗ ଫେରି ପାଇଥିଲେ। ଏହା ଦେଖି ଆଜିର ଦୁନିଆରେ ମଧ୍ୟ ଗଜେନ୍ଦ୍ରଙ୍କ ଭଳି ଲୋକ ଅଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା।

ସମ୍ବନ୍ଧିତ ଖବର