ମନ୍ତ୍ରୀଙ୍କ ପୁଅ କହି ପୁଲିସକୁ ନାଲିଆଖି ମହଙ୍ଗା ପଡ଼ିଲା: ଚାପୁଡ଼ା ମାରି ଜେଲ୍ ଗଲା ଯୁବକ, ଥାନାରେ ବି କଲା ଉତ୍ପାତ

ଗଣମାଧ୍ୟମକୁ ବାଇଟ୍‌ ଦେଇଥିବା ମହିଳା କନଷ୍ଟେବଳଙ୍କୁ ତାଗିଦ୍‌

ଭୁବନେଶ୍ବର : ‘ମୁଁ ମନ୍ତ୍ରୀଙ୍କ ପୁଅ, ମୋତେ ଚିହ୍ନିନ। ମୋତେ ଅଟକାଉଛ, ତମ ବର୍ଦ୍ଦି ଉତାରିଦେବି। ଗୋଟିଏ ଫୋନରେ ମୋ ଆଗରେ ସବୁ ଆଣ୍ଠେଇବ।’ ଆଉ ଏହା ସହ ପୁଲିସକୁ ଚାପୁଡ଼ା। ଏମିତି ନାଲିଆଖି ଦେଖାଇବା ସହ ଅଶ୍ରାବ୍ୟ ଭାଷାରେ ପୁଲିସକୁ ଗାଳିଗୁଲଜ କରି ଚାଲିଥିଲା। ମଦ ନିଶାରେ ଚୁର୍ ଥିବା ଯୁବକକୁ ପୁଲିସ ଥାନାକୁ ନେଇ ଯାଇଥିଲା। ଥାନାରେ ତା’ର ରୋବାବ୍ କିଛି କମ୍ ନ ଥିଲା। ଯୁବକର ଗାଳିରେ ଥାନା ଉଠିଥିଲା ପଡ଼ିଥିଲା। ଶେଷରେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ଅଭିଯୋଗ ଭିତ୍ତିରେ ଖଣ୍ଡଗିରି ଥାନା ପୁଲିସ ଆଇପିସି ଦଫା-୩୫୩, ୨୯୪, ୫୦୬, ୩୪୧, ୩୨୩ ଅନୁସାରେ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ହେଲା ଆଇଆରସି ଭିଲେଜ ଅଞ୍ଚଳର ଜୀବନଜ୍ୟୋତି ମଲ୍ଲିକ। କୋର୍ଟଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ପଠାଇ ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସଟଡାଉନ୍ ସମୟରେ ଫାୟାର ଷ୍ଟେସନ ନିକଟରେ ପୁଲିସ ଚେକପୋଷ୍ଟରେ ଯାଞ୍ଚ ଚାଲିଥିଲା। ସେହି ସମୟରେ ବାଇକ୍‌ ଧରି ଦ୍ରୁତ ଗତିରେ ଡେଲଟା ଆଡ଼କୁ ଯାଉଥିବା ଜୀବନକୁ ପୁଲିସ ଅଟକାଇଥିଲା। କୁଆଡ଼େ ଯାଉଛ ବୋଲି ପୁଲିସ ପଚାରିବାରୁ ଆରମ୍ଭ କରି ଦେଇଥିଲା ଗାଳିଗୁଲଜ। ଏପରିକି ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପୁଅ ବୋଲି ନିଜକୁ ପରିଚୟ ଦେଇଥିଲା। ଖରାପ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲା। ଅଭିଯୋଗକାରୀ ଟ୍ରାଫିକ କନଷ୍ଟେବଳ ସୁଶାନ୍ତ ପ୍ରଧାନ ତାଙ୍କୁ କିଛି ପଚାରିବାରୁ ସେ ଚାପୁଡ଼ା ମାରିଥିଲା। ତେବେ ସେ ମନ୍ତ୍ରୀଙ୍କ ପୁଅ ନୁହନ୍ତି ବୋଲି କାର୍ଯ୍ୟରତ ପୁଲିସ କର୍ମଚାରୀ ଓ ଅଧିକାରୀ ଜାଣିବାକୁ ପାଇଥିଲେ। ଶେଷରେ ଦୁର୍ବ୍ୟବହାର, ଗାଲିଗୁଲଜ ଅଭିଯୋଗରେ ଟ୍ରାଫିକ କନଷ୍ଟେବଳ ସୁଶାନ୍ତ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଗଣମାଧ୍ୟମକୁ ବାଇଟ୍‌ ଦେଇଥିବା ମହିଳା କନଷ୍ଟେବଳଙ୍କୁ ତାଗିଦ୍‌: ଡିସିପି ଅଫିସରୁ କାନ୍ଦ କାନ୍ଦ ମୁହଁରେ ବାହାରିଲେ
ମନ୍ତ୍ରୀ କହିଲେ ମିଥ୍ୟା କଥା ଶୁଣି ମୁଁ ଦୁଃଖିତ

ଗତକାଲି ସନ୍ଧ୍ୟାରେ ଫାୟାର ଷ୍ଟେସନ ଛକରେ ଯୁବକ ଉତ୍ପାତ କରୁଥିବା ଖବର ଜଣାପଡ଼ିବା ପରେ ଟିଭି ଚ୍ୟାନେଲ ପ୍ରତିନିଧି ସେଠାରେ ପହଞ୍ଚିଥିଲେ। ଘଟଣା ସମ୍ପର୍କରେ ସେଠାରେ ଉପସ୍ଥିତ ଥିବା ମହିଳା ଟ୍ରାଫିକ କନଷ୍ଟେବଳଙ୍କ ପ୍ରତିକ୍ରିୟା ନେଇଥିଲେ। ପୂରା ଘଟଣା ସମ୍ପର୍କରେ ମହିଳା କନଷ୍ଟେବଳ ଗଣମାଧ୍ୟମକୁ ବାଇଟ୍ ଦେଇଥିଲେ। ଡିସିପି ସମ୍ପୃକ୍ତ ମହିଳା କନଷ୍ଟେବଳଙ୍କୁ ଆଜି କାର୍ଯ୍ୟାଳୟକୁ ଡାକି ତାଗିଦ୍ କରିଥିଲେ। କିଛି ସମୟ ପରେ ଡିସିପି ଅଫିସରୁ କାନ୍ଦ କାନ୍ଦ ମୁହଁରେ ବାହାରିଥିଲେ କନଷ୍ଟେବଳ। ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିମାନେ ଏହା ଦେଖି ତାଙ୍କର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ମହିଳା କନଷ୍ଟେବଳ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ।

ଅନ୍ୟପକ୍ଷରେ ଓଡ଼ିଶା କଣ୍ଡକ୍ଟ ରୁଲ୍ ୧୯୫୯ର ଧାରା-୬ ଅନୁଯାୟୀ ଅଧସ୍ତନ କର୍ମଚାରୀମାନେ ଅନୁମତି ନ ନେଇ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି ଆଇନ ରହିଛି। ମହିଳା କନଷ୍ଟେବଳଙ୍କ ବିରୋଧରେ ତଦନ୍ତ ହୋଇପାରେ ବୋଲି କୁହାଯାଉଛି। ସେହିପରି ମନ୍ତ୍ରୀ ପଦ୍ମନାଭ ବେହେରା ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେଉଁ ଯୁବକ ମୋ ନାମ ନେଇଛନ୍ତି ତାଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ କିମ୍ବା ସେ ମୋର କୌଣସି ସମ୍ପର୍କୀୟ ନୁହନ୍ତି। ମୋ ନାମରେ ଏପରି ମିଥ୍ୟା କଥା ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଯିଏ ମିଡିଆରେ ବାଇଟ୍ ଦେଲେ ସେମାନେ ଘଟଣାକୁ ଅନୁଧ୍ୟାନ ନ କରି କିପରି ମୋ ନାମ ନେଲେ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର