ଭୁବନେଶ୍ବର : ରାଜଧାନୀର ଜନଗହଳିପୂର୍ଣ୍ଣ ଜନପଥର ଫୁଟ୍ପାଥ୍ରେ ଗୋଟେ ଜରିବସ୍ତା ପାରି ବସିଥିଲେ ଜଣେ ଯୁବକ। ଛୋଟ ବଡ଼ ଦୁଇଟି ବ୍ୟାଗ୍ ପାଖରେ ଥିଲା। ହାତରେ ମେଞ୍ଚେ କାଗଜପତ୍ର ଧରିଥିଲେ ଓ ପଥଚାରୀମାନଙ୍କୁ କହୁଥିଲେ, ‘ବାବୁ କାମ ମିଳିବ? ମୁଁ ଦଶମ ପର୍ଯ୍ୟନ୍ତ ପଢିଛି। ବାବୁ, କିଛି ବି ଗୋଟେ କାମ ମୋତେ ଦିଅନ୍ତୁ। ୮ଦିନ ହେବ ଓଳିଏ ଖାଇ ଓଳିଏ ଉପାସ ରହିଛି ଆଜ୍ଞା। ଦୟାକରି କିଛି ଗୋଟେ କାମ ଯୋଗାଇ ଦିଅନ୍ତୁ ଆଜ୍ଞା, ଆପଣଙ୍କର ମଙ୍ଗଳ ହେବ।’ ଏମିତି ଆତୁର କଣ୍ଠରେ କାମ ପାଇଁ ମାଗୁଥିଲେ ଯୁବକ ଜଣକ। ସେ କାହାଠାରୁ ପଇସା ଚାହୁନଥିଲେ, କାମ ଖଣ୍ଡେ ଯୋଗାଡ଼ କରି ଦେବା ପାଇଁ ଅନୁରୋଧ କରୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଯୁବକ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ଅର୍ନ୍ତଗତ ଝରାମୁହାଁ ଗ୍ରାମର ପ୍ରତାପ ତରାଇ। ଦୀର୍ଘ ୧୪ ବର୍ଷ ହେବ ସେ ଭୁବନେଶ୍ବରରେ ରହୁଛନ୍ତି। ବାପ-ମା’ ଚାଲିଯିବା ପରେ ଭାଇ ଭାଉଜ ତାଙ୍କୁ ପଚାରି ନଥିଲେ। ତେଣୁ ପାଠ ଦି’ ଅକ୍ଷର ପଢ଼ିଥିବାରୁ ସେ କାମ ଅନ୍ବେଷଣରେ ରାଜଧାନୀକୁ ଚାଲି ଆସିଥିଲେ। ଏଠାରେ ବିଭିନ୍ନ ବଡ଼ ହୋଟେଲରେ ୱେଟର୍ ଭାବେ କରୁଥିଲେ। ହେଲେ ଗତବର୍ଷ ଲକ୍ଡାଉନ୍ ପରେ ହୋଟେଲ ମାଲିକ ତାଙ୍କୁ କାମରୁ ବାହାର କରିଦେଲେ। ସେହି କାମ ହରାଇବା ପରେ ପ୍ରତାପ ଅନ୍ୟ କିଛି କାମ ମଧ୍ୟ ପାଇନଥିଲେ। କରୋନା କଟକଣା, ଲକ୍ଡାଉନ୍ ଓ ସଟ୍ଡାଉନ୍ ଭଳି ସଂକଟ ତାଙ୍କୁ କାମ ମିଳିବାରେ ବାଧକ ହୋଇଥିଲା। ତେଣୁ ସେ ଖାରବେଳନଗରସ୍ଥିତ ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିଲେ। କିନ୍ତୁ ପରେ ନିର୍ମାଣ ଶ୍ରମିକ ଭାବେ କାମ କରି ପେଟ ପୋଷୁଥିଲେ। ୮ଦିନ ତଳେ ବିଏମ୍ସି ପକ୍ଷରୁ ଦୁଇଜଣ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଆଣି ଉକ୍ତ ଆଶ୍ରୟସ୍ଥଳରେ ରଖାଗଲା। ପ୍ରତାପ କାମ କରିବାକୁ ଯାଇଥିବା ସମୟରେ ସେମାନେ ତାଙ୍କ ପୋଷାକ ଏବଂ ବ୍ୟାଗ୍କୁ ଫୋପାଡ଼ା ଫିଙ୍ଗା କରି ଦେଇଥିଲେ। ଏ ନେଇ ସେ ପ୍ରତିବାଦ କରିବାରୁ ସେଠାରେ ଥିବା କିଛି ଲୋକ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣି ସେଠାରୁ ତଡ଼ି ଦେଇଥିଲେ। ଫଳରେ ଏବେ ସେ ଆସି ରାମ ମନ୍ଦିର ନିକଟରେ ଗଛ ମୂଳରେ ଆଶ୍ରୟ ନେଇଛନ୍ତି। ବର୍ଷା ହେଲେ ଦୋକନ ତଳକୁ ଚାଲି ଯାଉଛନ୍ତି।
ଏବେ କରୋନାର ଦିତ୍ବୀୟ ସଂକ୍ରମଣ ବ୍ୟାପୁଥିବାରୁ ତାଙ୍କୁ ଆଗ ଭଳି ଶ୍ରମିକ କାମ ବି ମିଳୁନି। ପୂର୍ବରୁ କାମ କରି ରଖିଥିବା କିଛି ଟଙ୍କା ଏବଂ ମୋବାଇଲ୍ ଫୋନ୍ ମଧ୍ୟ କିଏ ଚୋରି କରି ନେଇଯାଇଛି। ଫଳରେ ପାଖରେ ଟଙ୍କାଟିଏ ବି ନାହିଁ। କିଏ ଯଦି ନିଜ ଆଡ଼ୁ କିଛି ଦେଲା, ତେବେ ସେ ଖାଉଛନ୍ତି। କିନ୍ତୁ ହାତ ପତେଇବାକୁ ବିବେକ ବାଧା ଦେଉଛି ବୋଲି ସେ କୋହଭରା କଣ୍ଠରେ କହିଛନ୍ତି। ସେ ନିବେଦନ କରିଛନ୍ତି, ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କ ବୟସ ଏବଂ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ତାଙ୍କୁ ଯେକୌଣସି କାମ ଖଣ୍ଡେ ଦେଇପାରନ୍ତେ, ତେବେ ସେ ବଞ୍ଚି ଯାଆନ୍ତେ।