୫ ହଜାର ନ ଦେବାରୁ ଜଙ୍ଗଲକୁ ଟେକି ନେଇ ଉଲଗ୍ନ କଲେ
ବର୍ବର କାଣ୍ଡକୁ ମୋବାଇଲରେ ରେକର୍ଡ କରି ଧମକ ଦେଲେ
ଭୁବନେଶ୍ବର : ଡୁମୁଡୁମା ସୁବୁଦ୍ଧିପୁର ଅଞ୍ଚଳରେ ବୁଧବାର ଦିନ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ୪ ଘଣ୍ଟା ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ମାଡ଼ ମାରୁଥିବାର ଦୃଶ୍ୟକୁ ମୋବାଇଲ୍ରେ ରେକର୍ଡ଼ କରିବା ସହ ତାଙ୍କ ବେକରେ ଧାରୁଆ ଅସ୍ତ୍ର ଲଗାଇ ହତ୍ୟା ଧମକ ଦେଇଛନ୍ତି। କେବଳ ଏତିକି ନୁହେଁ, ଯୁବକଙ୍କୁ ମାଡ଼ ମାରିବା ପରେ ତାଙ୍କୁ ପାଖ ଜଙ୍ଗଲକୁ ଟେକି ନେଇ ଉଲଗ୍ନ କରିଛନ୍ତି ଏବଂ ଏହାକୁ ମଧ୍ୟ କ୍ୟାମେରାରେ ରେକର୍ଡ କରିଥିବା କହିଛନ୍ତି ପୀଡ଼ିତ ଯୁବକ। ଏ ନେଇ ଯୁବକ ଜଣକ ଆଜି ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ ଖଣ୍ଡଗିରି ଅଞ୍ଚଳରେ ରହୁଥିବା ଏହି ଯୁବକ ଜଣକ ବୁଧବାର ସକାଳୁ ରଙ୍ଗକାମ କରିବାକୁ ଘରୁ ବାହାରିଥିଲେ। ସେ ବଜାରକୁ ରଙ୍ଗ କିଣିବାକୁ ଯାଇଥିବା ବେଳେ ହଠାତ୍ କିଛି ଦୁର୍ବୃତ୍ତ ତାଙ୍କୁ ଉଠାଇନେଇ ସୁବୁଦ୍ଧିପୁର ଚିକେନ୍ କାଉଣ୍ଟର୍ ନିକଟସ୍ଥ ଏକ ଗଛରେ ବାନ୍ଧି ପକାଇଥିଲେ। ସେ କିଛି ବୁଝିବା ଆଗରୁ ୪/୫ଜଣ ଯୁବକ ତାଙ୍କୁ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ନିସ୍ତୁକ ପିଟିବା ଆରମ୍ଭ କରିଥିଲେ। ଏହା ପରେ ଚିକେନ୍ ଦୋକାନରୁ ଧାରୁଆ କାତି ଆଣି ତାଙ୍କ ବେକରେ ଲଗାଇ ହତ୍ୟା ଧମକ ଦେବା ସହ ଏହାର ଭିଡିଓ କରିଥିଲେ। ଯୁବକ ଜଣକ ସେମାନଙ୍କ ମାଡ଼ ଖାଇ ଲହୁଲୁହାଣ ହେବା ପରେ ସେମାନେ ତାଙ୍କୁ ୫ହଜାର ଟଙ୍କା ମାଗିଥିଲେ। ୫ହଜାର ଟଙ୍କା ଦେଲେ ସେମାନେ ତାକୁ ଛାଡ଼ିଦେବେ ବୋଲି ଯୁବକମାନେ କହିଥିଲେ। ତେବେ ପାଖରେ ଟଙ୍କା ନଥିବା କହିବାରୁ ସେମାନେ ତାଙ୍କୁ ପାଖ ଜଙ୍ଗଲକୁ ନେଇ ହାତଗୋଡ଼ ବାନ୍ଧି ପେଣ୍ଟସାର୍ଟ ଖୋଲି ଦେଇଥିଲେ ଏବଂ ତାଙ୍କର ଏଭଳି ଉଲଗ୍ନ ଅବସ୍ଥାର ଭିଡିଓ କରି ଦୁର୍ବୃତ୍ତମାନେ ପରସ୍ପରକୁ ହ୍ବାଟ୍ସଆପ୍ରେ ସେୟାର୍ କରିଥିଲେ। ଟଙ୍କା ନ ଦେଲେ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରିବୁଲିବ ବୋଲି ତାଙ୍କୁ ଧମକ ଦେଇଥିଲେ। ସନ୍ଧ୍ୟାରେ ଅଭିଯୋଗ ପାଇବା ପରେ ପୁଲିସ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/clash.jpg)