ହନିଟ୍ରାପ୍ରେ ଯୁବକ, ଯୁବତୀ; ମାୟାଜାଲରେ ଫସାଇ କରୁଛନ୍ତି ବ୍ଲାକ୍ମେଲ୍
ଖାଲି କରି ଦେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ, ଲୋକଲଜ୍ଜା ଭୟରେ ଅନେକ ଘଟଣା ଲୁଚିଯାଉଛି
ଭୁବନେଶ୍ୱର : ସୋସିଆଲ୍ ମିଡିଆ, ମାଟ୍ରିମୋନି ସାଇଟ୍ରେ ଚିହ୍ନା ପରିଚିତ, ବନ୍ଧୁତା, ପ୍ରେମ। ଆଉ ତା’ ପରେ ପଡ଼ି ଯାଉଛନ୍ତି ହନିଟ୍ରାପ୍ରେ। ଯୁବତୀ ହୁଅନ୍ତୁ କି ଯୁବକ କେହି ବାଦ୍ ପଡ଼ୁ ନାହାନ୍ତି। ଏମିତି ପ୍ରତିଦିନ ଘଟଣା ଘଟୁଛି। ଶହ ଶହ ଯୁବକ ଯୁବତୀ ଶିକାର ହେଉଥିଲେ ମଧ୍ୟ ଲୋକଲଜ୍ଜା ଭୟରେ ଅଭିଯୋଗ କରିବାକୁ ଆସିପାରୁ ନାହାନ୍ତି। ହନିଟ୍ରାପ୍ର ମାୟାଜାଲ ବିଛାଇଛନ୍ତି ସାଇବର ଠକ। କାହାକୁ, କେମିତି, କେତେବେଳେ ଟାର୍ଗେଟ କରାଯିବ ତାହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ଅଦୃଶ୍ୟ ଅପରାଧୀ। ଏବେ ମାଟ୍ରିମୋନି ସାଇଟ୍, ଆପ୍କୁ ବେଶି ଅସ୍ତ୍ର କରିଛନ୍ତି। ମାଟ୍ରିମୋନି ସାଇଟ୍ରେ କେନ୍ଦ୍ରାପଡ଼ାର ଜଣେ ଯୁବତୀ ୨୦ ଲକ୍ଷ ଟଙ୍କା ହରାଇବା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ସାଇବର ପୁଲିସ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଥିଲେ ମଧ୍ୟ ଅପରାଧୀଙ୍କ ଟେର୍ ପାଇପାରି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଗିଫ୍ଟ ଦେବା ନାଁରେ ଲୁଟୁଛନ୍ତି
ହ୍ବାଟ୍ସଆପ୍, ମେସେଞ୍ଜର ଭଳି ସୋସିଆଲ୍ ମିଡିଆରେ ଚାଟିଂ ପରେ ସମ୍ପର୍କ ଆଗକୁ ବଢ଼ୁଛି। କିଛିଦିନ ଧରି ବନ୍ଧୁତା ପରେ ପ୍ରେମ ସମ୍ପର୍କରେ ପରିଣତ ହୋଇଯାଉଛି। ନିଜକୁ ବିଦେଶରେ ଡାକ୍ତର, ଇଞ୍ଜିନିୟର, ଉଚ୍ଚ ପଦାଧିକାରୀ ଦର୍ଶାଇ ସମ୍ପର୍କ ବଢ଼ାଉଥିବା ଠକ ଦାମୀ ଗିଫ୍ଟର ଲୋଭ ଦେଖାଉଛି। ବିପୁଳ ଆମେରିକାନ୍ ଡଲାର ହେଉ କି ମୂଲ୍ୟବାନ ସାମଗ୍ରୀର ଲୋଭରେ ପଡ଼ି ଯାଉଛନ୍ତି ଚାଟିଂ କରୁଥିବା ଯୁବକ ଯୁବତୀ। ମୁମ୍ବାଇ ବିମାନବନ୍ଦର କିମ୍ବା ଏୟାରପୋର୍ଟରୁ ଜଣେ ମହିଳା ଠକ ଚାଟିଂ କରୁଥିବା ଯୁବକ ଯୁବତୀଙ୍କ ନିକଟକୁ ଫୋନକଲ୍ କରୁଛି। ଗିଫ୍ଟ ନେଇ ଆସିଥିବା ବ୍ୟକ୍ତି ଧରା ପଡ଼ି ଯାଇଛନ୍ତି ଓ ତାଙ୍କୁ ଛାଡ଼ିବାକୁ ହେଲେ ଟିକସ ଦେବାକୁ ପଡ଼ିବ ବୋଲି ଫୋନ୍ କରିଥିବା ଠକ ମହିଳା କହୁଛନ୍ତି। ଜାଲରେ ଫସିଥିବା ଯୁବକଯୁବତୀ ଯଦି ତୁରନ୍ତ ଫସିଗଲେ ତା’ ହେଲେ ଠକାମିର ଶିକାର ହେଲେ। ନଚେତ୍ ଗିଫ୍ଟ ଆଣିଥିବା ବ୍ୟକ୍ତି ସହ ସମ୍ପର୍କ ଥିବା ଦର୍ଶାଇ ମିଥ୍ୟା ମାମଲାରେ ଫସାଇବାକୁ ଧମକଚମକ ଦେଇ ଟଙ୍କା ଲୁଟ୍ କରୁଛନ୍ତି। ସେହିପରି ଗିଫ୍ଟ ପାଇବାକୁ ହେଲେ ଟିକସ ଦେବାକୁ ପଡ଼ିବ ବୋଲି କହି ଯୁବକଯୁବତୀଙ୍କ ଠାରୁ ଟଙ୍କା ଲୁଟି ନେଉଛି ଠକ। ଏମିତି ଭାବରେ ସାଇବର ଠକ ମାୟାଜାଲ ବିଛାଇ ଲୁଟି ଚାଲିଛନ୍ତି।
କେମିତି ବର୍ତ୍ତିବେ?
ସାଇବର ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଜଣା ବ୍ୟକ୍ତିଙ୍କ ସହ ସମ୍ପର୍କ ଅଧିକ ବଢ଼ାନ୍ତୁ ନାହିଁ। ବିଶେଷ କରି ଗିଫ୍ଟ, ଡଲାର, ବିଦେଶୀ ମୁଦ୍ରା ଲୋଭ ଦେଖାଉଥିବା ଠକଙ୍କ ଠାରୁ ଦୂରରେ ରୁହନ୍ତୁ। ସବୁ ପ୍ରଲୋଭନକୁ ପ୍ରତ୍ୟାଖାନ କରନ୍ତୁ। ଯଦି କେହି ଗିଫ୍ଟ ପଠାଉଛି ସେ ସିଧାସଳଖ ଚାଟିଂ କରୁଥିବା ବ୍ୟକ୍ତିଙ୍କ ପାଖକୁ ପଠାଇବ। ଟଙ୍କା ମଧ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇପାରିବ। ଲୋଭ କିମ୍ବା ଭୟରେ ନ ପଡ଼ିବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ।
ଆପ୍ରେ ସମଲିଙ୍ଗି ଖୋଜି ସାଇବର ଠକଙ୍କ ହାବୁଡ଼ରେ ପଡ଼ିଲେ ଅଧ୍ୟାପକ
ଗ୍ରାଇଣ୍ଡର ଆପ୍ରେ ସମଲିଙ୍ଗି ଖୋଜି ରାଜଧାନୀର ଜଣେ ଅଧ୍ୟାପକ ସାଇବର ଠକ ହାବୁଡ଼ରେ ପଡ଼ିଛନ୍ତି। ହ୍ବାଟ୍ସଆପ୍ରେ ଚାଟିଂ ପରେ ଜଣେ ଯୁବକ(ଠକ) ସହ ଅଧ୍ୟାପକଙ୍କର ବନ୍ଧୁତା ବଢ଼ିଥିଲା। ଠକ ନିଜକୁ ଡାକ୍ତର ପରିଚୟ ଦେଇଥିଲା। ସାଙ୍ଗରେ ବିପୁଳ ଡଲାର ନେଇ ଆମେରିକାରୁ ଆସିଥିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ଧରାପଡ଼ିଥିବା ନେଇ ଜଣେ ମହିଳା ଅଧ୍ୟାପକଙ୍କୁ ଫୋନ୍ କରି କହିଥିଲା। ମୁକୁଳାଇବାକୁ ହେଲେ ୩୫ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ସମ୍ପୃକ୍ତ ମହିଳା କହିଥିଲା। ଆଇନର ଧମକ ମଧ୍ୟ ଦେଖାଇଥିଲା। ଅଧ୍ୟାପକଙ୍କ ସନ୍ଦେହ ହେବାରୁ ସେ ଟଙ୍କା ଦେଇ ନ ଥିଲେ କି ଠକ ମହିଳାଙ୍କ କଥା ଶୁଣି ନ ଥିଲେ। ବିଚାରବିମର୍ଷ ପରେ ଏହା ସାଇବର ଠକଙ୍କ କାରନାମା ବୋଲି ଜାଣିବାକୁ ପାଇଥିଲେ। ଏ ନେଇ ସେ ସାଇବର ସେଲ୍ର ଦ୍ବାରସ୍ଥ ହେବେ ବୋଲି ଜଣାପଡ଼ିଛି।