ଦିନେ ଅବଦୁଲ କାଲାମ କହିଥିଲେ, ଦୁନିଆରେ ମୋ ପାଇଁ ୨ ପ୍ରକାରର ମଣିଷ ଅଛନ୍ତି। ଗୋଟିଏ ହେଉଛି ଯୁବ ବା ତରୁଣ ଏବଂ ଅନ୍ୟଟି ଅଭିଜ୍ଞ। ଆଉ ଯେଉଁଠି ଏ ଦୁଇ ଗୋଷ୍ଠୀର ମଣିଷଙ୍କ ଲକ୍ଷ୍ୟ ସକାରାତ୍ମକ ହୋଇଯାଏ ସେ ପରିବେଶ ତ ସୁନା ହୋଇଯାଏ। କୁହାଯାଏ ଯୁବକ ହେଉଛନ୍ତି ଏ ଦେଶର ଶକ୍ତି। ମାତ୍ର ଯୁବଶକ୍ତି ଏମିତି ଏକ ଦ୍ୱନ୍ଦ୍ୱର ବିଷ ବଳୟ ଭିତରେ ଫସିଯାଇଛିି ଯେ, ସେଠୁ ବାହାରିବା ଯେମିତି ମୁସ୍କିଲ୍ ହୋଇଯାଇଛି। ଅଥଚ ଏବେ ବି ଏମିତି ବଛାବଛା ଯୁବକ ଅଛନ୍ତି, ଯାହାଙ୍କୁ ନେଇ ଆଗାମୀ ଦିନରେ ଏକ ସୁନେଲି ଭବିଷ୍ୟତର ସ୍ୱପ୍ନ ଆଙ୍କି ହୁଏ। ସଂପ୍ରତି ଯୁବବର୍ଗକୁ ନେଇ ମନରେ ଆଶଙ୍କା ଉଙ୍କି ମାରିଥିବା ବେଳେ ନିଜେ ନିଜର ଗୁଣରେ ଉଦାହରଣର ଫର୍ଦ ପରେ ଫର୍ଦ ଯୋଡ଼ୁଥିବା କିଛି ଯୁବବର୍ଗଙ୍କ ଜୀବନାଦର୍ଶର ନିଆରା କାହାଣୀ…
Sambad is now on WhatsApp
Join and get latest news updates delivered to you via WhatsApp
- ନିଶା ବିରୋଧରେ ଏକ ନିଶା
ନାଁ ମହମ୍ମଦ ଇମ୍ରାନ ଅଲ୍ଲୀ। ନିଶା ତାଙ୍କର ନିଶା କବଳରୁ ଯୁବପିଢ଼ିଙ୍କୁ ଉଦ୍ଧାର କରିବା। ଯେବେ ତାଙ୍କର ଧୂଳିଖେଳର ବୟସ, ସେହି ବୟସରେ ଜେଜେ ମା’ଙ୍କ କେଇପଦ କଥା ତାଙ୍କ ଭିତରେ ବିରାଟ ପରିବର୍ତନ ଆଣିଥିଲା। ଜେଜେ ମା’ଙ୍କ ଉକ୍ତି ଥିଲା, ଭଲର ଫଳ ସବୁବେଳେ ଭଲ, ମନ୍ଦର ଫଳ ସବୁବେଳେ ମନ୍ଦ। କେହି ଦେଖୁ କି ନଦେଖୁ ଖୁଦା ହିଁ ସବୁ ଦେଖୁଛନ୍ତି। କଥା ପଦକ ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ, ସେବେଠୁ ସେ କେବଳ ‘ଭଲ’ ହିଁ କରିବାର ସଂକଳ୍ପ ନେଇଥିଲେ। ୨୦୦୬ରେ ‘ନିଃଶ୍ୱାସ’ରେ ସମାଜସେବା ପାଠ୍ୟକ୍ରମ ପାଇଁ ଆଡ୍ମିସନ୍ ନେବା ପରେ ବର୍ଷେ ପାଇଁ ବସ୍ତିରେ କାମ କରିବାର ସୁଯୋଗ ପାଇଲେ। ବସ୍ତିର ୬ରୁ ୭ ବର୍ଷର ପିଲାମାନଙ୍କୁ ଗୁଟ୍ଖା ଖାଇବା ସହ ତାଙ୍କ ପାଟିରୁ ଦୁର୍ଗନ୍ଧ ବାହାରୁଥିବା ଦେଖି ସେ ମର୍ମାହତ ହେଲେ। କୋମଳମତି ଶିଶୁମାନେ ଗୁଟ୍ଖା ଅବା ତମାଖୁର କରୁଣ ପରିଣତି ବାବଦରେ ସଚେତନ ନଥିବାରୁ ସେ ଏହି ଅବହେଳିତ ପିଲାଙ୍କ ପାଇଁ କିଛି କରିବା ପାଇଁ ନିଷ୍ପତ୍ତି ନେଲେ। ସେ ‘ବ୍ଲଡି ଗୁଟ୍ଖା’ ଶୀର୍ଷକ ଏକ ପୁସ୍ତକ ରଚନା କଲେ। ଖାଲି ସେତିକି ନୁହେଁ ନିଶା ବିରୋଧରେ ସଂଗ୍ରାମ ପାଇଁ ସେ ଏକ ଯୁବ ଦଳ ଗଠନ କଲେ। ଯାହାର ଟ୍ୟାଗ୍ ଲାଇନ୍ ଥିଲା ‘ନିଶା ବିରୋଧରେ ଏକ ନିଶା’। ଏହାକୁ ପାଥେୟ କରି ଆରମ୍ଭ ହେଲା ଅଭିଯାନ ‘ଦିନକୁ ଘଣ୍ଟାଏ, ଦିନକୁ ଟଙ୍କାଏ’। ନିଶାମୁକ୍ତ ସମାଜ ଗଠନ ପାଇଁ ଦିନକୁ ଘଣ୍ଟାଏ ସମୟ ଦେବା ସହ ଦିନକୁ ଟଙ୍କାଟିଏ ଖର୍ଚ କରିବାକୁ ସେ ସଚେତନତା ସୃଷ୍ଟି କଲେ। ଏମିତି କି ନିଶା ଉପରେ ତାଙ୍କ ଲିଖିତ ବହି ପଢ଼ି ଅନେକ ଯୁବକ ଗୁଟ୍ଖା ଖାଇବା ଛାଡ଼ିଦେଲେ। ଏବେ ବିଜେବି କଲେଜରେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟରତ ଇମ୍ରାନଙ୍କର ଏହି ସମାଜସେବାର ନିଶା ତାଙ୍କୁ କେଉଁଠି ବି ସ୍ଥାୟୀ ଭାବେ ଚାକିରି କରିବାକୁ ପ୍ରବର୍ତାଇ ପାରିନାହିଁ। ବରଂ ୧୧ ବର୍ଷର ତାଙ୍କର ଏହି ସାଧନା ଅନେକଙ୍କୁ ଖାଲି ନିଶାମୁକ୍ତ କରିନି ନିଶା ବିରୋଧରେ ସଂଗ୍ରାମ କରିବା ପାଇଁ ଅନେକ ଯୁବପିଢ଼ିଙ୍କୁ ପ୍ରୋତ୍ସାହିତ କରିଛି। - ଘାରିଛି ପରିବେଶ ଚିନ୍ତା
ଆପେ ବଞ୍ଚିଲେ ବାପର ନାଁ’ ନ୍ୟାୟରେ ବଞ୍ଚିବାକୁ ପ୍ରତିଯୋଗିତା ଚାଲିଥିବା ବେଳେ ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାର ନିଶା ଏବେ ବି ଘାରିଛି ଇଂ ପ୍ରକାଶ ଜେନାଙ୍କ ଭଳି ଯୁବ ବ୍ୟକ୍ତିତ୍ୱମାନଙ୍କୁ। କେନ୍ଦ୍ରାପଡ଼ାରେ ରାସ୍ତାକଡ଼ରେ ୫୦ ହଜାରରୁ ଊର୍ଧ୍ୱ ବୃକ୍ଷ ରୋପଣ ହେଉ ଅବା ବାଲେଶ୍ୱରରେ ଅଢ଼େଇ ଏକରର ଅଦରକାରୀ ଜମିରେ ଜଙ୍ଗଲ ସୃଷ୍ଟି କରିବା ପଛର ପ୍ରଚ୍ଛଦପଟ ନାୟକ ହେଉଛନ୍ତି ଇଂ ଜେନା। ଖୋର୍ଧାର ଅନେକ ବୈଷୟିକ ଶିକ୍ଷାନୁଷ୍ଠାନ ବି ତାଙ୍କ ପ୍ରଚେଷ୍ଟାରେ ସବୁଜ ଶ୍ୟାମଳ ହୋଇପାରିଛି। ସବୁଠୁ ବଡ଼ କଥା ହେଲା, ହାତୀ ଓ ବାଦୁଡ଼ିଙ୍କ ସୁରକ୍ଷା ପାଇଁ ତାଙ୍କର ନିରନ୍ତର ପ୍ରୟାସ। ଏଭରଗ୍ରିନ୍ ଫୋରମ୍ର ପ୍ରତିଷ୍ଠା କରି ସେ ଏହା ମାଧ୍ୟମରେ ହାତୀଙ୍କ ଭଳି ବନ୍ୟଜନ୍ତୁଙ୍କ ଉପକାରିତା ଓ ହାତୀଙ୍କ ସୁରକ୍ଷା ପାଇଁ ସଂଶ୍ଳିଷ୍ଟ ଅଞ୍ଚଳର ଜନ ସମୁଦାୟଙ୍କୁ ସଚେତନ କରାଇଛନ୍ତି। ଝାଡ଼ଖଣ୍ଡରୁ ନୀଳଗିରିକୁ ହାତୀ ଚାଲିଆସୁଥିବା ସମୟରେ ସେ ତାଙ୍କ ଟିମ୍ ଜରିଆରେ ପ୍ରଚାର ପ୍ରସାର କରି ବେଶ୍ ଖ୍ୟାତି ସାଉଁଟିଥିଲେ। ସେହିପରି ରାଜ୍ୟର ମୟୂରଭଂଜ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ଅଞ୍ଚଳରେ ବାଦୁଡ଼ିମାନଙ୍କ ସୁରକ୍ଷା ଦିଗରେ ଯୁଗୋପଯୋଗୀ ପଦକ୍ଷେପମାନ ନେଇ ସମାଜର ଉପକାରରେ ଅଂଶୀଦାର ହୋଇପାରିଛନ୍ତି। ହାତୀ ଓ ବାଦୁଡ଼ି ଭଳି ଜୀବ ଆମ ପରିବେଶ ପାଇଁ କେତେ ଆବଶ୍ୟକ ତାହାର ବାର୍ତା ପହଞ୍ଚାଇବା ପାଇଁ ସେ ଏବେ ବି ସାରା ଓଡ଼ିଶାରେ ନିରବଚ୍ଛିନ୍ନ ପ୍ରୟାସ ଚଳାଇଛନ୍ତି। - ବହିର ମହକ ବାଣ୍ଟିବାକୁ ୧୨ ହଜାର କିଲୋମିଟର
ଡିଜିଟାଲ୍ ଦୁନିଆରେ ବଞ୍ଚୁଥିବା ମଣିଷଙ୍କ ଭିଡ଼ ଭିତରେ ଏମିତି ବି ମଣିଷ ଅଛନ୍ତି ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍ ତ ଦୂରର କଥା ବରଂ ତାଙ୍କ ପାଇଁ ବିଦ୍ୟୁତ ବି ଏଯାଏଁ ଅପହଞ୍ଚ। ସେହି ଭିଡ଼ ଭିତରର ମଣିଷମାନଙ୍କ ପାଖକୁ ବହିର ସମ୍ଭାର ନେଇ ପହଞ୍ଚାଉଛନ୍ତି ଏକ ଯୁବ ଦମ୍ପତି। ଗଳ୍ପ ବହିଠୁ ନେଇ ଅନେକ ଶିକ୍ଷଣୀୟ ବହିକୁ କାହିଁ କେତେ ଉପାନ୍ତ ଅଞ୍ଚଳରେ ପହଞ୍ଚାଇ ସାରା ଦେଶରୁ ବାଃ ବାଃ ସାଉଁଟିଛନ୍ତି ଅକ୍ଷୟ ରାଉତରାୟ ଏବଂ ଶତାବ୍ଦୀ ମିଶ୍ର। ଖାସ୍ ଏଇଥି ପାଇଁ ସେମାନେ ‘ବୁକ୍ସ ଅନ୍ ହ୍ଵିଲ୍ସ’ ଅଭିଯାନରେ ଦେଶର ୨୦ଟି ରାଜ୍ୟର ୧୨ ହଜାର କିଲୋମିଟର ରାସ୍ତାକୁ ଅତିକ୍ରମ କରି ଦେଶର ଅନେକ ଉପାନ୍ତ ଅଞ୍ଚଳରେ ବହିର ଅମୂଲ ପରସ ଛୁଆଇଁ ହଜାରହଜାର ରସଗ୍ରାହୀ ପାଠକଙ୍କ ମନ ଜିଣିଛନ୍ତି। ଖାଲି ସେତିକି ନୁହେଁ ସାରା ଓଡ଼ିଶାକୁ ମଧ୍ୟ ସେମାନେ ୨ଥର ନିଜର ବୁକ୍ସ ଅନ୍ ହ୍ଵିଲ୍ ଗାଡ଼ି ପରିକ୍ରମା କରାଇ ସାରିଛନ୍ତି। ନିକଟରେ ଖଣ୍ଡଗିରି ଜୟଦେବ ବାଟିକା ରାସ୍ତାରେ ତାଙ୍କର ଏହି ବହି ଗାଡ଼ିର ଅଭିଯାନ ଚାଲିଥିବା ବେଳେ ବର୍ଷା ପରେ ପୁଣି ସାରା ଓଡ଼ିଶାକୁ ଅଭିଯାନ ଆରମ୍ଭ ହେବ ବୋଲି ଅକ୍ଷୟ ରାଉତରାୟ କହିଛନ୍ତି।