ଭାଲେଣ୍ଟାଇନ୍‌ ଦିବସରେ ପ୍ରେମିକକୁ ଖୋଜିଖୋଜି ଥାନାରେ ଯୁବତୀ

ଚନ୍ଦ୍ରଶେଖରପୁର : ଭାଲେଣ୍ଟାଇନ୍‌ ଦିବସ ପାଳିବା ପାଇଁ ଯାଜପୁରରୁ ଭୁବନେଶ୍ବର ଆସିଥିଲେ ଜଣେ ଯୁବତୀ। କିନ୍ତୁ ପ୍ରେମିକକୁ ପାଇଲେ ନାହିଁ। ମୋବାଇଲ୍‌ ଫୋନ୍‌ ବନ୍ଦ ଥିବାରୁ ପ୍ରେମିକକୁ ଠାବ କରିବା ଅସମ୍ଭବ ହେଲା। ପ୍ରେମିକର ଘର ଠିକଣା ଜଣାନଥିଲା। ତେଣୁ ଠକାମିର ଶିକାର ହୋଇଥିବା ଆଶଙ୍କା କରି ଯୁବତୀ ଜଣକ ଇନ୍‌ଫୋସିଟି ଥାନାକୁ ଯାଇ ଅଭିଯୋଗ କରିଛନ୍ତି। ତାଙ୍କ ପ୍ରେମିକକୁ ଖୋଜି ବାହାର କରିବାକୁ ପୁଲିସର ସହାୟତା ଲୋଡ଼ିଛନ୍ତି। ଆଜି ପ୍ରେମ ସପ୍ତାହର ଶେଷ ଦିନରେ ଯୁବତୀ ଠକ ପ୍ରେମିକ ଦ୍ବାରା ଫସିବା ଘଟଣାଟି ଇନ୍‌ଫୋସିଟି ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଯୁବତୀଙ୍କ ଅଭିଯୋଗ ଅନୁସାରେ ପଟିଆ ଷ୍ଟେସନ ନିକଟରେ ରହୁଥିବା ଯୁବକ ଜଣକ ଯାଜପୁରରେ ରହି ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ସେଠାରେ ସେମାନଙ୍କର ସମ୍ପର୍କ ଗଢ଼ି ଉଠିଥିଲା। ପ୍ରେମ ସମ୍ପର୍କ ନିବିଡ଼ ହୋଇଥିଲା। କିନ୍ତୁ ଗତ କିଛି ଦିନ ପୂର୍ବେ ସେ ଭୁବନେଶ୍ବର ‌ଆସିଥିଲେ ଓ ଭାଲେଣ୍ଟାଇନ୍‌ ସପ୍ତାହ ପୂର୍ବରୁ ଯାଜପୁର ଫେରିବେ ବୋଲି କହିଥିଲେ। ସେମାନେ ଯାଜପୁରରେ ହିଁ ପ୍ରେମ ସପ୍ତାହ ପାଳିବେ ବୋଲି କଥା ଛିଡ଼ିଥିଲା। ମାତ୍ର ପ୍ରେମ ସପ୍ତ‌ାହ ସରିବାକୁ ବସିଲା ପଛେ, ସେ ଯାଜପୁର ଫେରିଲେ ନାହିଁ। ଏମିତିକି ତାଙ୍କ ମୋବାଇଲ୍‌ ଫୋନ୍‌ ବନ୍ଦ ଥିବାରୁ ଭଲମନ୍ଦ ଜଣାପଡ଼ିଲା ନାହିଁ। ତେଣୁ ଆଜି ସକାଳୁ ଯୁବତୀ ଜଣକ ଯାଜପୁରରୁ ଭୁବନେଶ୍ବର ଆସିଥିଲେ। ରାଜଧାନୀରେ ଭାଲେଣ୍ଟାଇନ୍‌ ଡେ ପାଳିବେ ବୋଲି ଭାବିଥିଲେ। ମାତ୍ର ପଟିଆ ଷ୍ଟେସନ ନିକଟରେ ଯୁବକର ଘର ଖୋଜଖୋଜି ସେ ପାଇଲେ ନାହିଁ। ଏମିତିକି ଫଟୋ ଦେଖାଇଲେ ବି କେହି ତାଙ୍କୁ ଚିହ୍ନିନଥିବା କହୁଛନ୍ତି। ତେଣୁ ସେ ପୁଲିସର ଦ୍ବାରସ୍ଥ ହୋଇଛନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର