ଭୁବନେଶ୍ବର : ବିଷ ପିଇ ଚିକିତ୍ସାଧୀନ ଥିବା ଜଣେ ଯୁବତୀଙ୍କ ମୃତଦେହକୁ ଲକ୍ଷ୍ମୀସାଗର ଥାନା ପୁଲିସ ହସ୍ପିଟାଲରୁ ଜବତ କରିଛି। ସେ ହେଲେ କଟକ ଜିଲ୍ଲା ନିଆଳି କଣ୍ଠିଶାଳ ଅଞ୍ଚଳର ଲୋନି ବେହୁରା(୨୨)। ପୁଲିସ ସୂଚନା ମୁତାବକ ଲୋନି ଲକ୍ଷ୍ମୀସାଗର ଉପରସାହି ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ ଓ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। କୌଣସି କାରଣରୁ ସେ ମଙ୍ଗଳବାର ଦିନ ଅପରାହ୍ଣ ପ୍ରାୟ ୧ଟା ସମୟରେ ବିଷ ପିଇ ଦେଇଥିଲେ। ଖବର ପାଇ ତାଙ୍କ ବାପା ଅଜୟ ବେହୁରା ଲକ୍ଷ୍ମୀସାଗରରେ ପହଞ୍ଚି ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ପାଣ୍ଡରାସ୍ଥିତ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଜବତ

ଚନ୍ଦ୍ରଶେଖରପୁର : ବୁଧବାର ଦିନ ପଟିଆ ଅଞ୍ଚଳର ଏକ ଭଡ଼ାଘରୁ ଚନ୍ଦ୍ର‌ଶେଖରପୁର ଥାନା ପୁଲିସ ଜଣେ ବିଦ୍ୟୁତ୍‌ ବିଭାଗର ଯୁବ ଇଂଜିନିୟରଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଜବତ କରିଛି। ମୃତକ ହେଲେ କଟକ ଜିଲ୍ଲା ଆଠଗଡ଼ର ସମ୍ବିତ କୁମାର ସେଠୀ (୨୮)। ସେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ ପ୍ରାଥମିକ ତଦନ୍ତୁ ଜାଣିବାକୁ ପାଇଛି ବୋଲି ସୂଚନା ଦେଇଛି। ଗତକାଲି ରାତିରେ ଘର ମାଲିକ ତାଙ୍କ ମୃତଦେହକୁ ଫ୍ୟାନ୍‌ରେ ଝୁଲୁଥିବା ଦେଖି ପୁଲିସକୁ ଜଣାଇଥିଲେ। ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମୃତଦେହକୁ ଜବତ କରିଥିଲା। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ଓ କାରଣ ଖୋଜିବାକୁ ଯାଇ ପୁଲିସ ସମ୍ବିତ୍‌ଙ୍କ ମୋବାଇଲ୍‌ ଫୋନ୍‌ ରେକର୍ଡ ଯାଞ୍ଚ କରୁଛି।