ଭୁବନେଶ୍ବର: ରିୟଲ୍ ଇଷ୍ଟେଟ୍ ସଂସ୍ଥାରେ ପୁଞ୍ଜି ଖଟାଇବା ବାହାନାରେ ଜଣେ ନିବେଶକଙ୍କଠାରୁ ୩୯ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ଭୁବନେଶ୍ବର ସାଇବର ଥାନା ପୁଲିସ ୪ ତାରିଖ ଦିନ ମାମୁନି ଦାସଙ୍କୁ ଗିରଫ କରିଛି। କିନ୍ତୁ ଏହି ଠକେଇର ମାଷ୍ଟରମାଇଣ୍ଡ୍ ବିହାରର ଧର୍ମେନ୍ଦ୍ର ଶାହ ଧରାପଡ଼ିନାହିଁ। ମାମୁନିଙ୍କ ସହ ଲିଭ୍ଇନ୍ରେ ଥାଇ ଏଭଳି ଚାଲ୍ ଖେଳିଥିବା ଧୂର୍ତ୍ତ ଧର୍ମେନ୍ଦ୍ରକୁ ପୁଲିସ ଗିରଫ କରିପାରିନାହିଁ। ବାହା ହୋଇ ଘର ସଂସାର କରିବା ଆଶାରେ ଧର୍ମେନ୍ଦ୍ର ସହ ଲିଭ୍ଇନ୍ରେ ରହୁଥିବା ମାମୁନି ଏବେ ଜେଲ୍ର ଚାରିକାନ୍ଥ ଭିତରେ ଦିନ ଗଣୁଥିବା ବେଳେ ତାଙ୍କୁ ଢାଲ କରି କୋଟିକୋଟି ଟଙ୍କା ଚଳୁ କରିଥିବା ସାଇବର ଠକ ଧର୍ମେନ୍ଦ୍ର ବାହାରେ ବୁଲୁଛି। କେବଳ ଓଡ଼ିଶା ନୁହେଁ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଆଦି ୭ଟି ରାଜ୍ୟର ଧର୍ମେନ୍ଦ୍ର କୋଟିଏ ଟଙ୍କାରୁ ଅଧିକ ଚଳୁ କରି ଫେରାର ହୋଇଯାଇଛି। ତାକୁ ଧରିବାକୁ ପୁଲିସ ବିହାରର ବିଭିନ୍ନ ଜାଗାରେ ଚଢ଼ଉ କରି ଖାଲି ହାତରେ ଫେରିଛି।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କେନ୍ଦୁଝରର ସ୍ବାମୀ ପରିତ୍ୟକ୍ତା ମାମୁନି ଜଣେ ନୃତ୍ୟ ଶିକ୍ଷୟିତ୍ରୀ। ଏକଦା ଉତ୍ତରପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ସେ ଧର୍ମେନ୍ଦ୍ରଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। କିନ୍ତୁ ଧର୍ମେନ୍ଦ୍ର ଜଣେ ସାଇବର ଠକ ଓ ସେ ତାଙ୍କୁ ଠକେଇର ଢାଲ କରିବାକୁ ଭଲ ପାଉଥିଲା ବୋଲି ମାମୁନି ବୁଝିପାରିନଥିଲେ। ସେମାନେ ଭୁବନେଶ୍ବର ପୋଖରୀପୁଟରେ ଭଡ଼ାଘର ନେଇ ଲିଭ୍ଇନ୍ରେ ରହିଥିଲେ। ଏହା ଭିତରେ ଧୂର୍ତ୍ତ ଧର୍ମେନ୍ଦ୍ର, ମାମୁନିଙ୍କ ନାଁରେ ଏକ ରିୟଲ୍ ଇଷ୍ଟେଟ୍ କମ୍ପାନି କରିଥିଲା। ଏହି ସଂସ୍ଥାର ଆକାଉଣ୍ଟ ମଧ୍ୟ ମାମୁନିଙ୍କ ନାଁରେ ଖୋଲାଇଥିଲା। ମାମୁନିଙ୍କ ମୋବାଇଲ୍ ନମ୍ବର, ଆକାଉଣ୍ଟ ନମ୍ବରରେ ଧର୍ମେନ୍ଦ୍ର ଖେଳ ଆରମ୍ଭ କରିଦେଇଥିଲା। ମାସିକ ୭ ପ୍ରତିଶତରୁ ଅଧିକ ରିଟର୍ଣ ଦେବାର ଲୋଭ ଦେଖାଇ ଧର୍ମେନ୍ଦ୍ର ନିବେଶକଙ୍କୁ ଆକୃଷ୍ଟ କରୁଥିଲା। ଜଣେ ନିବେଶକ ଏହି ସଂସ୍ଥାରେ ୩୯ ଲକ୍ଷ ଟଙ୍କା ବିନିଯୋଗ କରି ଠକାମିର ଶିକାର ହେବା ନେଇ ସାଇବର ଥାନାରେ ଅଭିଯୋଗ କଲେ। ଗତ ମାସ ୨୮ରେ ସାଇବର ଥାନା ପୁଲିସ ମାମଲା ରୁଜୁ କରି ଖୋଳତାଡ଼ କରୁକରୁ ମାମୁନି ଧରାପଡ଼ିଥିଲେ। କିନ୍ତୁ ସେତେବେଳକୁ ଧୂର୍ତ୍ତ ଧର୍ମେନ୍ଦ୍ର ଚମ୍ପଟ ମାରିସାରିଥିଲା। ପୁଲିସ ତଦନ୍ତରୁ ଜଣାପଡ଼ିଛି ଧର୍ମେନ୍ଦ୍ର, ମାମୁନିଙ୍କ ନାଁରେ ନକଲି କମ୍ପାନି ଖୋଲି ପାଖାପାଖି ୭ଟି ରାଜ୍ୟର ନିବେଶକଙ୍କଠାରୁ କୋଟିଏରୁ ଅଧିକ ଟଙ୍କା ଲୁଟି ନେଇଛି। ଧର୍ମେନ୍ଦ୍ର ଧରାପଡ଼ିବା ପରେ ବହୁ ଗୁମର ଫିଟିବ ବୋଲି ପୁଲିସ କହିଛି।