ଦୁଇ ମହଲାରୁ ଡେଇଁ ପଡ଼ିଲେ ଯୁବତୀ!

ସ୍ଥାନୀୟ ବାସିନ୍ଦା ଆଣିଲେ ସଙ୍ଗିନ୍‌ ଅଭିଯୋଗ, ନିଶା ଓ ଅନୈତିକ କାରବାରର ହବ୍ ପାଲଟିଛି: ଆପାର୍ଟମେଣ୍ଟ ବାସିନ୍ଦା

ଭୁବନେଶ୍ବର : ଶନିବାର ବିଳମ୍ବିତ ରାତିରେ ଘାଟିକିଆସ୍ଥିତ ଟ୍ରାଇଡେଣ୍ଟ୍ ଗାଲାକ୍ସି ଆପାର୍ଟମେଣ୍ଟ‌ର ଦ୍ବିତୀୟ ମହଲାରୁ ଗଳି ପଡ଼ି ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି। ସେ ଏବେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର ଏହି ଯୁବତୀ ଏଠାରେ ଏକ ଘରୋଇ କଲେଜରେ ଆଇନ ଛାତ୍ରୀ। ଗତକାଲି ସେ ଜଣେ ସାଙ୍ଗ ଘରକୁ ଆସିଥିଲେ। ହଠାତ୍ ସେ ବାଲ୍‌କୋନିକୁ ଚାଲି ଆସି ଚିତ୍କାର କରିଥିଲେ। ଯୁବବନ୍ଧୁଜଣକ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ସେ ତଳକୁ ଖସି ପଡ଼ିଥିଲେ।

ଚନ୍ଦକା ଥାନା ପୁଲିସ ସୂଚନାନୁସାରେ କିଛି ଦିନ ତଳେ ଯୁବତୀଙ୍କର ନିର୍ବନ୍ଧ ହୋଇଥିଲା। କୌଣସି କାରଣରୁ ନିର୍ବନ୍ଧ ଭାଙ୍ଗିଯିବାରୁ ଯୁବତୀଙ୍କ ମାନସିକ ଅବସ୍ଥା ଭଲ ନଥିଲା। ତେଣୁ ସେ ଆପାର୍ଟମେଣ୍ଟରୁ ଅସାବଧାନତାବଶତଃ ତଳକୁ ଖସି ପଡ଼ିଥିଲେ। ମାତ୍ର ଆପାର୍ଟମେଣ୍ଟର ବାସିନ୍ଦାମାନେ ଏହାକୁ ପୁଲିସର ଏକ ସଫେଇ ବୋଲି କହିଛନ୍ତି। ସେମାନଙ୍କ କହିବା କଥା ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିବା ଯୁବକଯୁବତୀମାନେ ନିଶାଦ୍ରବ୍ୟ ସେବନ ଭଳି ଅନୈତିକ କାମ କରୁଛନ୍ତି। ବିଲ୍ଡର୍‌ ଟଙ୍କା ଲୋଭରେ ବ୍ୟାଚଲର୍‌ଙ୍କୁ ଜାଣିଶୁଣି ଘର ଭଡ଼ା ଦେଉଛି। ସ୍ଥାନୀୟ ପୁଲିସ ଓ ବିଲ୍ଡର୍‌ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସବୁ କିଛି ଲୁଚି ଯାଉଛି। ତେଣୁ ଏହି ମାମଲା ପଛରେ ବି ଅନ୍ୟ କିଛି ରହସ୍ୟ ଥିବ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି। ପୁଲିସ ପ୍ରକୃତ ତଦନ୍ତ କଲେ, ବହୁତ କିଛି ସତ୍ୟ ସମ୍ମୁଖକୁ ଆସିପାରିବ ବୋଲି ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର