ନଗ୍ନ ଭିଡିଓ ଦେଖାଇ ବ୍ଲାକମେଲ୍‌: କୁଆଖାଇକୁ ଡେଇଁଲେ ଯୁବତୀ

ଭୁବନେଶ୍ବର : ପ୍ରେମିକ ପ୍ରତାରଣା କଲା। ବିଶ୍ବାସରେ ବିଷ ଦେଲା। ତେବେ କଥା କେବଳ ପ୍ରତାରଣାରେ ଅଟକିନଥିଲା। ଶଠ ପ୍ରେମିକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍‌ କରିବା ଧମକ ଦେଇ ବ୍ଲାକମେଲ୍‌ ବି କଲା। ଶେଷର ଯୁବତୀଙ୍କ ବଞ୍ଚିବା କାଠିକାର ହୋଇଗଲା। ତେଣୁ ଜୀବନ ହାରିବା ପାଇଁ କୁଆଖାଇ ନଦୀକୁ ଡେଇଁପଡ଼ିଲେ ଯୁବତୀ। ସୌଭାଗ୍ୟକୁ ଠିକଣା ସମୟରେ ପୁଲିସ ତାଙ୍କୁ ଉଦ୍ଧାର କରିଛି। ପୁଲିସ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି।

ସହିଦନଗର ଥାନା ନିକୋପାର୍କ ବସ୍ତିର ଜଣେ ଯୁବକ ଓ ଏହି ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ବିବାହ କରିବାର ପ୍ରଲୋଭନ ଦେଖାଇବା ସହ ବିଶ୍ବାସ ଜନ୍ମାଇବା ପରେ ଧୋକାବାଜ୍‌ ଯୁବକ ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ଏହି ସମୟରେ ଶଠ ଯୁବକ ଚତୁରତାର ସହ ତା ମୋବାଇଲ୍‌ରେ କିଛି ନଗ୍ନ ଭିଡିଓ ଓ ଫଟୋ କଏଦ କରିଥିଲା। କିଛିଦିନ ହେବ ଯୁବକ ଜଣଙ୍କ ତାଙ୍କୁ ଭିଡିଓ ଓ ଫଟୋ ଭାଇରାଲ୍‌ କରିବାର ଧମକ ଦେଇ ବ୍ଲାକମେଲ୍‌ କରି ଚାଲିଥିଲା। ଟଙ୍କା ନଦେଲେ ଭିଡିଓ ଭାଇରାଲ୍‌ କରିବ ବୋଲି ଯୁବତୀଙ୍କୁ ବାରମ୍ବାର ଧମକ ଦେଇଥିଲା। ଯୁବତୀ ଜଣଙ୍କ ଏହି ନିର୍ଯାତନା ସହି ନପାରି ଆଜି କୁଆଖାଇ ନଦୀକୁ ଡ଼େଇଁ ପଡ଼ିଥିଲେ। ସ୍ଥାନୀୟ ଲୋକମାନଙ୍କ ସହାୟତାରେ ମଞ୍ଚେଶ୍ବର ଥାନା ପୁଲିସ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି। ଯୁବତୀଙ୍କଠାରୁ ପୁଲିସ ଏସବୁ ତଥ୍ୟ ପାଇଥିଲେ ବି ଅଭିଯୋଗ ହେବା ପର୍ଯ୍ୟନ୍ତ ମାମଲା ରୁଜୁ କରିବାକୁ ଅପେକ୍ଷା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର