ଭୁବନେଶ୍ବର: କମ୍ ସମୟରେ ଲକ୍ଷପତି ହେବା ଲୋଭରେ ପଡ଼ି ଯୁବକ, ଯୁବତୀମାନେ ଲକ୍ଷ ଲକ୍ଷ ଟଙ୍କା ହରାଇବା ଘଟଣା ଆଲୋଡନ ସୃଷ୍ଟି କରିଛି। କିଏ ଘରେ ବସି ଅନ୍‌ଲାଇନ୍ ରୋଜଗାର କରିବା ନିଶାରେ ଟଙ୍କା ହରାଉଛି ତ ଆଉ କିଏ ଟ୍ରେଡିଂ ଆପ୍‌ରେ ବିନିଯୋଗ କରି ଠକେଇର ଶିକାର ହେଉଛି। ଏବେ ଜଣେ ଯୁବତୀ ଟଙ୍କା ରୋଜଗାର କରିବା ନିଶାରେ ପ୍ରାୟ ୨୦ ଲକ୍ଷ ଟଙ୍କା ହରାଇଛନ୍ତି। ଏ ନେଇ ସାଇବର ଥାନାର ଦ୍ବାରସ୍ଥ ହେବା ପରେ ପୁଲିସ ମାମଲା ରୁଜୁ କରିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଠକେଇର ଶିକାର ହୋଇଥିବା ଯୁବତୀ ୟୁନିଟ୍-୩ ଅଞ୍ଚଳରେ ରୁହନ୍ତି। ସେ ଏକ ଗ୍ରୁପ୍ ଓ ବ୍ୟକ୍ତିଗତ ହ୍ବାଟସଆପ୍ ଜରିଆରେ ଏକ୍ସଏନ୍‌ୱାଇ ଟ୍ରେଡିଂ ଆପ୍ ଲିଙ୍କ୍ ପାଇଥିଲେ। ଏହି ଟ୍ରେଡିଂ ଆପ୍ ଜରିଆରେ ଟଙ୍କା ବିନିଯୋଗ କଲେ ପ୍ରାୟ ଅଢ଼େଇ ଗୁଣାରୁ ଅଧିକ ଫେରସ୍ତ ମିଳିବ ବୋଲି ତାଙ୍କୁ କୁହାଯାଇଥିଲା। ସେ ପ୍ରଥମେ ୮ ହଜାର ଟଙ୍କା ବିନିଯୋଗ କରିଥିଲେ ଓ ଫେରସ୍ତ ପାଇଥିଲେ। ପରେ ୮ ହଜାର ଟଙ୍କା ବିନିଯୋଗ କରି ୨୦ ହଜାର ଟଙ୍କା ପାଇଥିଲେ। ଏହା ପରେ ଲକ୍ଷାଧିକ ଟଙ୍କା ମିଳିବ ବୋଲି ଟ୍ରେଡିଂ ଆପ୍ ପରିଚାଳନା କରୁଥିବା ସାଇବର ଠକ କହିଥିଲା। ଏହିଭଳି କହି ୫ ଲକ୍ଷ, ୨ ଲକ୍ଷ, ୧ ଲକ୍ଷ, ୫୦ ହଜାର ଟଙ୍କା ଏମିତି କରି ମୋଟ୍ ୧୯ ଲକ୍ଷ ୩୮ ହଜାର ଟଙ୍କା ଦେଇଥିଲେ ସମ୍ପୃକ୍ତ ଯୁବତୀ।

ଯେତେବେଳେ ଟଙ୍କା ଫେରସ୍ତ ଚାହିଥିଲେ, ସେତେବେଳେ ସାଇବର ଠକ ଫାଙ୍କିବା ଆରମ୍ଭ କରିଥିଲା। ଯୁବତୀ ଠକାମିର ଶିକାର ହେବା ଜାଣିବା ପରେ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଏ ସଂକ୍ରାନ୍ତରେ କେସ୍ ନଂ-୮୭ ଓ ଆଇପିସି ଦଫା-୪୧୯, ୪୨୦ରେ ମାମଲା ରୁଜୁ କରିଛି।