ଭୁବନେଶ୍ବର : ଦିନ ପ୍ରାୟ ଗୋଟାଏ ହେବ। କବାଟ ଆଉଜା ହୋଇଥିବାରୁ ଘର ଭିତରକୁ ଅତି ସହଜରେ ପଶି ଆସିଲେ। ସଂପର୍କୀୟ ଭଉଣୀ ମୁହଁ ମାଡ଼ି ତଳେ ଶୋଇଥିବା ଦେଖି ଦୀର୍ଘ ସମୟ ପର୍ଯ୍ୟନ୍ତ ମୋବାଇଲ୍ରେ ତାଙ୍କ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କଲେ। ଦିନ ବେଳା ଏମିତି କବାଟ ଖୋଲା ଛାଡ଼ି କୋଉ ଲୋକ ଏତେ ଅଚିନ୍ତାରେ ଶୋଇଥାଏ ବୋଲି ପରିହାସ କରି ଦର୍ଶକଙ୍କୁ ଜଣାଇଲେ। ଏତେ ସମୟ ପର୍ଯ୍ୟନ୍ତ ପାଟି କରି ଭିଡିଓ ସୁଟ୍ ପରେ ମଧ୍ୟ ଭଉଣୀ ନ ଉଠିବାରୁ ଭିଡିଓ ବନ୍ଦ କରି ତାଙ୍କୁ ନିଦରୁ ଉଠାଇବାକୁ ଚେଷ୍ଟା କଲେ। କିନ୍ତୁ ବିଫଳ ହେଲେ। ବହୁ ଡକାଡକି, ହଲାପଟା ପରେ ମଧ୍ୟ ନ ଉଠିବାରୁ ସନ୍ଦେହ ହେଲା ଓ ପଡ଼ୋଶୀଙ୍କୁ ଡାକ ପକାଇଲେ। ପଡ଼ୋଶୀ ଆସି ଦେଖିବା ବେଳକୁ ଯୁବତୀଙ୍କ ପ୍ରାଣବାୟୁ ଉଡ଼ି ସାରିଥିଲା। ଭରତପୁର ଥାନା ଅନ୍ତର୍ଗତ ତାରିଣୀ ବସ୍ତିରେ ସୋମବାର ଘଟିଥିବା ଏକ ହତ୍ୟା ଘଟଣାରେ ଜଣେ ନାବାଳିକାଠାରୁ ପୁଲିସ ଏମିତି କିଛି ବୟାନ ରେକର୍ଡ କରିଛି।
ହତ୍ୟାର ଶିକାର ଯୁବତୀ ହେଲେ, ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଚାପମାଣିକ ଅଞ୍ଚଳର ସୁରେଖା ପଲେଇ (୨୧)। ଭରତପୁର ପୁଲିସ, ଜୋନ୍-୩ ଏସିପି, ସ୍ପେସାଲ ସ୍କ୍ବାଡ୍ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ଏମ୍ସ ପଠାଇବା ସହ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଯୁବତୀଙ୍କ ମୋବାଇଲ ଫୋନ୍, ବେକରେ ଥିବା ଦାଗର ଫିଙ୍ଗରପ୍ରିଣ୍ଟ, ଘର ଭିତରୁ କିଛି ନମୁନା, ବାହାରେ ଥିବା ପାଉଁଶ, ଦରପୋଡ଼ା କାଠ ସଂଗ୍ରହ କରିଛି। ଯୁବତୀଙ୍କ ଘରକୁ ସିଲ୍ କରି ଦେଇଛି ପୁଲିସ। ଏହି ଘଟଣା ଆଜି ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଅପରପକ୍ଷେ ଯୁବତୀଙ୍କ ସାମ୍ନା ଘରେ ରହୁଥିବା ଛୋଟୁ ନାମକ ଜଣେ ଯୁବକର ସକାଳୁ ଦେଖାଦର୍ଶନ ମିଳୁନଥିବାରୁ ସେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା କୁହାଯାଉଛି। ସୁରେଖାଙ୍କୁ ଗତରାତି କିମ୍ବା ଭୋର୍ରୁ ହତ୍ୟା କରାଯାଇଥିବା ପୁଲିସ୍ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ତେଣୁ ସାଇଣ୍ଟିଫିକ୍ ଟିମ୍ ଅଭିଯୁକ୍ତ ଛୋଟୁରହୁଥିବା ଘରୁ କିଛି ନମୁନା, ଫିଙ୍ଗରପ୍ରିଣ୍ଟ ସଂଗ୍ରହ କରିଛି। ଛୋଟକୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ, ସୁରେଖା ପ୍ରାୟ ବର୍ଷେରୁ ଅଧିକ ହେବ, ତାରିଣୀ ବସ୍ତିର ଏକ ଘରେ ଭଡ଼ାରେ ରହୁଥିଲେ। ଏକ ବିୟୁଟି ପ୍ରଡକ୍ଟ କମ୍ପାନିରେ ମାର୍କେଟିଂ କାମ କରୁଥିଲେ। ଦେଢ଼ ମାସ ହେଲା ସାମ୍ନା ଘରେ ଜଣେ ଯୁବକ ଆସି ରହୁଥିଲେ। ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ଛୋଟୁ ବୋଲି ଡାକନ୍ତି। ସେ ଜଣେ ବ୍ୟବସାୟୀଙ୍କ ସହ ଫ୍ଲେକ୍ସ, ପ୍ରିଣ୍ଟ କାମ କରନ୍ତି। ନିକଟରେ ରହୁଥିବା ଜଣେ ପଡ଼ୋଶୀ ଯୁବକଙ୍କ କହିବାନୁସାରେ, ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଛୋଟୁ ଘରେ ଭୋଜିଭାତ ଚାଲିଥିଲା। ଛୋଟୁର ଦୁଇ ତିନିଜଣ ସାଙ୍ଗ ଓ ସୁରେଖା ମଧ୍ୟ ସେଠାରେ ଥିଲେ। ଛୋଟୁ ଘରୁ ଉଚ୍ଚଶବ୍ଦରେ ମ୍ୟୁଜିକ୍ ଶୁଭୁଥିଲା। କିନ୍ତୁ ଭୋର୍ ପ୍ରାୟ ୫ଟା ପାଖାପାଖି ଆଉ କିଛି ସୋର୍ଶବ୍ଦ ନଥିଲା। ସାଢ଼େ ୫ଟା ବେଳକୁ ତାଙ୍କର ମାଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ଛୋଟୁର ଘର ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ସୁରେଖାଙ୍କ ଘର କବାଟ ବି ଆଉଜା ହୋଇଥିଲା। ସେହି ସାମ୍ନାରେ ପାଉଁଶ ଗଦା ହୋଇଥିବା ବେଳେ ଦରପୋଡ଼ା କାଠ ପଡ଼ିଥିଲା। ରାତିରେ ସେଠାରେ ନିଆଁ ଜଳାଉଥିବା ସନ୍ଦେହ କରାଯାଉଛି। ତେବେ ଅପରାହ୍ଣ ପ୍ରାୟ ଗୋଟାଏରେ ସୁରେଖାଙ୍କ ଭଉଣୀ ତାଙ୍କ ଘରକୁ ଆସିବା ପରେ ଏ ହତ୍ୟାକାଣ୍ଡ ସଂପର୍କରେ ଜଣାପଡ଼ିଥିଲା। ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସଂଧ୍ୟାରେ ସୁରେଖାଙ୍କ ପରିବାରଲୋକ ପହଞ୍ଚିବା ପରେ ବସ୍ତିରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା।
ସୁରେଖାଙ୍କ ସହ ଛୋଟୁର ପ୍ରେମ ସଂପର୍କ ଥିବା ସଂପର୍କୀୟ ଭଉଣୀ କହିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ଉଭୟଙ୍କ ମଧ୍ୟରେ ଯଦି ସଂପର୍କ ଭଲ ଥିଲା, ତେବେ ସୁରେଖାଙ୍କୁ କାହିଁକି ହତ୍ୟା କରାଗଲା? ନା ହତ୍ୟା କରିବା ପାଇଁ ଭୋଜି ଏକ ବାହାନା ଥିଲା? ନା କ୍ଷଣିକ ଉତ୍ତେଜନାରେ ଏହି ହତ୍ୟାକାଣ୍ଡ ଘଟିଛି? ଆଦି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି। ବ୍ୟବଚ୍ଛେଦ ରିପୋର୍ଟ ଓ ଛୋଟୁ ଧରାପଡ଼ିବା ପରେ ଏହି ହତ୍ୟାକାଣ୍ଡର ଖୁଲାସା ହେବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
ବଢ଼ି ଚାଲିଛି ବେଆଇନ ଘର, ଭଡ଼ାଟିଆଙ୍କ ସମ୍ପର୍କରେ ଖବର ରହୁନି
ତାରିଣୀ ବସ୍ତିରେ ବେଧଡ଼କ ଭାବେ ବେଆଇନ ଘର ତିଆରି ଚାଲିଛି। କିଛି ଲୋକ ଏକାଧିକ ଘର କରି ଭଡ଼ାରେ ଲଗାଇ ଦେଉଛନ୍ତି। କିନ୍ତୁ ସେମାନଙ୍କ ପାଖରେ ଭଡ଼ାଟିଆଙ୍କ ସଂପର୍କରେ କୌଣସି ସୂଚନା ରହୁନାହିଁ। ଆଜିର ଘଟଣାରେ ବି ହତ୍ୟା ଅଭିଯୁକ୍ତ ବାବଦରେ କାହା ପାଖରେ କିଛି ଖବର ନାହିଁ। ସେମାନେ କିଏ? କେଉଁ ଜାଗାରେ କାମ କରୁଛନ୍ତି? ଘର କେଉଁଠି? ନା କ’ଣ? ପୁଲିସ୍କୁ କୌଣସି ସୂଚନା ମିଳିପାରି ନଥିଲା। ଏଇଥିରୁ ପୁଲିସର ‘ବସ୍ତିକୁ ଚାଲ ଅଭିଯାନ’ କେମିତି କାମ କରୁଛି, ତାହା ଜଳଜଳ ଦିଶୁଛି।