ଭୁବନେଶ୍ବର: କଣ୍ଠଶିଳ୍ପୀ ହେବାର ସ୍ବପ୍ନ ଦେଖୁଥିବା ଜଣେ ଯୁବତୀଙ୍କୁ ଫିଲ୍ମରେ ସୁଯୋଗ ଦେବା ଆଳରେ ରାଜଧାନୀକୁ ଆଣି ୩ ଦୁର୍ବୃତ୍ତ ଦୁଷ୍କର୍ମ କଲେ। ଲଜ୍ରେ ନିଶାଦେଇ ଗଣଦୁଷ୍କର୍ମ କଲେ। ଏଭଳି ଏକ ସଂଗିନ୍ ମାମଲାରେ ମହିଳା ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଜଗତସିଂହପୁର ଚାଷୀଖଣ୍ଡ ଅଞ୍ଚଳର ଚନ୍ଦନ କୁମାର ହାତୀ ଓରଫ ଚାନ୍ଦୁ(୨୫), ପ୍ରସନ୍ନ କୁମାର ଆଚାର୍ଯ୍ୟ(୩୭) ଓ ଚନ୍ଦ୍ରଶେଖରପୁର ଅଞ୍ଚଳର ରାଜେଶ କୁମାର ଦାସ(୩୨)।
ପୁଲିସ ସୂଚନାନୁସାରେ ମୁଖ୍ୟ ଅଭିଯୁକ୍ତ ଚାନ୍ଦୁ ଜଣେ ଜଣାଶୁଣା ସଂଗୀତଜ୍ଞଙ୍କ ଗାଡ଼ି ଚାଳକ। ଏକ କାର୍ଯ୍ୟକ୍ରମରେ ଚାନ୍ଦୁ ପୀଡ଼ିତାଙ୍କୁ ଭେଟିଥିଲା। ଚାନ୍ଦୁ ଜରିଆରେ ସଂଗୀତଜ୍ଞଙ୍କୁ ଭେଟିବ ବୋଲି ଚିନ୍ତା କରି ଯୁବତୀଜଣକ ତା’ର ସହଯୋଗ ଲୋଡ଼ିଥିଲା। ଚାନ୍ଦୁକୁ ମଉକା ମିଳିଯାଇଥିଲା। ସଂଗୀତଜ୍ଞଙ୍କୁ କହି ଭଲ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇପାରିବ ବୋଲି ଚାନ୍ଦୁ ଯୁବତୀଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲା। ଚାନ୍ଦୁ କଥାରେ ଯୁବତୀଙ୍କର ବିଶ୍ବାସ ବଢ଼ିଯାଇଥିଲା। ମାତ୍ର ଚାନ୍ଦୁ ଯେ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ଫସାଇବାକୁ ଯୋଜନା କରିଛି, ଯୁବତୀ ବୁଝିପାରି ନଥିଲେ। ତେଣୁ ଚାନ୍ଦୁ କଥାରେ ଭାସି ଯାଇ ୧୦ ତାରିଖ ଦିନ ଯୁବତୀ ଚନ୍ଦ୍ରଶେଖରପୁରରେ ପହଞ୍ଚିଥିଲେ। ଏକ ଲଜ୍ରେ ସଂଗୀତଜ୍ଞଙ୍କ ସହ କଥାବାର୍ତ୍ତା ଛିଡ଼ିବ ବୋଲି କହି ଚାନ୍ଦୁ, ଯୁବତୀଙ୍କୁ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଏକ ଲଜ୍କୁ ନେଇଥିଲା। ସେହି ଲଜ୍ରେ କାମ କରୁଥିଲା ଚାନ୍ଦୁର ସହଯୋଗୀ ରାଜେଶ। ଯୋଜନାନୁସାରେ ରାଜେଶ ଥଣ୍ଡା ପାନୀୟରେ ନିଶା ମିଶାଇ ଯୁବତୀଙ୍କୁ ପିଇବାକୁ ଦେଇଥିଲା। ଏହାପରେ ଯୁବତୀ ସଂଜ୍ଞା ହରାଇଥିଲେ ଏବଂ ଚାନ୍ଦୁ ଓ ତା’ର ଦୁଇ ସହଯୋଗୀ ଦୁଷ୍କର୍ମ କରିଥିଲେ। ଚେତା ଫେରିବା ପରେ ଯୁବତୀଜଣକ ଦୁଷ୍କର୍ମର ଶିକାର ହୋଇଥିବା ଜାଣିପାରିଥିଲେ। ମାତ୍ର ଲଜ୍ରୁ ମୁକୁଳି ପାରିନଥିଲେ। ଅଭିଯୁକ୍ତମାନେ ତାଙ୍କୁ ଏକପ୍ରକାର ବନ୍ଦୀ କରି ରଖିଥିଲେ। ତେବେ କୌଶଳକ୍ରମେ ସେ ଲଜ୍ରୁ ବାହାରି ଘରକୁ ଚାଲିଯାଇଥିଲେ ଏବଂ ବଡ଼ ଭଉଣୀଙ୍କୁ ଧରି ମହିଳା ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ।