ରାସ୍ତାକଡ଼ରୁ ଯୁବତୀ ଉଦ୍ଧାର ଘଟଣା : ରିପୋର୍ଟ କହୁଛି ଦୁଷ୍କର୍ମ ହୋଇନି

ଭୁବନେଶ୍ୱର : ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିବା ଦିବ୍ୟାଙ୍ଗ ଯୁବତୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଯାଁଳାସ୍ଥିତ ମିସନ ଆଶ୍ରାରେ ଛଡ଼ା ଯାଇଛି। ସୁସ୍ଥ ହେବା ପରେ ମଞ୍ଚେଶ୍ବର ଥାନା ପୁଲିସ ଯୁବତୀଙ୍କୁ ନେଇ ସେଠାରେ ଛାଡ଼ିବା ସହ ତାଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ତେବେ ଗତକାଲି ତାଙ୍କଠାରୁ ସଂଗୃହୀତ ନମୁନା ପରୀକ୍ଷା ହେବା ପରେ ସେ ଦୁଷ୍କର୍ମର ଶିକାର ହୋଇ ନଥିବା ଜଣାପଡ଼ିଛି। ଏନେଇ ମେଡିକାଲ୍‌ ରିପୋର୍ଟ ଆସିଛି ବୋଲି ପୁଲିସ ସୂଚନା ଦେଇଛି। ଏଣୁ ଏନେଇ କୌଣସି ମାମଲା ହେବ ନାହିଁ ବୋଲି ମଞ୍ଚେଶ୍ବର ଥାନା ପୁଲିସ ସ୍ପଷ୍ଟ କରିଛି। ତେବେ ପୀଡ଼ିତା‌ ମାନସିକ ଅନଗ୍ରସର ଓ ନିରାଶ୍ରୟ ହୋଇଥିବାରୁ ଏହି ସମ୍ବେଦନଶୀଳ ମାମଲାକୁ ମିଳିମିଶି ଚାପି ଦେବା ପାଇଁ ଉଦ୍ୟମ ହୋଇଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଯୁବତୀ ଉଦ୍ଧାର ହୋଇଥିବା ଜାଗା ମଞ୍ଚେଶ୍ବର ରେଳ ଷ୍ଟେସନ ପରିସରରେ ଆସୁଥିବାରୁ ଜିଆର୍‌ପି ମଧ୍ୟ ତଦନ୍ତ ଆରମ୍ଭ କରିଛି। ଯୁବତୀଙ୍କ ପରିଚୟ ଖୋଜିବା ପାଇଁ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ସ୍ଥାନୀୟ ଅଞ୍ଚଳରେ ପଚରାଉଚରା ଚଳାଇଛି।

ରାଜଧାନୀର ରାଜରାସ୍ତା କଡ଼ରେ ଜଣେ ପ୍ରାପ୍ତବୟସ୍କ ଯୁବତୀ ଏଭଳି ରକ୍ତାକ୍ତ ଅବସ୍ଥାରେ କେମିତି ପଡ଼ିଲେ, ତାହା ଏବେ ବି ରହସ୍ୟ ହୋଇ ରହିଛି। ରାତିରେ ସେ କୁଆଡ଼ୁ ଆସିଲେ ଓ ରକ୍ତାକ୍ତ କେମିତି ହେଲେ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ପୁଲିସ ପାଟ୍ରୋଲିଂ ଜାରି ରହିଥିବା ବେଳେ ଘଟଣାଟି କିଭଳି ରାତିରେ ପୁଲିସ ନଜରକୁ ଆସିଲା ନାହିଁ ବୋଲି ପ୍ରଶ୍ନ ଉଠୁଛି। ତେଣୁ ରାଜଧାନୀ ରାତିରେ ପୁଲିସ ହାତରେ କେତେ ସୁରକ୍ଷିତ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ସୂଚନାଯୋଗ୍ୟ, ଇନ୍‌ଫୋସିଟି ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା। ଜଙ୍ଗଲ ଭିତରେ ସେ ସନ୍ତାନ ପ୍ରସବ କରିଥିଲେ। ଦିବ୍ୟାଙ୍ଗ ହେତୁ ସେ ଅଭିଯୋଗ ମଧ୍ୟ କରିପାରିନଥିଲେ। ତେଣୁ ଉକ୍ତ ମାମଲା ଚପି ଯାଇଥିଲା। ‌କେବଳ ଏହି ଦୁଇଟି ଘଟଣା ଆଖି ଆଗକୁ ଆସିଛି। ମାତ୍ର ଏମିତି ଅନେକ ଅଭାବନୀୟ ଘଟଣା ନଜର ଅନ୍ତରାଳରେ ରହିଯାଇଛି। ଏବେ ବି ରାଜଧାନୀର ରାଜରାସ୍ତାରେ ଏଭଳି ଦିବ୍ୟାଙ୍ଗ ଯୁବତୀମାନେ ବେସାହାରା ହୋଇ ବୁଲୁଛନ୍ତି। ମାନସିକ ଅନଗ୍ରସର ହୋଇଥିବାରୁ ସେମାନଙ୍କୁ ଗୁରୁତ୍ବ ଦିଆଯାଉ ନଥିବା କେତେକ ମାନବାଧିକାର କର୍ମୀ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ମଞ୍ଚେଶ୍ବର ରେଳବାଇ ହସ୍‌ପିଟାଲ ସମ୍ମୁଖ ରାସ୍ତାକଡ଼ରେ ପଡ଼ିଥିବା ଏହି ଦିବ୍ୟାଙ୍ଗ ଯୁବତୀଙ୍କୁ ପତିତା ଉଦ୍ଧାର ସମିତି ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ମଞ୍ଚେଶ୍ବର ଥାନା ପୁଲିସ ଖବର ପାଇ କ୍ୟାପିଟାଲ ହସ୍‌ପିଟାଲାରେ ପହଞ୍ଚି ଛାନ୍‌ଭିନ୍ କରିଥିଲା।

ସମ୍ବନ୍ଧିତ ଖବର