ବିବାହ ପାଇଁ ଯୁବକ ମନା କରିବାରୁ ଜୀବନ ହାରିଲେ ଯୁବତୀ, ନିର୍ବନ୍ଧ ସରିଥିଲା

ଭୁବନେଶ୍ବର : ନିର୍ବନ୍ଧ ସରିଥିଲା, ଫୋନରେ ବି କଥାବାର୍ତ୍ତା ଚାଲିଥିଲା। ଆଉ କିଛି ଦିନ ପରେ ବିବାହ ହୋଇଥାନ୍ତା। କିନ୍ତୁ ବିବାହ କରିବାକୁ ମନା କରିଦେଲେ ଯୁବକ। ଆଉ ଏହି ଧକ୍କା ସହି ନ ପାରି ଜୀବନ ହାରିଦେଲେ ଯୁବତୀ। ଏମିତି ଏକ ଅଭାବନୀୟ ଓ ଦୁଃଖଦାୟକ ଘଟଣା ଘଟିଛି ଖାରବେଳନଗର ଥାନା ସତ୍ୟନଗର ବେହେରା ସାହିରେ। ମୃତ ଯୁବତୀ ହେଲେ ଅନୁପମା ନାୟକ(୨୧)।

ପୁଲିସ ସୂଚନା ଅନୁସାରେ, ଅନୁପମାଙ୍କ ନିଜ ଘର ଚନ୍ଦକା ଥାନା ଛତାବର ଅଞ୍ଚଳରେ। ତାଙ୍କ ପରିବାର ବହୁ ବର୍ଷ ହେଲା ସତ୍ୟନଗର ବେହେରା ସାହିରେ ରହି ଆସୁଛନ୍ତି। ଖୋର୍ଦ୍ଧା ମଳିପଡ଼ା ଅଞ୍ଚଳର ଜଣେ ଯୁବକଙ୍କ ସହ ତାଙ୍କର ବିବାହ ଠିକ୍ ହୋଇଥିଲା। ସେମାନଙ୍କର ନିର୍ବନ୍ଧ ବି ହୋଇ ସାରିଥିଲା। ଉଭୟ ଯୁବତୀ, ଯୁବକ ଫୋନରେ କଥାବାର୍ତ୍ତା ହେଉଥିଲେ। ମାତ୍ର କୌଣସି କାରଣକୁ ନେଇ ଯୁବକ ଜଣଙ୍କ ବିବାହ କରିବାକୁ ମନା କରି ଦେଇଥିଲେ। ଦୁଃଖରେ ଭାଙ୍ଗି ପଡ଼ି ଗତକାଲି ସନ୍ଧ୍ୟାରେ ଅନୁପମା ଆତ୍ମହତ୍ୟା କରିଥିଲେ। ଏ ସଂକ୍ରାନ୍ତରେ ଖାରବେଳନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର