ଚନ୍ଦ୍ରଶେଖରପୁର : ସ୍ଥାନୀୟ ଗାଡ଼କଣ ଖେଳପଡ଼ିଆ ନିକଟରେ ଗୁଡ଼ି ମାଞ୍ଜା ସୂତାରେ ବୁଧବାର ଦିନ ଜଣେ ଯୁବତୀଙ୍କୁ ବେକ କଟିଯାଇଛି। ଆହତ ଯୁବତୀ ହେଲେ ମଞ୍ଚେଶ୍ବର ଥାନା ଭୋଟପଡ଼ା ଅଞ୍ଚଳର ଲକି ବେହେରା(୧୯)। ତାଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଛି ଓ ୩ଟି ଷ୍ଟିଚ୍ ପଡ଼ିଛି। ସୌଭାଗ୍ୟକୁ ଲକି ସାଇକେଲରେ ଯାଉଥିବା ବେଳେ ଏହି ଅଘଟଣ ଘଟିଥିବାରୁ ଅଳ୍ପକେ ବର୍ତ୍ତିଯାଇଥିବା ଚର୍ଚ୍ଚା ହେଉଛି। ବାଇକ୍ ବା ସ୍କୁଟି ଭଳି କୌଣସି ଦ୍ରୁତଗାମୀ ଗାଡ଼ି ହୋଇଥିଲେ ଅବସ୍ଥା ସାଂଘାତିକ ହୋଇଥାଆନ୍ତା ବୋଲି କୁହାଯାଉଛି।
ସ୍ଥାନୀୟଲୋକଙ୍କ ସୂଚନାନୁସାରେ ଆଜି ସକାଳେ ଲକି ଏକ ସାଇକେଲ ଯୋଗେ ଗାଡ଼କଣ ଖେଳପଡ଼ିଆ ଦେଇ ଡମଣା ଆଡ଼କୁ ଯାଉଥିଲେ। ସେତିକିବେଳେ ସ୍ଥାନୀୟ ବସ୍ତିର କିଛି ପିଲା ସେଠାରେ ଗୁଡ଼ି ଉଡ଼ାଉଥିଲେ। ରାସ୍ତା ଉପରେ ଗୁଡ଼ିର ମାଞ୍ଜା ସୂତା ଲମ୍ବି ଥିଲା। ମାତ୍ର ଲକି ତାହାକୁ ଦେଖି ପାରିନଥିଲେ। ହଠାତ୍ ଏକ ମାଞ୍ଜା ସୂ୍ତା ତାଙ୍କ ବେକରେ ଛନ୍ଦି ହୋଇଯାଇଥିଲା। ତେବେ ଯଥାଶୀଘ୍ର ସାଇକେଲ ବ୍ରେକ୍ କରିଥିଲେ। କିନ୍ତୁ ସେତେବେଳକୁ ବେକରେ ଗଭୀର କ୍ଷତ ହୋଇ ସାରିଥିଲା। ତୁରନ୍ତ ସ୍ଥାନୀୟ କିଛି ଯୁବକ ତାଙ୍କ ବେକରୁ ସୂତା ବାହାର କରିବା ସହିତ ପ୍ରାଥମିକ ଚିକିତ୍ସା କରାଇଥିଲେ ଓ ଏକ ଅଟୋ ଯୋଗେ ତାଙ୍କୁ ସ୍ଥାନୀୟ ଏକ ଘରୋଇ କ୍ଲିନିକ୍ରେ ଭର୍ତ୍ତି କରାଇଥିଲେ।