ବଡ଼ ଭାଇକୁ କଟୁରି ଚୋଟ, ସାନଭାଇ ଗିରଫ

ଖଣ୍ଡଗିରି : ବଡ଼ଭାଇକୁ କଟୁରିରେ ହାଣି ପକାଇଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ସାନ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ପାତ୍ରପଡ଼ା ଫୁଲେଶ୍ବରୀ ବସ୍ତିରେ ରହୁଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ସିକିରା ଗାଁର ଯୋଗେନ୍ଦ୍ର ଧୌଳ। ଘର ଓ ଜମିବାଡ଼ି ବିବାଦକୁ ନେଇ ଏହି ଗଣ୍ଡଗୋଳ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଗତକାଲି ରାତିରେ ବଡ଼ଭାଇ ଶିବରାମ ସହ ଯୋଗେନ୍ଦ୍ରଙ୍କର ପୁଣି ପାଟିତୁଣ୍ଡ ହୋଇଥିଲା। ଯୋଗେନ୍ଦ୍ର ଏକ କଟୁରିରେ ଶିବରାମଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ହାଣି ପକାଇବାକୁ ଉଦ୍ୟମ କଲାବେଳେ ସେ ହାତ ଦେଖାଇ ଦେଇଥିଲେ। ଫଳରେ ତାଙ୍କ ଡାହାଣ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଏତିକିବେଳେ ପଡ଼ୋଶୀମାନେ ଯୋଗେନ୍ଦ୍ରଙ୍କୁ ରୋକିବାରୁ ଶିବରାମ ଏକ ବଡ଼ ଧରଣର ଆକ୍ରମଣରୁ ବର୍ତ୍ତି ଯାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଏହିଭଳି ବିବାଦ କାରଣରୁ ସେମାନଙ୍କ ଭଉଣୀ ସଂଯୁକ୍ତା ଯୋଗେନ୍ଦ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଗିରଫ ହୋଇଥିଲେ ଓ ଯୋଗେନ୍ଦ୍ର ତାଙ୍କ ସୁନାଚେନ୍ ଲୁଟି ନେଇଥିବା ନେଇ ସଂଯୁକ୍ତା ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର