ବଡ଼ଭାଇକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସାନ; ଭାଉଜକୁ ବି ଛାଡ଼ିଲାନି

ଭୁବନେଶ୍ବର : ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତାରେ ଭାଇକୁ ଗୋଡ଼ାଇ ଗୋଡ଼ାଇ କଟୁରିରେ ହାଣିଲା। ଭାଉଜକୁ ବି ଛାଡ଼ିଲାନି, ଟଣାଓଟରା କରି ଲୁଗା ଚିରିଦେଲା। ଏଭଳି ଘଟଣା ଘଟିଛି ତ୍ରିନାଥ ବସ୍ତିରେ। ସାନଭାଇର ଆକ୍ରମଣରେ ବଡ଼ଭାଇ ଆଜାଦ୍‌ ଶବର ଗୁରୁତର ଆହତ ହୋଇଛନ୍ତି। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି।

ସୂଚନା ମୁତାବକ, କୌଣସି କଥାକୁ କେନ୍ଦ୍ର କରି ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଶୁକ୍ରବାର ସକାଳ ପାଖାପାଖି ୯ଟା‌ରେ ଆଜାଦ୍‌ ଦୋକାନକୁ ଯାଉଥିଲେ। ସେହି ସମୟରେ ସାନଭାଇ ସୁମନ ଗୋଡ଼ାଇ ଗୋଡ଼ାଇ ତାଙ୍କୁ କଟୁରିରେ ଆକ୍ରମଣ କରିଥିଲା। ଏଥିରେ ଆଜାଦଙ୍କ ମୁଣ୍ଡ, ‌ହାତ, ଗୋଡ଼‌ରେ ଗଭୀର କ୍ଷତ ହୋଇଥିଲା। ସେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଜୀବନ ବିକଳରେ ଘର ଭିତରକୁ ଦୌଡ଼ିଥିଲେ। ସ୍ବାମୀଙ୍କ ଉପରେ ଆକ୍ରମଣ ଦେଖି ପତ୍ନୀ ଲକି ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ସୁମନ ତାଙ୍କୁ ମଧ୍ୟ ଛାଡ଼ି ନଥିଲା। ତାଙ୍କୁ ଟଣାଓଟରା କରିବା ସହ ତାଙ୍କ ଲୁଗା ଚିରି ଦେଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ସୁମନକୁ କାବୁ କରି ଥାନାକୁ ଆଣିଥିଲା। ଏ ସଂପର୍କରେ ଆଜାଦଙ୍କ ପତ୍ନୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ସୁମନକୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର