ଭୁବନେଶ୍ବର/କଟକ : ବାଣୀବିହାର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ସମୟରେ କାର୍ ଭିତରେ ଜଣେ ଯୁବତୀ ପ୍ରାଣ ହରାଇବା ଘଟଣାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏକ ସ୍ପେସାଲ ଟିମ୍ ଗଠନ କରାଯିବ। ୨୦୧୫ର ଏହି ଘଟଣାରେ ଫେରାର୍ ଥିବା ୭ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବାକୁ ପୁଲିସ କମିସନର ଏହି ସ୍ବତନ୍ତ୍ର ଟିମ୍ ଗଠନ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ସଂପର୍କିତ କଂପ୍ଲାଏନ୍ସ ରିପୋର୍ଟ ଦୁଇମାସ ଭିତରେ ହାଇକୋର୍ଟରେ ଦାଖଲ ହେବ। ଏଥିସହ ଏହି ଘଟଣାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ବିରୋଧରେ ବିଚାରାଧୀନ ମାମଲାର ଶୁଣାଣି ୬ ମାସ ଭିତରେ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ଦୁଇ ମାସରେ ଥରେ ଏହି ଆପରାଧିକ ମାମଲା ଶୁଣାଣିର ଅଗ୍ରଗତି ସଂପର୍କିତ ଷ୍ଟାଟସ୍ ରିପୋର୍ଟ ହାଇକୋର୍ଟରେ ଦାଖଲ ହେବ। ଏହି ଆପରାଧିକ ମାମଲାର ଶୁଣାଣି ଶେଷ ହୋଇ ରାୟ ପ୍ରକାଶ ପର୍ଯ୍ୟନ୍ତ ଏପରି ରିପୋର୍ଟ ହାଇକୋର୍ଟରେ ଦାଖଲ ହେବ। କଂପ୍ଲାଏନ୍ସ ରିପୋର୍ଟ ସହିତ ମାମଲାର ଶୁଣାଣି ସଂପର୍କିତ ଷ୍ଟାଟସ ରିପୋର୍ଟର ଆଗୁଆ କପି ଆବେଦନକାରୀଙ୍କ ଓକିଲଙ୍କୁ ସରକାରଙ୍କ ତରଫରୁ ପ୍ରଦାନ କରାଯିବ ବୋଲି ହାଇକୋର୍ଟ କହିଛନ୍ତି।
ଅନ୍ୟପକ୍ଷରେ ତଦନ୍ତରେ କୌଣସି ତ୍ରୁଟି ପରିଲକ୍ଷିତ ହୋଇ ନଥିବା ବେଳେ ଘଟଣାର ତଦନ୍ତ ଲାଗି ଏସଆଇଟି ଗଠନ ପାଇଁ ଆବେଦନକାରୀଙ୍କ ପ୍ରାର୍ଥନା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ୨୦୧୫, ସେପ୍ଟେମ୍ବର ୨୬ର ଏହି ଘଟଣା ପରେ ସରକାରଙ୍କ ପକ୍ଷରୁ କେତେକ ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି ବୋଲି ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଦର୍ଶାଯାଇଥିଲା। ଏଭଳି ଘଟଣା ଯେପରି ଭବିଷ୍ୟତରେ ନ ହେବ, ସେଥିପାଇଁ ଏସଓପି ଜାରି କରାଯାଇଛି ଓ ଉତ୍କଳ ବିଶ୍ବବିଦ୍ୟାଳୟ ଫାଟକ ନିକଟରେ ୨୪ ଘଣ୍ଟିଆ ସୁରକ୍ଷା କର୍ମୀ ମୁତୟନ ବ୍ୟବସ୍ଥା କରାଯାଇଛି। କ୍ୟାମ୍ପସ ଭିତରେ ମଧ୍ୟ ପୁଲିସ ମୁତୟନ କରାଯାଇଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ସମାନଧରଣର ସ୍ଥିତିର ମୁକାବିଲା ପାଇଁ କରାଯାଇଥିବା ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଓ ଏସଓପି ପ୍ରକୃତପକ୍ଷେ କାର୍ଯ୍ୟକାରୀ ହେବ ବୋଲି ହାଇକୋର୍ଟ ଆଶା ପ୍ରକଟ କରିଛନ୍ତି। ଏଥି ସହିତ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ବେଚ୍ଛାସେବୀ ଅନୁଷ୍ଠାନ ମୈତ୍ରୀ ସଂସଦ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ପାଇଁ ୨୦୧୫ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ୨୦୧୫, ସେପ୍ଟେମ୍ବର ୨୬ରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁଁ ବାଣୀବିହାର ଛକରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ମଟର ଅଟକି ରହିଥିଲା। ଏହି ସମୟରେ ନିଜ କାର୍ ଯୋଗେ ଫେରୁଥିବା ସୁମନ ଶର୍ମାଙ୍କ ଗାଡ଼ି ଭିଡ଼ ଯୋଗୁଁ ରାସ୍ତାରେ ଅଟକି ରହିଥିଲା। ସେତିକିବେଳେ କିଛି ଛାତ୍ର ତାଙ୍କ ଆଡ଼କୁ ମାଡ଼ି ଆସିବାରୁ ଭୟରେ ଗାଡ଼ି ଭିତରେ ସୁମନ ଚେତା ହରାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ପୁଲିସ କର୍ମଚାରୀ ଓ ଅନ୍ୟମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏ ସଂପର୍କରେ ମୈତ୍ରୀ ସଂସଦ ପକ୍ଷରୁ ୨୦୧୫ରେ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାରେ ଯେଉଁମାନେ ଦୋଷୀ, ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଜୟ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।