ଖଣ୍ଡଗିରି: ଜାଗମରାର ଯେଉଁ ଅଞ୍ଚଳ ଦିନେ ଚାଷ ଜମି ଥିଲା, ଆଜି ଏହାର ଏକ ଅଂଶବିଶେଷ ‘ମଲ୍ଲିକ କମ୍ପ୍ଲେକ୍ସ’ ଭାବରେ ପରିଚିତ। ଏଠାରେ ୧୩ଟି ଲେନ୍ରେ ପ୍ରାୟ ସାଢ଼େ ୩ ହଜାର ପରିବାର ଅଛନ୍ତି। ବିଲ୍ଡର୍ସଙ୍କ ଲାଭଖୋର ମାନସିକତା ସହିତ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଆଜି ଏହି ଅଞ୍ଚଳରେ ବିପୁଳ ଟଙ୍କା ବ୍ୟୟ କରି ବଡ଼ବଡ଼ କୋଠା କରିଥିବା ଲୋକେ କାନ୍ଦୁଛନ୍ତି। ଯୋଜନା ବିହୀନଭାବେ ମନଇଚ୍ଛା ପ୍ଲଟ୍ ବିକ୍ରି ଯୋଗୁଁ କଲୋନି ସ୍ଥାପନର ୧୫ ବର୍ଷ ପରେ ମଧ୍ୟ ଏଠାରେ ପକ୍କା ଚଉଡ଼ା ରାସ୍ତା ଭଳି ସର୍ବନିମ୍ନ ସୁବିଧା ନାହିଁ। ଏହାକୁ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି।
ପଶିପାରୁନି ଅଟୋ, ଆମ୍ବୁଲାନ୍ସ
ଏକଦା ଲେନ୍-୭ରେ ଜଣଙ୍କ ଘରେ ନିଆଁ ଲାଗିଥିଲା। ଦମକଳ ବାହିନୀ ପହଞ୍ଚିଲା ସତ, କିନ୍ତୁ ସଂକୀର୍ଣ୍ଣ ରାସ୍ତା ଯୋଗୁଁ ନିଆଁ ଲାଗିଥିବା ଘର ପାଖକୁ ଯିବାରେ ବଡ଼ ସମସ୍ୟା ହେଲା। କୌଣସି ପ୍ରକାରେ ଗଳି ଭିତରକୁ ପଶି ନିଆଁକୁ ଆୟତ୍ତ କରିବାକୁ ୩ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଏହା କେବଳ ଉଦାହରଣ ମାତ୍ର। ମଲ୍ଲିକ କମ୍ପ୍ଲେକ୍ସର ସବୁ ଲେନ୍ର ସଂକୀର୍ଣ୍ଣ ମାଟି ରାସ୍ତାରେ ଏତେ ଖାଲଖମା ରହିଛି ଯେ ଆମ୍ବୁଲାନ୍ସ ଓ ଅଟୋରିକ୍ସା ପଶନ୍ତି ନାହିଁ। ଯେଉଁ ଗାଡ଼ି ଆସନ୍ତି, ଦୁଇ ଗୁଣ ଅଧିକ ଭଡ଼ା ନିଅନ୍ତି। ବର୍ଷା ଦିନରେ ସବୁଠି ଆଣ୍ଠୁଏ ଆଣ୍ଠୁଏ ପାଣି। ଚଳିତ ବର୍ଷ ବର୍ଷାରେ ଜଳମଗ୍ନ ରାସ୍ତାରେ ଗାତ ଥିବା ଜାଣି ନ ପାରି ଦୁଇ ଜଣ ପଡ଼ି ଯାଇ ଗୁରୁତର ହୋଇ ପଡ଼ିଥିଲେ। ପ୍ରତି ବର୍ଷ ବର୍ଷାରେ ଲୋକଙ୍କ ଘରକୁ ପାଣି ପଶେ। ସମ୍ପୂର୍ଣ୍ଣ ଅଞ୍ଚଳ ପାଣି ଘେରକୁ ଚାଲି ଆସେ। ଲୋକଙ୍କ ଯାତାୟାତ ଠପ୍ ହୋଇଯାଏ। ବର୍ଷା ଦିନତକ ସ୍ଥାନୀୟ ଅଧିବାସୀଙ୍କ ପାଇଁ କୋକୁଆ ଭୟ ସୃଷ୍ଟି କରେ।
୧୫ ବର୍ଷ ହେଲା ଲୋକେ ରାସ୍ତା ମରାମତି କରୁଛନ୍ତି
ସ୍ଥାନୀୟ ଅଧିବାସୀଙ୍କ ଅନୁସାରେ, କଲୋନି ସ୍ଥାପନ ହେବାଠାରୁ ଏଠାରେ ରାସ୍ତା ସହିତ ବିଜୁଳି, ପାଣି ଭଳି କୌଣସି ପ୍ରକାର ସର୍ବନିମ୍ନ ସୁବିଧା ନଥିଲା। ଏଥିଯୋଗୁଁ ଘର ନିର୍ମାଣ ସରିବା ପରେ ମଧ୍ୟ ଅନେକ ବ୍ୟକ୍ତି ୨ରୁ୩ ବର୍ଷ ଡେରିରେ ଏଠାରେ ରହିବାକୁ ଆସିଲେ। ୩୦ ହଜାର ଟଙ୍କା ଦେଇ କିଛି ବ୍ୟକ୍ତି ନିଜେ ବିଜୁଳି ଖୁଣ୍ଟ ପୋତାଇଥିଲେ। ଏପରିକି ବାଉଁଶ ଖୁଣ୍ଟ ପୋତି ବିଜୁଳି ସଂଯୋଗ କରାଯାଇଥିଲା। କିନ୍ତୁ ସମୟ କ୍ରମରେ ପାଣି ଓ ବିଜୁଳି ଆସିଲା ସିନା ରାସ୍ତା ନିର୍ମାଣ କଲେ ନାହିଁ। ବିଏମ୍ସି ହୋଲ୍ଡିଂ ଟିକସ, ପାଣି, ବିଜୁଳି ସବୁ ଟିକସ ନେଉଛି। କିନ୍ତୁ ରାସ୍ତା ଭଳି ସର୍ବନିମ୍ନ ସୁବିଧା ନ କରିବା ନେଇ ବିଭିନ୍ନ ସମୟରେ ଲୋକେ ଜନପ୍ରତିନିଧିଙ୍କୁ ଫେରାଦ ହେଲେ ମଧ୍ୟ କୌଣସି ଲାଭ ହୁଏ ନାହିଁ। ତେଣୁ ୧୫ ବର୍ଷ ହେଲା ଶ୍ରୀଜଗନ୍ନାଥ ଉନ୍ନୟନ ସଂଘ ନାମରେ କଲୋନି ଅଧିବାସୀ ସଂଗଠନ କରି ଟଙ୍କା ସଂଗ୍ରହ କରୁଛନ୍ତି ଏବଂ ସେଥିରେ ରାସ୍ତା ନିର୍ମାଣ ହେଲା। ମାତ୍ର ଏହା ସ୍ଥାୟୀ ପକ୍କା ରାସ୍ତାର ବିକଳ୍ପ ହୋଇପାରେ ନାହିଁ। ସାମାନ୍ୟ ବର୍ଷା ହେଲେ ଗାତ ହୋଇଯାଏ। ବିଏମ୍ସି ନିର୍ବାଚନ ବେଳେ ରାସ୍ତା ନିର୍ମାଣ ପ୍ରମୁଖ ପ୍ରସଙ୍ଗ ଥିଲା ଏବଂ ଲୋକେ ଭୋଟ ବର୍ଜନ କରିବାକୁ ଧମକ ଦେଇଥିଲେ। ଗତ ମାସରେ ଅତି ଖରାପ ହୋଇଥିବା କିଛି ସ୍ଥାନର ମରାମତି କରାଯାଇଛି।
ଲେନ୍ ୧୦(ସି,ଡି,ଇ) ଡ୍ରେନ୍ ଦିଶା ପରିବର୍ତ୍ତନ ଦେଇଛି ଦୁଃଖ
ଡ୍ରେନେଜ୍ ସମସ୍ୟା ଦୂର କରାଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ସମାଧାନ ହୋଇପାରିନାହିଁ। ଲେନ୍ ୧୧, ୧୨ ଏବଂ ୧୩ରେ ଡ୍ରେନେଜ୍ ଅଧା ହୋଇ ପଡ଼ିଛି। ଲେନ୍ ୫ ଓ ୭ର ପ୍ରବେଶ ସ୍ଥାନରେ ଡ୍ରେନେଜ୍ ନାହିଁ। ଏଥିଯୋଗୁଁ ପାଣି ନିଷ୍କାସିତ ହୋଇନପାରି ଜମି ରହୁଛି। ଲେନ୍ ୧୦(ସି,ଡି,ଇ) ଦେଇ ଯାଇଥିବା ପ୍ରାକୃତିକ ନାଳର ଦିଶା ପରିବର୍ତ୍ତନ କରି ଦିଆଯିବା ଯୋଗୁଁ ଲୋକଙ୍କ ପାଇଁ ନୂତନ ବିପଦ ସୃଷ୍ଟି ହୋଇଛି। ଦୁଇ ବର୍ଷ ହେଲା ଏଠାରେ ବର୍ଷାରେ ୧୫୦ରୁ ଊର୍ଧ୍ବ ପରିବାର ପାଣି ଘେରରେ ରହୁଛନ୍ତି। ଚଳିତ ବର୍ଷାରେ ଆହୁରି ଜଟିଳ ଅବସ୍ଥା ହୋଇଥିଲା। ବର୍ଷା ଛାଡ଼ିବା ପରେ ମଧ୍ୟ ଲୋକେ ଘରୁ ଗୋଡ଼ କାଢ଼ି ପାରିନଥିଲେ। ରାଜଧାନୀରେ ସ୍ବେରେଜ୍ ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ଏଠାରେ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇ ନାହିଁ। ଏଥିପ୍ରତି ସରକାର ଦୃଷ୍ଟି ଦେବେ ଆଶା କରାଯାଉଛି।
ଖୁବ ଶୀଘ୍ର ରାସ୍ତା ସମସ୍ୟା ଦୂର ହେବ-କର୍ପୋରେଟର
ସ୍ଥାନୀୟ କର୍ପୋରେଟର କହନ୍ତି ମଲ୍ଲିକ କମ୍ପ୍ଲେକ୍ସର ରାସ୍ତା ପାଇଁ ୮ କୋଟି ଟଙ୍କାର ଟେଣ୍ଡର ହୋଇଛି। ଖୁବ ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ପ୍ରାଇଭେଟ୍ ଜମି ଉପରେ କଲୋନି ଥିବାରୁ ପାର୍କ, କମ୍ୟୁନିଟି କେନ୍ଦ୍ର କି ଅନ୍ୟ ସୁବିଧା କରାଯାଇ ପାରିନାହିଁ।