ଖଣ୍ଡଗିରି: ୨୦୦୮ ମସିହାରେ ନୂଆପଲ୍ଲୀ ବ୍ରିଟ୍ କଲୋନିସ୍ଥିତ ଇନ୍ଦିରା ମୈଦାନରେ ସ୍ବେରେଜ୍ ପ୍ରକଳ୍ପ ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୂର୍ବତନ ବିଏମ୍ସି କମିସନର ତଥା ବର୍ତ୍ତମାନର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ରହି ଶିଳାନ୍ୟାସ କରିଥିଲେ। ଆଜି ରାଜଧାନୀରେ ସ୍ବେରେଜ୍ ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। କିନ୍ତୁ ଏହି ବ୍ରିଟ୍ କଲୋନି ସମେତ ୱାର୍ଡ ନମ୍ବର ୩୮ରେ ଆଜି ପର୍ଯ୍ୟନ୍ତ ସ୍ବେରେଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ ବୋଲି ସ୍ଥାନୀୟ ଅଧିବାସୀମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ପାଇଁ ସ୍ବେରେଜ୍ ପ୍ରକଳ୍ପ ସ୍ବପ୍ନ ହୋଇରହିଯାଇଛି ବୋଲି ସ୍ଥାନୀୟ ଅଧିବାସୀମାନେ କହିଛନ୍ତି। ତେଣୁ ବର୍ଷବର୍ଷ ଧରି ସେମାନେ ସ୍ବେରେଜ୍ ପରିଚାଳନା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି।
ସେମାନେ କହିଛନ୍ତି ଯେ ୭୦ ଦଶକ ସୁଦ୍ଧା ନୂଆପଲ୍ଲୀ ଏକ ଗାଁ ଥିଲା। ସମୁଦାୟ ଅଞ୍ଚଳ ଆମ୍ବ, ପଣସ ତୋଟାରେ ପରିପୂର୍ଣ୍ଣ ଥିଲା। ୧୯୭୧ ମସିହାରେ ସହରୀକରଣର ଭିତ୍ତିଭୂମି ପଡ଼ିଲା ଏବଂ ବ୍ରିଟ୍ କଲୋନି ପ୍ରତିଷ୍ଠା ହେଲା। ବର୍ତ୍ତମାନ ଏଠାରେ ଏଲ୍ଆଇଜି, ଏମ୍ଆଇଜି ଭଳି କଲୋନିରେ ସମୁଦାୟ ୫୦୦ ପରିବାର ଅଛନ୍ତି। ଏହାର ଚତୁର୍ପାର୍ଶ୍ବରେ ଅନେକ ଶିକ୍ଷାନୁଷ୍ଠାନ ରହିଛି। ତେଣୁ ଏଠାରେ ଭଡ଼ାରେ ରହୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସ୍ଥିତିରେ ଲୋକେ ନିଜ ଖର୍ଚ୍ଚରେ ମଇଳା ଟାଙ୍କି ସଫେଇ କରୁଛନ୍ତି। ଏହା ଏବେ ବଡ଼ ସମସ୍ୟା ସୃଷ୍ଟି କରୁଛି। ତେଣୁ ତୁରନ୍ତ ଏଠାରେ ସ୍ବେରେଜ୍ ପ୍ରକଳ୍ପ ନିର୍ମାଣ ନିହାତି ଆବଶ୍ୟକ। ଏହାକୁ ନେଇ ବିଭିନ୍ନ ସମୟରେ ସ୍ଥାନୀୟ ଅଧିବାସୀ ବିଏମ୍ସିର ଦୃଷ୍ଟି ଆକର୍ଷଣ କରିଛନ୍ତି। ମାତ୍ର ଏହାକୁ କେହି ଦୃଷ୍ଟି ଦେଉନାହାନ୍ତି। ଏହି ୱାର୍ଡସ୍ଥିତ ଇନ୍ଦିରା ମୈଦାନ ଅଞ୍ଚଳ ସବୁଠାରୁ ପୁରାତନ ପଡ଼ିଆ।
ଏଠାରେ ଅଧିକାଂଶ ସମୟରେ ବିଭିନ୍ନ ପ୍ରକାର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଉଛି। କିନ୍ତୁ ଏହାର ପାଚେରି ପାଖ ରାସ୍ତାକୁ ଡମ୍ପିଂୟାର୍ଡରେ ପରିଣତ କରି ଦିଆଯାଇଛି। ଏଠାରେ ଆବର୍ଜନା ଗଦା ହୋଇରହୁଛି। ୱାର୍ଡର ସବୁ ଆବର୍ଜନା ଏଠାରେ ଗଦା କରାଯାଉଥିବାରୁ ବେଶ୍ ଅପରିଷ୍କାର ପରିବେଶ ସୃଷ୍ଟି ହୋଇଛି। କ୍ରୀଡ଼ା ସଙ୍ଗଠକମାନେ ଏହାକୁ ନେଇ ଆପତ୍ତି ଉଠାଇଥିଲେ ମଧ୍ୟ କୌଣସି ଲାଭ ହୋଇନାହିଁ। ବର୍ତ୍ତମାନ ଏହି ଆବର୍ଜନା ଗଦା ଯୋଗୁଁ ପଡ଼ିଆର ଗୋଟିଏ ଗେଟ୍ ଖୋଲି ହେଉନାହିଁ। ତୃତୀୟରେ ଏହି ଅଞ୍ଚଳରେ ରାସ୍ତା ଏତେ ସଂକୀର୍ଣ୍ଣ ଯେ ଯାତାୟାତ ପାଇଁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ବଡ଼ବଡ଼ିଆଙ୍କ ଜବରଦଖଲ ମଧ୍ୟ ରାସ୍ତା ନିର୍ମାଣରେ ବାଧକ ହେଉଛି। ମୋ’ ବସ୍ ପାଇଁ ସ୍ବତନ୍ତ୍ର ବସ୍ଷ୍ଟାଣ୍ଡ ନାହିଁ। ଏହି ଅଞ୍ଚଳରେ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା କେନ୍ଦ୍ର ପ୍ରତିଷ୍ଠା ହୋଇ ପାରିନାହିଁ। ତେଣୁ ଛୋଟମୋଟ ଅସୁସ୍ଥତା ପାଇଁ ଲୋକଙ୍କୁ କ୍ୟାପିଟାଲ୍ ଡାକ୍ତରଖାନା ଯିବାକୁ ପଡ଼ୁଛି। ଏହି ସମସ୍ୟା ପ୍ରତି ବିଏମ୍ସି ଏବଂ ସ୍ଥାନୀୟ ପ୍ରତିନିଧି ଦୃଷ୍ଟି ଦେବା ପାଇଁ ଦାବି ହୋଇଛି।
ଆଲୋଚନା କରିଛନ୍ତି, ଗୌରାଙ୍ଗଚନ୍ଦ୍ର ଦାସ, ରୋଜି ରାଉତରାୟ, ପ୍ରଦୀପ ହରିଶ୍ଚନ୍ଦ୍ର, କାଶୀନାଥ ଜେନା, ଭାଗ୍ୟଧର ଜଗଦେବ