ଖଣ୍ଡଗିରି: ରାଜଧାନୀ ଉପକଣ୍ଠ ତମାଣ୍ଡୋ ଗାଁର କିଛି ଲୋକ ୧୯୫୫ ମସିହାରେ ନିକଟସ୍ଥ ଟାଙ୍ଗୀସାହିକୁ ଉଠିଯାଇଥିଲେ। ଗାଁରେ ସ୍ଥାନାଭାବ ଯୋଗୁ ସେମାନେ ନୂଆସାହିରେ ବସତି ସ୍ଥାପନ କରିରହିଲେ। ଅନେକ ଦଶନ୍ଧି ପର୍ଯ୍ୟନ୍ତ ଏଠାରେ ବିଜୁଳି ସଂଯୋଗ ନଥିଲା। ଲୋକେ ଅନ୍ଧକାରରେ ରହୁଥିଲେ। ପାଣି ପାଇଁ ମହିଳାମାନେ ଗାଁ ମେଳଣ ପଡ଼ିଆକୁ ଯାଉଥିଲେ। ଆଜି ବି ଏହି ସାହିର ଲୋକେ ପାନୀୟ ଜଳ, ଭଲ ରାସ୍ତା ପାଇପାରିନାହାନ୍ତି। ପାଇପ୍ ପାଣି ଏମାନଙ୍କ ପାଇଁ ସାତସପନ ହୋଇଥିବା ବେଳେ ରାସ୍ତା ସମସ୍ୟା ପାଇଁ ସେମାନେ ବଡ଼ କଲବଲ ହେଉଛନ୍ତି। ସ୍ମାର୍ଟ ସହର ଭୁବନେଶ୍ବର କଡ଼କୁ ଲାଗି ରହୁଥିବା ଏହି ସାହିର ଲୋକେ ଆଜି ବି କେଉଁ ବଣଜଙ୍ଗଲ ଘେରା ଅପହଞ୍ଚ ଅଞ୍ଚଳଠାରୁ କମ୍ ଦୁଃଖରେ ନାହାନ୍ତି।
ରାସ୍ତା ଶୋଚନୀୟ, ଘରେ ପଶୁଛି ନାଳ ପାଣି
ଏହି ସାହିର ସବୁ ରାସ୍ତା ଅବସ୍ଥା ବଡ଼ କଦର୍ଯ୍ୟ। ସବୁ ରାସ୍ତାରେ ଖାଲଖମା। କି ଦିନ କି ରାତି ସବୁବେଳେ ଛୋଟମୋଟ ଦୁର୍ଘଟଣା ଘଟୁଛି। ସ୍କୁଲ ପିଲାମାନେ ସାଇକେଲରୁ ପଡ଼ି ଖଣ୍ଡିଆଖାବରା ହେବା ନିତିଦିନିଆ କଥା। ସେଥିରେ ପୁଣି ସର୍ବସାଧାରଣ ରାସ୍ତାକୁ ଜବରଦଖଲ କରି ଆହୁରି ସଙ୍କୁଚିତ କରାଯାଇଛି। ଦୀର୍ଘ ବର୍ଷ ହେଲା ଏହି ରାସ୍ତା ମରାମତି ହେଉନଥିବାରୁ ଏଭଳି ଅବସ୍ଥା ହୋଇଥିବା ସାହି ଲୋକେ କହିଛନ୍ତି। ଟାଙ୍ଗୀସାହିରୁ ଏନ୍ଏଚ୍ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାକୁ ୫ ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା। କିନ୍ତୁ ଏହା ପରଠୁ ଏହାର ମରାମତି ନାଁ ନାହିଁ। ସେହିଭଳି ଡ୍ରେନ୍ ନଥିବାରୁ ମଇଳା ପାଣି ରାସ୍ତାରେ ବହୁଛି ଏବଂ ଅଧିକାଂଶ ସମୟରେ ଜମି ରହୁଛି। ବେଳେବେଳେ ବଡ଼ ବର୍ଷା ହେଲେ ଲୋକଙ୍କ ଘରକୁ ମଇଳା ପାଣି ପଶୁଛି। ତେଣୁ ସେମାନେ ମଟର ଲଗାଇ ପାଣି ନିଷ୍କାସନ କରିବାକୁ ବାଧ୍ୟ ହେଉଛନ୍ତି। ବୃଦ୍ଧା ଉର୍ମିଳା ବଳଙ୍କ କହିବା ଅନୁସାରେ ତାଙ୍କର ଅର୍ଥାଭାବ ଯୋଗୁ ସେମାନେ ଗତ ବଡ଼ ବର୍ଷା ବେଳେ ରାତି ତମାମ ମଇଳା ପାଣିରେ ରହିଲେ ଏବଂ ସକାଳୁ ନିଜ ହାତରେ ପାଣି ବାହାର କଲେ। ଏମିତି ବଡ଼ କଲବଲ ଅବସ୍ଥା ଭୋଗ କରୁଛନ୍ତି ସାହିର ଅନେକ ପରିବାର।
କୂଅ ପାଣିରେ ପୋକ, ଗନ୍ଧଉଛି ନଳକୂଅ ପାଣି
ସାହି ମହିଳାମାନଙ୍କ ଅଭିଯୋଗ ଅନୁସାରେ ପାଇପ୍ ପାଣି ନଥିବାରୁ ସେମାନେ କୂଅରୁ ପାଣି କାଢ଼ିବାକୁ ବାଧ୍ୟ ହେଉଛନ୍ତି। ଦିନକୁ ଦୁଇ ବେଳେ ଗରା ଗରା ପାଣି କାଢ଼ିକାଢ଼ି ସେମାନେ ଥକି ପଡ଼ୁଛନ୍ତି। ସେଥିରେ ପୁଣି କୂଅ ପାଣି ଗନ୍ଧାଉଛି ଏବଂ ସେଥିରେ ପୋକ ସାଲୁବାଲୁ ହେଉଥିବାରୁ ଛାଣିବାକୁ ପଡ଼ୁଛି। ନଳକୂଅ ପାଣି ହଳଦିଆ ଦିଶୁଛି। କୂଅ ହେଉ କି ନଳକୂଅ ସବୁ ପାଣିକୁ ନ ଫୁଟାଇଲେ ବ୍ୟବହାର କରିହେଉନାହିଁ। ପ୍ରାୟ ୧୫ ବର୍ଷ ପୂର୍ବେ ଜଗନ୍ନାଥ ମନ୍ଦିର ନିକଟରୁ ପାଣି ପାଇପ୍ ବିଛାଯାଇଥିଲା। କିନ୍ତୁ ପାଣି ଆସିଲା ନାହିଁ। ବ୍ଲକ୍, ପଞ୍ଚାୟତ କିମ୍ବା ଆର୍ଡବ୍ଲୁଏସ୍ଏସ୍ ପକ୍ଷରୁ କେହି କୌଣସି କାରଣ ଖୋଜିଲେ ନାହିଁ। ସେହିଦିନରୁ ଆଜି ପର୍ଯ୍ୟନ୍ତ ସେମିତି ଅବସ୍ଥା ଲାଗିରହିଛି। ମାଟି ଭିତରେ ପାଇପ୍ର ଅବସ୍ଥା କ’ଣ ହେଲାଣି, ଜଣାନାହିଁ। ଏଠାରେ ଥିବା ୨ଟି ସାଧାରଣ କୂଅ ମଧ୍ୟରୁ ଗୋଟିଏ ଭାଙ୍ଗି ବିପଜ୍ଜନକ ଅବସ୍ଥାରେ ଅଛି। ଖରା ଦିନେ କୂଅ ଶୁଖିଯାଉଛି। ଏହା ଭିତରେ କିଛି କିଛି ପରିବାର ନିଜସ୍ବ ନଳକୂଅ କିମ୍ବା କୂଅ କରିଛନ୍ତି। କିନ୍ତୁ ଖରା ଦିନେ ସେସବୁ ଶୁଖି ଯାଉଥିବାରୁ ସେମାନଙ୍କୁ ପାଣି କିଣିବାକୁ ପଡ଼ୁଛି। ଏଥିପାଇଁ ମହିଳାମାନେ ହିଁ ବେଶି ଦହଗଞ୍ଜ ହେଉଛନ୍ତି। ସେମାନେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ସୁରେଶ ରାଉତରାୟଙ୍କୁ ଏନେଇ ଅଭିଯୋଗ କରି ମଧ୍ୟ କିଛି ସୁଫଳ ପାଇନାହାନ୍ତି। ସେହିଭଳି ତିନି ତିନି ଜଣ ସରପଞ୍ଚ ଗଲେଣି, କିନ୍ତୁ ସେମାନଙ୍କ ସମସ୍ୟାର ଅନ୍ତ ହେଉନାହିଁ। ସେମାନେ ବ୍ଲକ୍ ଓ ପଞ୍ଚାୟତ କାର୍ଯ୍ୟାଳୟ ଘେରିଥିଲେ ମଧ୍ୟ କେହି ସେମାନଙ୍କ ଦୁଃଖ ଶୁଣୁନାହାନ୍ତି।
କନ୍ଦାଉଛି ସ୍ବାସ୍ଥ୍ୟକେନ୍ଦ୍ର ସମସ୍ୟା
ଏହି ସାହି ପାଇଁ ଜନନୀ ସୁରକ୍ଷା ଯୋଜନା ପ୍ରହସନ ପାଲଟିଥିବା ସେମାନେ ଅଭିଯୋଗ କରିଛନ୍ତି। ନିକଟରେ ସରକାରୀ ସ୍ବାସ୍ଥକେନ୍ଦ୍ର ନଥିବାରୁ ସେମାନେ ବହୁ ସମସ୍ୟାରେ ପଡ଼ୁଛନ୍ତି। ବିଶେଷକରି ଗର୍ଭବତୀମାନଙ୍କ ପାଇଁ ବେଳେବେଳେ ବିପଜ୍ଜନକ ସ୍ଥିତି ଉପୁଜୁଛି। ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏଠାରୁ ବହୁ ଦୂର ହେଉଥିବାରୁ ଗର୍ଭବତୀଙ୍କୁ ତୁରନ୍ତ ଆମ୍ବୁଲାନ୍ସ ସେବା ମିଳିପାରୁନାହିଁ। ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ବାଟରେ ସନ୍ତାନ ପ୍ରସବ ହେବା ଭଳି ଦୟନୀୟ ପରିସ୍ଥିତି ସୃଷ୍ଟି ହେବା ନଜିର ରହିଛି। ସେହିଭଳି ଏଠାରେ ଥିବା ଆୟୁର୍ବେଦିକ ସ୍ବାସ୍ଥ୍ୟକେନ୍ଦ୍ରର ସ୍ଥିତି ମଧ୍ୟ ଭଲ ନାର୍ହି। ଏଠାରେ ମାଗଣା ଔଷଧ ଉପଲବ୍ଧ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।
ମିଳୁନି ରାସନ୍
ସ୍ଥାନୀୟ ଅଧିବାସୀ କୁନି ନାଏକ କହିଛନ୍ତି ଯେ ସେମାନେ ପ୍ରାୟ ୧୫ ବର୍ଷ ହେଲା ଏଠାରେ ରହୁଛନ୍ତି। କିନ୍ତୁ ସେମାନଙ୍କ ଆଧାରକାର୍ଡରେ ତାଙ୍କ ଗାଁ ଠିକଣା ଥିବାରୁ ତାଙ୍କୁ ନୂତନ ରାସନକାର୍ଡ ମିଳୁନାହିଁ। ତମାଣ୍ଡୋ ପଞ୍ଚାୟତର ଭୋଟର୍ ହୋଇଥିଲେ ବି ତାଙ୍କୁ ଏହି ଦୁର୍ଦ୍ଦଶାରୁ ମୁକ୍ତି ମିଳୁନାହିଁ। ସେହିଭଳି ଦମୟନ୍ତୀ ବେହେରା ଏହି ଯୋଜନାର ହିତାଧିକାରୀ ହେଲେ ମଧ୍ୟ ତାଙ୍କୁ ମଧ୍ୟ କାର୍ଡ ମିଳୁନଥିବାରୁ ସେ ରାସନ୍ ପାଇପାରୁ ନାହାନ୍ତି। ଆହୁରି ଅନେକ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାଇଛନ୍ତି।