ଖଣ୍ଡଗିରି: ୩୦୦ ପରିବାରକୁ ନେଇ ନବେ ଦଶକରେ ଗଢ଼ିଉଠିଥିଲା ଜାଗମରା ଅଞ୍ଚଳର ସିଦ୍ଧିବିହାର। ଏହା ଭିତରେ ଦୀର୍ଘ ୩୦ ବର୍ଷରୁ ଅଧିକ ବିତିଗଲାଣି। କିନ୍ତୁ ସିଦ୍ଧିବିହାରବାସୀଙ୍କ ପାଇଁ ସହରୀ ସୁବିଧା ସାତ ସପନ ହୋଇରହିଛି। ରାସ୍ତା, ବିଜୁଳି ଓ ପାଣି ଭଳି ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ସେମାନଙ୍କୁ ମିଳିପାରିଲା ନାହିଁ। ଘରୋଇ ସଂସ୍ଥାଠାରୁ ଜାଗା କିଣିଥିଲେ ବି ଘର କରିବା ଆଗରୁ ବିଏମ୍‌ସିକୁ ରାସ୍ତା ଓ ଡ୍ରେନ୍ ପାଇଁ ଜାଗା ପ୍ରଦାନ କରିଥିଲେ। ‌ଭାବିଥିଲେ ଭଲ ରାସ୍ତା ଓ ଡ୍ରେନ୍‌ ସୁବିଧା ପାଇବେ। କିନ୍ତୁ ହେଲା ନାହିଁ। ଘର ପାଖରେ ବିମାନବନ୍ଦର ଓ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଥିବାରୁ ବରିଷ୍ଠ ନାଗରିକମାନଙ୍କୁ କୌଣସି ଅସୁବିଧା ଭୋଗିବାକୁ ପଡ଼ିବ ନାହିଁ ବୋଲି ସେମାନେ ଭାବିଥିଲେ। ମାତ୍ର ୩୦ ବର୍ଷ ପରେ ଏବେ ସେମାନେ ନିଜକୁ ସହରିଆ କହିବାକୁ ପଛଘୁଞ୍ଚା ଦେଉଛନ୍ତି। ବର୍ଷା ହେଲେ ଘରେ ଆଣ୍ଠୁଏ ଉଚ୍ଚରେ ପାଣି ପଶୁଛି। ବହୁ ସମୟରେ ଘର ସମ୍ମୁଖ ରାସ୍ତାକୁ ସେମାନେ ନିଜେ ସଫା କରୁଛନ୍ତି। ସମସ୍ୟା ବିଷୟରେ ସ୍ଥାନୀୟ କର୍ପୋରେଟର ଓ ବିଏମ୍‌ସିର ଅଧିକାରୀମାନଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ସେମାନଙ୍କ ସମସ୍ୟା ସମାଧାନ କେବଳ ପ୍ରତିଶ୍ରୁତିରେ ଅଟକି ଯାଇଛି।

Advertisment

publive-image

ବର୍ଷା‌ ହେଲେ ଘରେ ପଶୁଛି ପାଣି
ବିଏମ୍‌ସିର ୬୩ ନମ୍ବର ୱାର୍ଡରେ ଏହି ଅଞ୍ଚଳ ଅବସ୍ଥିତ। ୮ ନମ୍ବର ମୁଖ୍ୟ ଡ୍ରେନ୍ ନିକଟରେ ଯାଇଥିବାରୁ ଏହି ଅଞ୍ଚଳର ଲୋକଙ୍କୁ ସବୁବେଳେ ନାକରେ କାନରେ କାନ୍ଦିବାକୁ ହେଉଛି। ରେଣ୍ଟାଲ୍‌ ପାର୍ଶ୍ବରୁ ଆସିଥିବା ମୁଖ୍ୟ ଡ୍ରେନ୍ ଜାଗମରା ଦେଇ ଯିବାବେଳେ ଏକାଧିକ ସ୍ଥାନରେ ସଙ୍କୁଚିତ ହୋଇଯାଇଛି। ଏହାକୁ ସଂଯୋଗ କରିଥିବା ପୂର୍ତ୍ତ, ବିଏମ୍‌ସିରେ ଡ୍ରେନ୍ ମଧ୍ୟ ‌ଅନେକ ସ୍ଥାନରେ ସଙ୍କୁଚିତ ହୋଇଛି ଓ ଭାଙ୍ଗିଯାଇଛି। ଫ‌ଳରେ ବର୍ଷା ଦିନେ ଅଧିକ ପାଣି ମୁଖ୍ୟ ଡ୍ରେନ୍‌ରେ ଯିବାରେ ସମସ୍ୟା ହେଉଛି। ଫଳରେ ଉଦ୍‌ବୃତ୍ତ ଜଳ ସିଦ୍ଧିବିହାର ରାସ୍ତା ଦେଇ ଲୋକଙ୍କ ଘରେ ପଶୁଛି। ସେହିପରି ଓୟୁଏଟିର ଚାଷ ଜମି କଡ଼ରେ ଯାଇଥିବା ମୁଖ୍ୟ ଡ୍ରେନ୍‌ର ଉଭୟ ପାର୍ଶ୍ବରେ ୮ ଫୁଟ୍‌ର ପ‌ାଚେରି ହୋଇଛି। ଏହା ବର୍ଷା ସମୟରେ ପାଣି ଯିବାରେ ବ୍ୟାଘାତ ସୃଷ୍ଟି କରୁଛି। ଫଳରେ ଖଣ୍ଡଗିରି, ବରବାରୀ, ଧର୍ମବିହାର, ବରମୁଣ୍ଡା ଅଞ୍ଚଳର ପାଣି ସିଦ୍ଧିବିହାରରେ ପଶୁଛି। ୨୦୦୫ ମସିହାରୁ ଏନେଇ ଲୋକେ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ସେମାନଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି।

ରାସ୍ତା, ପାଣି, ବିଜୁଳି ସବୁ ସୁବିଧା ଅଧା
ପ୍ରତିବର୍ଷ ବର୍ଷାରେ ମୁଖ୍ୟ ରାସ୍ତା ବୁଡ଼ିଯାଉଥିବାରୁ ଏଲ୍‌-୧, ଏଲ୍‌-୨ ଓ ଏଲ୍‌-୩ର ସବୁ ରାସ୍ତା ଦବିଗଲାଣି। ରାସ୍ତାରୁ ଗୋଡ଼ି ବାହାରି ଖରାପ ହୋଇଛି। ସେହିପରି ଲେନ୍ ୩ରେ ୩ ଫେଜ୍ ବିଶିଷ୍ଟ ବିଦ୍ୟୁତ୍ ଲାଇନ୍‌ ‌ବ୍ୟବସ୍ଥା ହୋଇ ନ ଥିବାରୁ ‌ଖରା ଦିନେ ଗୋଟିଏରୁ ଦୁଇଟି ଏସି ଲାଗିଲେ ଭୋଲଟେଜ୍ କମିଯାଉଛି। ଫଳରେ ‌ଅନେକଙ୍କ ବହୁ ଦାମୀ ବୈଦ୍ୟୁତିକ ଉପକରଣ ପୋଡ଼ି ଯାଉଛି। ଏ ନେଇ ବିଦ୍ୟୁତ ବିଭାଗକୁ ଯୋଗାଯୋଗ କରାଗଲେ ୩୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହୁଥିବା ଲୋକେ ଅଭିଯୋଗ କରିଛନ୍ତି। ସେହିପରି ୨୪ ଘଣ୍ଟିଆ ପାଣି ବ୍ୟବସ୍ଥା ହୋଇ ନଥିବାରୁ ଲୋକେ ପାଣି କିଣି ବ୍ୟବହାର କରୁଛନ୍ତି।

publive-image

ଡ୍ରେନ୍‌ ମୁକୁଳା, ମଶାଙ୍କ ଉପଦ୍ରବ ଅସହ୍ୟ
ମୁଖ୍ୟ ଡ୍ରେନ୍‌କୁ ସଂଯୋଗ କରିଥିବା ଗଳି ଡ୍ରେନ୍‌ଗୁଡ଼ିକ ଭାଙ୍ଗିଯାଇଛି। ନିମ୍ନମାନର କାମ ଯୋଗୁଁ ୨ ବର୍ଷ ତଳେ ନିର୍ମାଣ ହୋଇଥିବା ‌ସ୍ଲାବ୍ ଭାଙ୍ଗି ରଡ୍‌ ଦେଖାଗଲାଣି। ଭାଙ୍ଗିଥିବା ସବୁ ସ୍ଲାବ୍‌ ସେଇ ଡ୍ରେନ୍ ଭିତରେ ପଡ଼ିରହିଛି। ସେଗୁଡ଼ିକୁ ସଫା ହେଉନଥିବାରୁ ମଇଳା ସବୁ ଜମି ରହୁଛି। ଫଳରେ ସରୀସୃପ ଓ ମଶାଙ୍କ ପ୍ରାଦୁର୍ଭାବ ବଢ଼ୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଡ୍ରେନ୍ ସଫା ହେଉ ନାହିଁ କି ମଶା ମାରିବ‌ା ପାଇଁ କେବେ ମଶା ଧୂଆଁ, ତେଲ ଗାଡ଼ି ଆସୁନାହିଁ। ଏନେଇ ୱ‌ାର୍ଡ ଅଫିସରଙ୍କୁ ବାରମ୍ବାର ଯୋଗଯୋଗ ହୋଇଥିଲେ ମଧ୍ୟ ଥରୁଟିଏ ମଧ୍ୟ ସେ ଅଞ୍ଚଳ ପରିଦର୍ଶନ କରିବାକୁ ଆସି ନାହାନ୍ତି। ଫଳରେ ଲୋକେ ଟଙ୍କା ଖର୍ଚ୍ଚ କରି ମଶା ଧୂଆଁ ଦେଉଛନ୍ତି। ସେହିଭଳି ସ୍ବରେଜ୍‌ ଦୁଃଖ ଆହୁରି ବଳେଇପଡ଼ିଛି। ଘର ତିଆରି ଦିନରୁ ନିଜ ସ୍ବରେଜ୍ ଟାଙ୍କିକୁ ବର୍ଷକୁ ୨ ଥର ଟଙ୍କା ଖର୍ଚ୍ଚ କରି ଲୋକେ ସଫା କରୁଛନ୍ତି। ଏତେ ବର୍ଷ ପରେ ମଧ୍ୟ ଘରର ସ୍ବରେଜ୍ ଚ୍ୟାମ୍ବରକୁ ବିଏମ୍‌ସି ପାଇପ୍‌ ସଂଯୋଗ କରିନାହିଁ।