ଖଣ୍ଡଗିରି: ନୂଆପଲ୍ଲୀ ଅଞ୍ଚଳ ଅଧୀନସ୍ଥ ୩୭ ନମ୍ବର ୱାର୍ଡ ବାସିନ୍ଦାମାନେ ସହରୀ ସୁବିଧାରୁ ବଞ୍ଚିତ ବୋଲି ଅଭିଯୋଗ ହୋଇଆସୁଛି। ରାସ୍ତା, ଡ୍ରେନ୍, କମ୍ୟୁନିଟି ସେଣ୍ଟର, ଅଙ୍ଗନବାଡ଼ି କେନ୍ଦ୍ର, କଲ୍ୟାଣ ମଣ୍ଡପ, ମଶାଣି ଭଳି ସୁବିଧା ଏହି ଅଞ୍ଚଳବାସୀଙ୍କ ପାଇଁ ଆଜି ବି ସ୍ବପ୍ନ ସଦୃଶ। ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ହୋଇପାରୁନଥିବାରୁ ଏହି ଅଞ୍ଚଳର ଉନ୍ନତୀକରଣରେ ବେଡ଼ି ପଡ଼ିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଛନ୍ତି। ବଡ଼ ସମସ୍ୟା ହେଉଛି ପାନୀୟ ଜଳ ଯୋଗାଣ। ଅପହଞ୍ଚ ଅଞ୍ଚଳ ଭଳି ଏଠାରେ ପାନୀୟ ଜଳ ପାଇଁ ଲୋକଙ୍କୁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼ୁଛି ବୋଲି ଅଭିଯୋଗ ହୋଇଆସୁଛି। ସ୍ମାର୍ଟ ସିଟି ତଥା ଓଡ଼ିଶାର କ୍ୟାପିଟାଲ୍‌ ସିଟି ଭିତରେ ଥିବା ଏହି ଅଞ୍ଚଳର ମହିଳା, ଶିଶୁ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ କୌଣସି ସୁବିଧା ନଥିବାରୁ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ଲାଗିରହିଛି।

Advertisment

କଲ୍ୟାଣ ମଣ୍ଡପ, ଡେ’ କେୟାର ସେଣ୍ଟର ନାହିଁ
ଜନବହୁଳ ଏହି ୱାର୍ଡରେ କଲ୍ୟାଣ ମଣ୍ଡପ ନଥିବାରୁ ଲୋକେ ବିବାହ, ବ୍ରତ ଓ ଜନ୍ମଦିନ ପାଳନ ଭଳି ମାଙ୍ଗଳିକ ତଥା ସାମାଜିକ ଅନୁଷ୍ଠାନ କରିବାକୁ ବହୁ ସମସ୍ୟାରେ ପଡ଼ୁଛନ୍ତି। ଅନ୍ତତଃ ଡେ’ କେୟାର୍ ସେଣ୍ଟରଟିଏ ଥିଲେ କିଛି ସମସ୍ୟାର ସମାଧାନ ହୋଇପାରନ୍ତା, ମାତ୍ର ସେତକ ବି ନାହିଁ। ବରିଷ୍ଠ ନାଗରିକମାନଙ୍କ ଅବସ୍ଥା ବେଶ୍ ଦୟନୀୟ। ସେମାନେ ଗୃହବନ୍ଦୀ ହୋଇ ରହିବାକୁ ବାଧ୍ୟ। ସେମାନଙ୍କ ଅବସର ବିନୋଦନ ପାଇଁ କିମ୍ବା ବୈଠକ କରିବା ପାଇଁ କେଉଁଠି ବ୍ୟବସ୍ଥା ନାହିଁ। ସେହିଭଳି ଛୋଟ ପିଲାଙ୍କ ଖେଳିବା ପାଇଁ ପାର୍କଟିଏ ହୋଇପାରି ନାହିଁ। ଅଞ୍ଚଳବାସୀଙ୍କ କହିବା କଥା ଏଠାରେ ୩ ଶହ ଏକର ସରକାରୀ ଜମି ଥାଇ ମଧ୍ୟ ଏସବୁ ସୁବିଧା ହୋଇପାରୁନି।

ଲଟିକିଛି ୱାର୍ଡ ଅଫିସ୍ ନିର୍ମାଣ
ଏଠାରେ ୱାର୍ଡ ଅଫିସ୍ ନଥିବାରୁ ଲୋକେ କର୍ପୋରେଟରଙ୍କ ଘର ଓ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟାଳୟକୁ ଦଉଡ଼ୁଛନ୍ତି। ଫଳରେ ସମସ୍ୟା ହେଉଛି। ୱାର୍ଡ ଅଫିସ୍‌ ନିର୍ମାଣ ପାଇଁ ବିଏମ୍‌ସି ପକ୍ଷରୁ ଜାଗା ଚିହ୍ନଟ ହୋଇଛି ଏବଂ ୩୭ ଲକ୍ଷ ଟଙ୍କାର ବ୍ୟୟ ବରାଦ ମଧ୍ୟ ହୋଇଛି। କିନ୍ତୁ ସାଧାରଣ ପ୍ରଶାସନ ବିଭାଗରୁ କ୍ଲିୟରାନ୍ସ ମିଳିପାରୁ ନଥିବା‌ରୁ ଅଫିସ୍‌ ତିଆରି ହୋଇପାରୁନି। ବହୁ ଆନ୍ଦୋଳନ ପରେ ଜବରଦଖଲ ମୁକ୍ତ ହୋଇଥିବା ଏହି ଜମିଟି ପୁଣି ଜବରଦଖଲ ହେବାକୁ ବସିଲାଣି।

ମିସନ୍ ଶକ୍ତି ଘର ନାହିଁ
ଏହି ୱାର୍ଡରେ ୫ଟି ସ୍ବୟଂ ସହାୟକ ଗୋଷ୍ଠୀ ରହିଛି। ପ୍ରତି ଗୋଷ୍ଠୀରେ ୧୨୦ ମହିଳା ଅଛନ୍ତି। ମାତ୍ର ମିସନ୍ ଶକ୍ତି ଘର ନଥିବାରୁ ପାଖାପାଖି ୬ଶହ ମହିଳାଙ୍କୁ ବୈଠକଟିଏ ମନ୍ଦିର ପ୍ରାଙ୍ଗଣ ଖୋଜିବାକୁ ପଡ଼ୁଛି। କେବେ‌ କେବେ ସେମାନେ କାହା ଛାତ ତଳେ ତ କାହାର ବାରଣ୍ଡାରେ ବସି ବୈଠକ କରୁଛନ୍ତି। ଫଳରେ ସେମାନେ ସ୍ବାବଲମ୍ବୀ ହେବାରେ ବାଧକ ସୃଷ୍ଟି ହେଉଛି।

ରାସ୍ତା ଓ ସୌନ୍ଦର୍ଯ୍ୟୀକରଣରେ ଜମି ବିବାଦ ବାଧକ
କସ୍ତୁରବା ପଡ଼ିଆଠାରୁ ଭୋଇସାହି ଛକ ପର୍ଯ୍ୟନ୍ତ ରାସ୍ତାର ନବୀକରଣ ପାଇଁ ୪୨ ଲକ୍ଷ ଟଙ୍କାର ଟେଣ୍ଡର ହେଲା। ହେଲେ ସୀମା ବିବାଦ ଯୋଗୁଁ ଆଉ କାମ ଆଗେଇ ପାରିଲାନି। ସେହିପରି ନୀଳକଣ୍ଠେଶ୍ବର ଲେନ୍‌ ୧ରୁ ୪ ପର୍ଯ୍ୟନ୍ତ ଅଧା ରାସ୍ତାରେ ଫେଭର୍‌ ବ୍ଲକ୍ ପଡ଼ିଲା, ଆଉ ଅଧା କାମ ବର୍ଷେ ହେବ ହୋଇପାରୁନି। ଜାଗା ବିବାଦରେ ରାସ୍ତାର ଉନ୍ନତୀକରଣ ଅଟକିଛି।

ୱାର୍ଡ, ପିଛା ଛାଡ଼ୁନି ପାନୀୟ ଜଳ ସମସ୍ୟା
ମଙ୍ଗଳା ମନ୍ଦିର ଅଞ୍ଚଳ, ମେଟ୍ରୋ ସିଟି ସାମ୍ନା ଅଞ୍ଚଳ, ବନଦୁର୍ଗା ଲେନ୍‌, ନିରୁପମା ଆପାର୍ଟମେଣ୍ଟ୍‌ ଲେନ୍‌ ଭଳି ଅନେକ ଅଞ୍ଚଳରେ ଘରକୁ ପାଇପ୍‌ ସଂଯୋଗ ହୋଇଛି। କିନ୍ତୁ ‌ଲୋକମାନେ ଆବଶ୍ୟକ ପରିମାଣର ପାଣି ପାଇପାରୁନାହାନ୍ତି। ପିଏଚ୍‌ଡି ବିଭାଗ ହାତରୁ ୱାଟ୍‌‌କୋକୁ ପାନୀୟ ଜଳ ଯୋଗାଣ ଦାୟିତ୍ବ ଦିଆଯିବା ପରଠାରୁ ଏହି ଅବ୍ୟବସ୍ଥା ଦେଖାଯାଇଛି। ସୁବିଧା ପାଇବା ବଦଳରେ ଲୋକେ ଅଧିକ ହନ୍ତସନ୍ତ ହେଉଛନ୍ତି। କେତେବେଳେ ପାଣି ଆସୁଛି ତ କେତେବେଳେ ଆସୁନାହିଁ। ପୁଣି ଅଧିକାଂଶ ସମୟ‌ରେ ପାଇପ୍‌ରେ ଜଳ ପ୍ରବାହ ଏତେ କମ୍‌ ହେଉଛି ଯେ ଗୋଟିଏ ବାଲ୍‌ତି ପାଣି ଭରିବାକୁ ଅଧ ଘଣ୍ଟା ଲାଗିଯାଉଛି।

ବାରଦୁଆରେ ଅଙ୍ଗନବାଡ଼ି କେନ୍ଦ୍ର
ଏହି ୱାର୍ଡରେ ୪ ଟି ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି। ସବୁ ଅଙ୍ଗନବାଡ଼ିରେ ୩୦ ରୁ ୩୫ ପିଲା ଅଛନ୍ତି। କିନ୍ତୁ କୌଣସି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଘର କିମ୍ବା ଭଡ଼ା ଘର ନାହିଁ। ସୀତାପୁର ଅଙ୍ଗନବାଡ଼ି କେନ୍ଦ୍ର ରାମ ମନ୍ଦିର ଅଗଣାରେ, ବେହେରାସାହି ଅଙ୍ଗନବାଡ଼ି କେନ୍ଦ୍ର ଭାଗବତ ଟୁଙ୍ଗୀ ଘରେ, ଭୋଇସାହି କେନ୍ଦ୍ର କ୍ଲବ୍ ଘରେ, ଗୋପାଳ ବସ୍ତିରେ ଦିଦିଙ୍କ ନିଜ ଘରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି।