ଚନ୍ଦ୍ରଶେଖରପୁର : ବିଲଡର୍ ସଂସ୍ଥାଠାରୁ ଗ୍ୟାଙ୍ଗ୍ଷ୍ଟର ନାମରେ ବଟି ମାଗୁଥିବା ଜଣେ ଯୁବକକୁ ଆଜି ଇନ୍ଫୋସିଟି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ପାତ୍ରପଡ଼ା ମଦନପୁରର ଟିକେନ୍ଦ୍ର ରଣସିଂ।
ପୁଲିସ ସୂଚନା ଅନୁଯାୟୀ, ଜଗନ୍ନାଥ ପ୍ରମୋଟରର ନିର୍ମାଣ କାର୍ଯ୍ୟ ଜଟଣୀରେ ଚାଲିଛି। ଟିକେନ୍ଦ୍ର ସେଠାରେ କାମ କରାଇ ଦେଉନଥିଲା। କେନ୍ଦ୍ରାପଡ଼ାର ଜଣେ କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର ନାମ କହି ଉକ୍ତ ଜାଗାରେ କାମ କରିବାକୁ ହେଲେ ମୋଟା ଅଙ୍କର ବଟି ଦେବାକୁ ପଡ଼ିବ ବୋଲି କହିଥିଲା। ଏନେଇ ପ୍ରକଳ୍ପର ସୁପରଭାଇଜର ମାଲିକ ପ୍ରଦୀପ୍ତ କୁମାର ବିଶ୍ବାସ ରାୟଙ୍କୁ ସୂଚନା ଦେଇଥିଲେ। ଗତ ୧ମାସ ତଳେ ଟିକେନ୍ଦ୍ର ପଟିଆ ମ୍ୟାଗନେଟ୍ ଛକରେ ଥିବା ବିଲଡର ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ପ୍ରଦୀପ୍ତଙ୍କୁ ଟଙ୍କା ମାଗିଥିଲା। ସେଠାରୁ ଅର୍ଥ ନପାଇ ସେ ତାଙ୍କୁ ହତ୍ୟା ଧମକ ଦେଇଥିଲା। ଫଳରେ ପ୍ରଦୀପ୍ତ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଗିରଫ ଭୟରେ ଟିକେନ୍ଦ୍ର ଫେରାର ହୋଇଯାଇଥିଲା। ଆଜି ଇନ୍ଫୋସିଟି ଥାନା ପୁଲିସ ଜଟଣୀ ପୁଲିସ୍ ସହାୟତାରେ ଅଭିଯୁକ୍ତକୁ ଜଟଣୀ ଅଞ୍ଚଳରୁ ଗିରଫ କରିଥିଲା। ଟିକେନ୍ଦ୍ର ନାମରେ ପୂର୍ବରୁ ଏପରି ଆଭିଯୋଗ ରହିଛି। ହେଲେ ସେ ଧରାପଡ଼ୁ ନଥିଲା। ଏନେଇ ଥାନାରେ ମାମଲା ୪୮/୧୯ ରୁଜୁ ହୋଇଥିବା ଇନ୍ଫୋସିଟି ଥାନା ଆଇଆଇସି ବିଶ୍ବଜିତ ମହାନ୍ତି କହିଛନ୍ତି।
ବାଇକ୍ ଚୋର ଗିରଫ
ଖଣ୍ଡଗିରି : ବୁଧବାର ଖଣ୍ଡଗିରି ଥାନା ପୁଲିସ ଜଣେ ବାଇକ୍ ଚୋରକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ କେନ୍ଦ୍ରାପଡ଼ା ପାଟକୁରା ପ୍ରଧାନପଟିକିରା ଗାଁର କୁଞ୍ଜ ବିହାରୀ ନାୟକ ଓରଫ୍ ରିଙ୍କୁ(୨୪)। ପୁଲିସ ତା’ଠାରୁ ଏକ ଚୋରା ବାଇକ୍ ଜବତ କରିଛି। ପୁଲିସ ସୂଚନାନୁସାରେ ଶିରିପୁର କନ୍ଧସାହିର ସତ୍ୟାନନ୍ଦ ସାହୁ ୨୦୧୮ ସେପ୍ଟେମ୍ବର ୧୯ ତାରିଖରେ ସିଆର୍ପି ମାର୍କେଟ୍ରେ କିଛି ସାମଗ୍ରୀ କିଣାକିଣି କରୁଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ବାଇକ୍ (ଓଡି୩୩ସି-୦୧୩୭)କୁ ନେଇ ଫେରାର୍ ହୋଇ ଯାଇଥିଲା। ଏ ନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଦୁର୍ବୃତ୍ତକୁ ଠାବ କରିପାରି ନଥିଲା। ମଙ୍ଗଳବାର ରିଙ୍କୁ ଉକ୍ତ ବାଇକ୍ ଧରି ଶିରିପୁର ଛକ ଜଗନ୍ନାଥ ମନ୍ଦିର ନିକଟରେ ଅପେକ୍ଷା କରିଥିବା ବେଳେ ସନ୍ଦେହ କରି ଖଣ୍ଡଗିରି ଥାନାର ପାଟ୍ରୋଲିଂ ଟିମ୍ ତାକୁ ପଚରାଉଚରା କରିବା ସହ ବାଇକ୍ର ରେକର୍ଡପତ୍ର ଯାଞ୍ଚ କରିଥିଲା। ମାତ୍ର ରିଙ୍କୁ ଗାଡ଼ିର ରେକର୍ଡପତ୍ର ଦେଖାଇ ପାରିନଥିଲା। ପରେ ସେ ପୁଲିସ ନିକଟରେ ବାଇକ୍ ଚୋରି କରିଥିବା ଓ ଜଣେ ଗ୍ରାହକକୁ ଉକ୍ତ ବାଇକ୍ ବିକିବା ପାଇଁ ଶିରିପୁର ଛକରେ ଅପେକ୍ଷା କରିଥିବା ମାନି ଯାଇଥିଲା।
ମା’କୁ ମାଡ଼ ମାରି ପୁଅ ଗିରଫ
ଭୁବନେଶ୍ୱର :ମା’କୁ ମାଡ଼ମାରି ଗିରଫ ହୋଇଛି ପୁଅ। ଏଭଳି ଘଟଣା ଘଟିଛି ଲକ୍ଷ୍ମୀସାଗର ଥାନା ଅଧୀନ ହଳଦୀପଡ଼ିଆ ବସ୍ତି ଅଞ୍ଚଳରେ। ମା’ର ଅଭିଯୋଗକ୍ରମେ ପୁଲିସ ପୁଅ ଜିତୁ ରଣସିଂହକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବିଭିନ୍ନ ସମୟରେ ମଦ ଖାଇ ମା’କୁ ମାଡ଼ ମାରିବା ସହ ଘରେ ଅଶାନ୍ତି କରୁଛି ବୋଲି ମା’ ଶଇଳ ରଣସିଂହଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ କରୁଛି।