ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ

ବାକି ଟଙ୍କା ମାଗିବାରୁ ଆକ୍ରମଣ, ଯୁବକ ଗୁରୁତର

ଚନ୍ଦ୍ରଶେଖରପୁର : ବଚସାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଆକ୍ରମଣ ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଆଜି ଗିରଫ କରିଛି। ଗିରଫ ଯୁବକ ହେଲା ଗଉନାଥ ସାହୁ(୨୦)। ସେ ଡମଣା ମଣ୍ଡପ ବସ୍ତିରେ ରୁହେ। ଗତ ୫ମାସ ପୂର୍ବେ ଗଉନାଥ ସେହି ବସ୍ତିର ବବୁଲୁ ପ୍ରଧାନ(୨୧) ନାମକ ଜଣେ ଯୁବକକୁ କଟୁରିରେ ହାଣି ଫେରାର ହୋଇଯାଇଥିଲା। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଖୋଜୁଥିଲା। ଆଜି ସେ ବସ୍ତିରେ ଥିବା ବେଳେ ତାକୁ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି।

ବାକି ଟଙ୍କା ମାଗିବାରୁ ଆକ୍ରମଣ, ଯୁବକ ଗୁରୁତର

ବାଲିପାଟଣା : ବାଲିପାଟଣା ଥାନା ବନମାଳିପୁର ଫାଣ୍ଡି ଅଧୀନ ନରଣପୁର ଗ୍ରାମର ଶରତ ପରିଡ଼ାଙ୍କ ପୁଅ ଶ୍ରୀକାନ୍ତ ପରିଡା (ମିଟୁ )ଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ହୋଇଛି। ମିଟୁ ସେହି ଗ୍ରାମର ରବୀନ୍ଦ୍ର ପରିଡ଼ାଙ୍କ ବିଲରେ ଟ୍ରାକ୍ଟରରେ ଚାଷ କରିଥିଲେ। ବାକି ଟଙ୍କା ମାଗିବାରୁ ଆଜି ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ନୂଆସାହି କେନାଲ ବନ୍ଧରେ ଯୁକ୍ତିତର୍କ ହୋଇଥିଲା। ଉକ୍ତ ଘଟଣାକୁ କେନ୍ଦ୍ର କରି ରବୀନ୍ଦ୍ର ରାତି ସାଢ଼େ ୯ଟା ସମୟରେ ମିଟୁ ଓ ତାଙ୍କ ବାପା ଶରତ ଘର ସମ୍ମୁଖରେ ଠିଆ ହୋଇଥିବା ବେଳେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା। ଫଳରେ ମିଟୁ ଗୁରୁତର ଆହତ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ଅଠାନ୍ତର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି। ତାଙ୍କ ବାମ ଛାତି ଓ ବେକରେ ଗଭୀର ଆଘାତ ଲାଗିଛି ବୋଲି ଚିକିତ୍ସା କରିଥିବା ଡାକ୍ତର ରତିରଂଜନ ସ୍ବାଇଁ ସୂଚନା ଦେଇଛନ୍ତି। ଖବର ପାଇ ବାଲିପାଟଣା ପିସିଆର ଓ ବନମାଳିପୁର ଫାଣ୍ଡି ପୁଲିସ ସ୍ବାସ୍ଥ୍ୟକେନ୍ଦ୍ର ପହଞ୍ଚି ଶରତଙ୍କ ଠାରୁ ଘଟଣା ସମ୍ପର୍କରେ ବୁଝିଥିଲେ। ଏନେଇ ଫାଣ୍ଡିରେ ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର